KUMARASAMBHAVA MAHAKAVYA
(Canto - 11th) *
Original Sanskrit Epic Poem
By: Mahakavi Kalidasa
*******
ODIA Metrical Translation by:
Dr. Harekrishna Meher
(Taken from Complete Odia Version)
======
कुमारसम्भव महाकाव्य :
एकादश सर्ग : कुमारङ्क बाल्यलीला *
(पद्यानुवाद : राग- काळी)
= = = = =
Canto-11 : Baalya-Lila of Kumara Kartikeya.
Canto-12 : Kumara as Senapati of DevaSena.
(Translations done during 1971)
*
Published in 'BARTIKA', Famous Odia Literary Quarterly, Dashahara Special Issue, October-December 2026, pages 1109-1133, Saraswata Sahitya Sanskrutika Parishad, Dasharathapur, Jajpur, Odisha.
======
* କୁମାରସମ୍ଭବ - ଏକାଦଶ ସର୍ଗ *
ମୂଳ ସଂସ୍କୃତ କାବ୍ୟ : ମହାକବି କାଳିଦାସ
ଓଡ଼ିଆ ପଦ୍ୟାନୁବାଦ : ଡକ୍ଟର୍ ହରେକୃଷ୍ଣ ମେହେର
ବିଷୟ : କୁମାରଙ୍କ ବାଲ୍ୟଲୀଳା
(ରାଗ : କାଳୀ)
========
(୧)
ନମ୍ର ପ୍ରାର୍ଥନା କରନ୍ତେ ତହିଁ
ଇନ୍ଦ୍ରାଦି ଦେବଗଣ,
ସ୍ବର୍ଣ୍ଣଦୀ ନିଜେ କଲେ ସେକାଳେ
ନାରୀରୂପ ଧାରଣ ।
ବହନେ ଯାଇ ମିଳିଲେ ସୁର-
ଗଣର ସମ୍ମୁଖରେ,
ସୁଧା-ପୂରିତ ଉରଜ-ପାନ
କରାଇଲେ ପୁତ୍ରରେ ।।
*
(୨)
ଗଙ୍ଗାଦେବୀଙ୍କ ଉରଜୁଁ ସୁତ
କରି ଅମୃତ ପାନ,
କ୍ଷଣକୁ କ୍ଷଣ ଅତି ବେଗରେ
ହୋଇଲା ବର୍ଦ୍ଧମାନ ।
ସେହି ସମୟେ ଆସି କୃତ୍ତିକା
ଷଡ଼ଜଣ ତାହାର,
ସେବା କରନ୍ତେ ରୂପ ଦିଶିଲା
ଅପୂର୍ବ ଚମତ୍କାର ।।
*
(୩)
ସ୍ବର୍ଣ୍ଣଦୀ ବହ୍ନି- ଦେବଙ୍କ ସହ
କୃତ୍ତିକାଙ୍କ ନୟନ,
ହର୍ଷ-ଲୋତକେ ପୂରିତ ହେଲା
ଦେଖି ଷଡ଼ବଦନ ।
ଦିବ୍ୟ ପୁତ୍ରକୁ ଲଭିବା ପାଇଁ
ତହିଁ ସେମାନଙ୍କର,
ମଧ୍ୟରେ ଜାତ ହେଲା ତୁମୁଳ
ବିବାଦ ପରସ୍ପର ।।
*
(୪)
ଏ ଅବସରେ ପର୍ବତରାଜ-
ସୁତା ସଙ୍ଗେ ଈଶାନ,
ସ୍ବେଚ୍ଛାବିହାର ଲାଗି ମନରୁ
ଅଧିକ ବେଗବାନ ।
ଦିବ୍ୟ ବିମାନେ ଚଢ଼ି ଗମନ
କରିଲେ ମହାକାଶେ,
ଭ୍ରମଣକାଳ ମଧ୍ୟରେ ଦୁହେଁ
ମିଳିଲେ ସେହିପାଶେ ।।
*
(୫)
ଷଡ଼ ଦିନର ଷଡ଼ବଦନ
ସୁତେ ଦେଖନ୍ତେ ମୁଦେ,
ସ୍ବଭାବ-ପୁତ୍ର- ପ୍ରେମ ଜନ୍ମିଲା
ଗୌରୀ-ଶଙ୍କର-ହୃଦେ ।
ଆନନ୍ଦ ବହୁ ବର୍ଦ୍ଧିତ ହେଲା
ଦୁହିଁଙ୍କର ମାନସେ,
ଉଭୟଙ୍କର ନୟନୁଁ ନୀର
ପ୍ରବହିଲା ରଭସେ ।।
*
(୬)
ସ୍ବାମୀଙ୍କୁ ଉମା ପୁଚ୍ଛିଲେ, "ପ୍ରଭୋ !
ସମ୍ମୁଖେ ସ୍ଥିତ ଏହି,
ବାଳକ କିଏ ? ଅଟଇ ଏ ତ
ଅପୂର୍ବ ଦିବ୍ୟଦେହୀ ।
ଧନ୍ୟତମ ସେ ପୁରୁଷ କିଏ
ଅଟେ ଏ ପୁତ୍ର ଯାର,
ଭାଗ୍ୟବତୀଙ୍କ ମଧ୍ୟରେ ଶ୍ରେଷ୍ଠ
ଜନନୀ କେ ଏହାର ?
*
(୭)
ସୁର-ସରିତା ଅଗ୍ନି ଆବର
ଷଡ଼ କୃତ୍ତିକାବୃନ୍ଦ,
କରୁଅଛନ୍ତି କେଉଁ କାରଣେ
ପରସ୍ପର ବିବାଦ ?
'ଏ ମୋର ପୁତ୍ର , ତୁମର ନୁହେ,
ତୁମ ଏ ଗିର ମିଥ୍ୟା',
ଏରୂପେ କହୁ ଅଛନ୍ତି ସତେ
ବଡ଼ ବିଚିତ୍ର କଥା ।।
*
(୮)
ତ୍ରିଭୁବନର ତିଳକ-ରୂପ
ବାଳକ ମନୋହର,
ଏମାନଙ୍କର ମଧ୍ୟରୁ କାହା
ଅଟଇ ପୁତ୍ରବର ?
ଅଥବା ଅନ୍ୟ କେଉଁ ଅମର
ଦୈତ୍ୟ ବା ଗନ୍ଧର୍ବର,
ଅବା ସିଦ୍ଧର ସର୍ପର ଅବା
ରାକ୍ଷସର କୁମର ?"
*
(୯)
କୌତୁକୀ ପ୍ରାଣ- ପ୍ରେୟସୀଙ୍କର
ଶୁଣି ଏପରି ବାଣୀ,
ବିମଳ ଦର- ହାସ ସୁନ୍ଦର
ପ୍ରସାରି ଶୂଳପାଣି ।
ବୋଇଲେ ଗିର, ଯାହା ଅତ୍ୟନ୍ତ
ଆନନ୍ଦୋଦୟକର,
ଥିଲା ଆବର ଆଧାର-ରୂପ
ଆନ୍ତରିକ ସୁଖର ।।
*
(୧୦)
''ତ୍ରିଭୁବନର ଆନନ୍ଦଦାୟୀ
ଏ ବୀର ବାଳକର,
ବୀର-ମାତା ହେ କଲ୍ୟାଣି ! ତୁମେ
ପୁତ୍ର ଏହି ତୁମ୍ଭର ।
ଦେବଗଣଙ୍କ ମଙ୍ଗଳକାରୀ
ଏହି ବୀର ନନ୍ଦନ,
ତୁମ ବ୍ୟତୀତ ଅନ୍ୟ କେ ମାତା
କରିପାରେ ସର୍ଜନ ?
*
(୧୧)
ବିଶ୍ବ-ମଙ୍ଗଳ- ଗାନର ହେତୁ
ଏହି ସୁପୁତ୍ର ଜାତ,
ହେ ଦେବି ! ତୁମେ ଅଟ ଏହାର
ଜନମଦାତ୍ରୀ ମାତ ।
ଏ କଥା ସତ୍ୟ ବୋଲି ଆପଣା
ମନେ ବିଚାର କର,
ଅମ୍ଭୋନିଧିରୁ ଏକା ସମ୍ଭବ
ହୋଇଥାଏ ରତ୍ନର ।।
*
(୧୨)
ତେଣୁ ଏହାର ବୃତ୍ତାନ୍ତ ତୁମେ
ଶୁଣ ଗୋ ମନ ଦେଇ,
ଅଗ୍ନି ଚଳିଲେ ମୋର ଅର୍ପିତ
ରେତକୁ ସଙ୍ଗେ ନେଇ ।
ସହି ନ ପାରି ଗଙ୍ଗାରେ ତାହା
ତ୍ୟାଗ କଲେ ସତ୍ବରେ,
ସ୍ନାନେ ପ୍ରବେଶ କଲା ତା ଷଡ଼
କୃତ୍ତିକାଙ୍କ ଉଦରେ ।।
*
(୧୩)
ଅମୋଘ ବୀଜ ଉଦରେ ଗର୍ଭ
ହେଲା ଜାଣି ସ୍ବମନେ,
ଗର୍ଭ ସରବ ଶର-ବଣରେ
ତେଜି ଗଲେ ବହନେ ।
ତହିଁ ସମ୍ଭୂତ ହେଲା ଅଭୂତ-
ପୂର୍ବ ଏହି ବାଳକ,
ବିଶ୍ବେ ସକଳ ଚରାଚରଙ୍କ
ମହାନନ୍ଦ-ଦାୟକ ।।
*
(୧୪)
ସାରା ବିଶ୍ବର ପ୍ରିୟଦର୍ଶନ
ଏ ଦିବ୍ୟ ବାଳକର,
ଜନନୀ ହେତୁ ସୁପୁତ୍ରବତୀ-
ବୃନ୍ଦମଧ୍ୟେ ବିଶ୍ଵର ।
ଶ୍ରେଷ୍ଠ ହୋଇଛ ଆଗୋ ପର୍ବତ-
ରାଜଜେମା ! ନିଶ୍ଚୟ,
ଆଉ ବିଳମ୍ବ ନ କରି କୋଳେ
ନିଅ ନିଜ ତନୟ ।।"
*
(୧୫)
ଏରୂପେ ଚନ୍ଦ୍ର- ମଉଳିଙ୍କର
ସୁଧାମୟୀ ଭାରତୀ,
ଶୁଣି ସକଳ- ଜଗତ-ଧାତ୍ରୀ
ଶିବପ୍ରିୟା ପାର୍ବତୀ ।
ହୃଦେ ଅପାର ପରମାନନ୍ଦ
ଲାଭ କଲେ ନିଜର,
ତଦନ୍ତେ ପୀନ- ଶରୀରା ଉମା
ସେହିଠାରେ ସତ୍ବର ।।
*
(୧୬)
ପୁତ୍ରକୁ ନିଜ ଉତ୍ସଙ୍ଗେ ନେବା
ଉତ୍କଣ୍ଠିତ ମାନସେ,
ବିମାନୁଁ କଲେ ଅବତରଣ,
ସେକାଳେ ବିହାୟସେ ।
ଦେବତାଗଣ ସମ୍ଭ୍ରମେ ତାଙ୍କୁ
କୃତାଞ୍ଜଳି-ପୁଟରେ,
ଭକତିଭାବେ ପ୍ରଣାମ କଲେ
ବିନମ୍ର ମୁକୁଟରେ ।।
*
(୧୭)
ଗଙ୍ଗା ଅନଳ ସଙ୍ଗତେ ଷଡ଼
କୃତ୍ତିକା ଯୋଡ଼ି ହାତ,
ନତ ମସ୍ତକେ କଲେ ସେକାଳେ
ଉମାଙ୍କୁ ପ୍ରଣିପାତ ।
ଉପେକ୍ଷି ତାହା ଗଲେ ଉତ୍ସୁକେ
ପୁତ୍ର ପାଶେ ପାର୍ବତୀ,
ତନୟୋତ୍ସବେ ନ ହୁଏ କେ ବା
ହର୍ଷେ ବିହ୍ବଳମତି ?
*
(୧୮)
ଆନନ୍ଦ-ବାରି ବହିଲା ବହୁ
ନିଜ ନେତ୍ରଯୁଗରେ,
କ୍ଷଣକ ପାଇଁ ପୁତ୍ରକୁ ଦେଖି
ନ ପାରିଲେ ଆଗରେ ।
କୋମଳ କର- ମୁକୁଳେ କଲେ
ତନୟକୁ ସ୍ପରଶ,
ଶୈଳଜା ହୃଦେ ଲଭିଲେ ଦିବ୍ୟ
ଅପୂରୁବ ହରଷ ।।
*
(୧୯)
ଆଶ୍ଚର୍ଯ୍ୟଭରା ସୁଖାନୁଭୂତି-
ମହାନନ୍ଦେ ନୟନ,
ଫୁଲ୍ଲ ହେବାରୁ ଝରିଲା ମହା-
ସୁଖ-ଲୋତକ-ବନ ।
ବାତ୍ସଲ୍ୟ-ପ୍ରେମ ରସ ବଢ଼ିଲା
ହରପ୍ରିୟା-ହୃଦୟେ,
ତାଙ୍କ ଲୋଚନ- ଗୋଚର ହେଲା
ପୁତ୍ର ଏହିସମୟେ ।।
*
(୨୦)
ପୁତ୍ରକୁ କ୍ଷଣେ ବିଲୋକି ଉମା
ପଲକ-ବିରହିତ,
ସହସ୍ର ନେତ୍ର ଲଭିବା ପାଇଁ
ଇଚ୍ଛା କଲେ ତୁରିତ ।
ନେତ୍ରେ ସୁପୁତ୍ର- ଦର୍ଶନଜନ୍ୟ
ଆନନ୍ଦ କ୍ଷଣେ କ୍ଷଣେ,
ଲଭିଲେ ସୁଦ୍ଧା ତୃପତି ଆସେ
କାହା ଅନ୍ତଃକରଣେ ?
*
(୨୧)
ପ୍ରଣାମ-କାଳେ ଦେବ-ଦାନବ-
ଗଣଙ୍କ ପୃଷ୍ଠଭାଗେ,
ଆଶିଷ ଦେଇ ଥାଆନ୍ତି ଗୌରୀ
ଯେ କର-ପଦ୍ମଯୁଗେ ।
ପୂର୍ଣ୍ଣମୀ ବେଳା ନବ ଉଦିତ
ଚନ୍ଦ୍ର ସମ ସୁନ୍ଦର,
ସୁତକୁ ନିଜ ଅଙ୍କେ ଘେନିଲେ
ପ୍ରସାରି ସେହି କର ।।
*
(୨୨)
ସେ ଅଦ୍ୱିତୀୟା ଦେବୀ ଜଗତେ,
ସ୍ବପୁତ୍ର ଅଦ୍ୱିତୀୟ,
ଦେବ ବିଶ୍ବର, ତାଙ୍କୁ ଅଙ୍କରେ
ବସାଇଲେ ସ୍ଵକୀୟ ।
ସୁଧା-ଭଣ୍ଡାର ସମ ସେ ପୁତ୍ର
ଚନ୍ଦ୍ରବଦନା ମାତା,
ଶ୍ରେଷ୍ଠା ସେ ହେଲେ ପୁତ୍ରବତୀଙ୍କ
ମଧ୍ୟେ ପୂଜିତା ଖ୍ୟାତା ।।
*
(୨୩)
ବିଶ୍ବର ଏକ- ଜନନୀ ଉମା,
ଅଦ୍ୱିତୀୟ କୁମର,
କୋଳେ ବସାନ୍ତେ ସେହି ସମୟେ
ପ୍ରତିଅଙ୍ଗ ତାଙ୍କର ।
ପୁତ୍ର-ବାତ୍ସଲ୍ୟ- ରସ-ପ୍ରବାହେ
ସିକ୍ତ ହେଲା ଅଚିର,
ହର୍ଷ-ପୀୟୂଷେ ପୂରିଲା ହୃଦ,
ସ୍ତନୁଁ ଝରିଲା କ୍ଷୀର ।।
*
(୨୪)
ଷାଣ୍ମାତୁର ସେ ତ୍ରିଲୋକ-ମାତା
ଉମାଙ୍କ ଉରୋଜର,
ଅମୃତମୟ ପୟ ସେବନ
କରିଲେ ତୋଷଭର ।
ସେକାଳେ ଗଙ୍ଗା- ଦେବୀ ସଙ୍ଗତେ
କୃତ୍ତିକା ଷଡ଼ ଜଣ,
ଅତି ସ୍ପୃହାରେ ଥରକୁ ଥର
କରିଲେ ନିରୀକ୍ଷଣ ।।
*
(୨୫)
ମୁଦାଶ୍ରୁ-ସିକ୍ତ ଏକ ବଦନ-
ପଦ୍ମେ ଉମା ନିଜରି,
ପୁତ୍ରର ଷଡ଼ ମୁଖକୁ କ୍ରମେ
ଚୁମ୍ବିଲେ ସ୍ନେହ ଭରି ।
ଏକ ନାଳରେ ଉଦ୍-ଗତ ଷଡ଼
ସରସିଜର ଶୋଭା,
ଧାରଣ କଲା ସୁତର ସେହି
ବଦନ ମନଲୋଭା ।।
*
(୨୬)
ସ୍ବର୍ଣ୍ଣାଚଳର ବଲ୍ଲୀ ଯେପରି
ଶୋଭଇ ସ୍ବର୍ଣ୍ଣଫଳେ,
ସୁର-ସରିତା ଶୋଭନ୍ତି ଯଥା
ଫୁଲ୍ଲ ନବ କମଳେ ।
ପରାଚୀ ଦିଶା ରୁଚିର ଦିଶେ
ନବ ଚନ୍ଦ୍ରେ ଯେପରି,
ଶୋଭା ପାଇଲେ ଉମା ସେରୂପେ
କୋଳେ ତନୟ ଧରି ।।
*
(୨୭)
ମୁଦିତ ମନେ ଶିବ ଯତନେ
ବଢ଼ାଇଲେ ସ୍ବକର,
ହୈମବତୀ ସେ କର ଧରିଲେ
ପ୍ରଭୁ ଶଙ୍କରଙ୍କର ।
ପୁତ୍ରକୁ ନିଜ ଅଙ୍କେ ବସାଇ
ଆନନ୍ଦେ ସେହିକ୍ଷଣ,
କଲେ ଅମ୍ବିକା ଗଗନ-ଚୁମ୍ବୀ
ବିମାନେ ଆରୋହଣ ।।
*
(୨୮)
ମହେଶ ମଧ୍ୟ ଅତ୍ୟନ୍ତ ମୁଦେ
ପୁଲକିତ ହୋଇଲେ,
ଉମା-କୋଳରୁ ସୁତକୁ ନେଇ
ସ୍ବକୋଳେ ବସାଇଲେ ।
ତହୁଁ ଚଞ୍ଚଳ ଶିବ-କୋଳରୁ
ନେଇଗଲେ ପାର୍ବତୀ,
ଶଙ୍କର ପୁଣି ନେଲେ ସ୍ବକୋଳେ
ବାତ୍ସଲ୍ୟେ ପ୍ରୀତମତି ।।
*
(୨୯)
ପବିତ୍ର ନେତ୍ର- ପୀୟୂଷର ସେ
ଏକପାତ୍ର ନନ୍ଦନ,
ଅଙ୍କେ ନିଜର ଘେନି ଆବର
ସ୍ବାମୀଙ୍କୁ ସଯତନ ।
ନିବିଡ଼େ ଧରି ବସିଲେ ତହିଁ
ଗିରିନନ୍ଦିନୀ ସୁଖେ,
ଚଳିଲେ ତହୁଁ ବିମାନ-ବେଗେ
ହର ଗୃହାଭିମୁଖେ ।।
*
(୩୦)
ସ୍ଫଟିକମୟ ଗିରିର ଉଚ୍ଚ
ଶିଖରେ ଅବସ୍ଥିତ,
ସୁରମ୍ୟ ନିଜ ଧାମରେ ଶିବ
ପହଞ୍ଚିଲେ ତ୍ୱରିତ ।
ଆଦେଶ ଦେଲେ ପ୍ରମଥ ଆଦି
ଗଣଙ୍କୁ ସେ ତଦନ୍ତେ,
ପୁତ୍ର-ଜନମ ହେତୁ ଉତ୍ସବ
ଆୟୋଜନ ନିମନ୍ତେ ।।
*
(୩୧)
ପ୍ରଭୁ-ଆଦେଶେ ପ୍ରମଥ ଆଦି
ଯେତେ ଥିଲେ ସକଳ,
ଗଣ ମିଳିଲେ ତହିଁ ଅତ୍ୟନ୍ତ
ମୁଦେ ହୋଇ ବିହ୍ବଳ ।
ଶିବ-ଶିବାଙ୍କ ଦିବ୍ୟ ତନୟ
ଜନମ ଅବସର,
ବିପୁଳୋତ୍ସବ ପାଳନେ ସର୍ବେ
ହୋଇଲେ ତତପର ।।
*
(୩୨)
ପ୍ରମଥ ଆଦି ଗଣ ସମସ୍ତ
ସ୍ଫଟିକ ଭବନରେ,
ସନ୍ତାନ-ତରୁ- ଜାତ ସୁନ୍ଦର
ନବ ପୁଷ୍ପଚୟରେ ।
ରମ୍ୟ ସୁବର୍ଣ୍ଣ- ତୋରଣମାନ
କରିଲେ ସୁସଜ୍ଜିତ,
ପ୍ରଭାରେ ତାର ନଭୋମଣ୍ଡଳ
ହୋଇଲା ଉଦ୍ଭାସିତ ।।
*
(୩୩)
ସକଳ ଦିଗେ ଦିଶାଧିପତି
ଅମରଗଣଙ୍କର,
ମନ୍ଦ୍ର ପଟହ ବାଦ୍ୟ ବ୍ୟାପିଲା
ପ୍ରସାରି ଧୀର ସ୍ବର ।
ଅନ୍ୟ ବାଦିତ ନାଦ ବିସ୍ତୃତ
ହେଲା ସ୍ଵରଗେ ଯାଇ,
ମର୍ତ୍ତ୍ୟରେ ମଧ୍ୟ ମହୋତ୍ସବର
ସୂଚନା ଦେବା ପାଇଁ ।।
*
(୩୪)
ଗନ୍ଧର୍ବ ବିଦ୍ୟା- ଧରମାନଙ୍କ
ବଧୂଗଣ ଉତ୍ସବେ,
ମିଳିଲେ ଆସି ଶିବ-ଭବନେ
ବିଧିମତେ ସରବେ ।
ଗିରିତନୁଜା- ପାଶରୁ ତହିଁ
ଲଭିଲେ ସୁସମ୍ମାନ,
ସୁନ୍ଦରୀବୃନ୍ଦ କଲେ ଆନନ୍ଦେ
ମଙ୍ଗଳଗୀତ ଗାନ ।।
*
(୩୫)
ମାତୃଭାବରେ ମାତୃକାଗଣ
ମଙ୍ଗଳ ଉପହାର,
ଘେନି ସ୍ବହସ୍ତେ ମିଳିଲେ, ଶିଶୁ-
ମସ୍ତକେ ଉପଚାର ।
ଦୂର୍ବା ଅକ୍ଷତ ଆଦି ଯତନେ
ସିଞ୍ଚିଲେ ସ୍ନେହଭୋଳେ,
ସୁଗାତ୍ରୀଗଣ ପୁତ୍ରକୁ ନେଲେ
ନିଜ ନିଜର କୋଳେ ।।
*
(୩୬)
ଅଙ୍କ୍ୟ ଆଲିଙ୍ଗ୍ୟ ଊର୍ଦ୍ଧ୍ଵକ ନାମେ
ତୂରୀ ନାନା ପ୍ରକାରେ,
ମନ୍ଦ୍ର ନିନାଦେ ବାଜି ଉଠିଲା,
ଅପ୍ସରାଏ ସେଠାରେ ।
ଆନନ୍ଦେ କରି ଭାବ-ସରସ
ଛନ୍ଦୋବଦ୍ଧ ଗାୟନ,
ସୁସନ୍ଧିବନ୍ଧେ ବିବିଧ ରୂପେ
ଆରମ୍ଭିଲେ ନର୍ତ୍ତନ ।।
*
(୩୭)
କୁମାରୋତ୍ସବେ ବହିଲା ତହିଁ
ସୁଖଦାୟୀ ଅନିଳ,
ପ୍ରସନ୍ନଭାବ ଭଜିଲେ ଦିଗ,
ସ୍ବଚ୍ଛ ହେଲା ସଲିଳ ।
ଧୂମ-ବିହୀନ ହୋଇଣ ବହ୍ନି
ଜଳି ଉଠିଲେ ଖରେ,
ବିମଳ ନଭ ହର୍ଷ ଭରିଲା
ସର୍ବଜନ-ମୁଖରେ ।।
*
(୩୮)
ଗମ୍ଭୀର କମ୍ବୁ ଶବଦ ସଙ୍ଗେ
ଦୁନ୍ଦୁଭି ଘରେ ଘରେ,
ଉଚ୍ଚେ ବାଦିତ ହେଲା କୁମାର-
ଜନ୍ମ-ମହୋତ୍ସବରେ ।
ବିହାୟସରେ ସୁରଗଣଙ୍କ
ଦିବ୍ୟ ବିମାନବୃନ୍ଦ,
ସୁମନ-ପୁଞ୍ଜ ପ୍ରଚୁର ବିଞ୍ଚି
ବିଚରିଲେ ସାନନ୍ଦ ।।
*
(୩୯)
ଏରୂପେ ଶିବ- ଶିବାଙ୍କ ପୁତ୍ର-
ଜନ୍ମୋତ୍ସବ-ମଙ୍ଗଳେ,
ନିଖିଳ ବିଶ୍ବ ମଧ୍ୟେ ସେକାଳେ
ଚରାଚର ସକଳେ ।
ଆନନ୍ଦଭରେ ବିଭୋର ହେଲେ
ଏଇ କଥା ନିଶ୍ଚିତ,
ମାତ୍ର ତାରକା- ସୁରର ରାଜ-
ଲକ୍ଷ୍ମୀ ହେଲା କମ୍ପିତ ।।
*
(୪୦)
ତଦନ୍ତେ ସୁତ ଷଡ଼ବଦନ
ବିଚିତ୍ର ମୁଦମୟ,
ଆପଣା ବାଲ୍ୟ- ଲୀଳା ଚରିତ
ପ୍ରକାଶି ଅତିଶୟ ।
ମୋହିତ କଲେ ବିଶେଷରୂପେ
ତାତ-ମାତଙ୍କ ମନ,
ବାଲ୍ୟକେଳି ନ କରେ କା' ହୃଦେ
ଆନନ୍ଦ ବରଧନ ?
*
(୪୧)
ହରଷେ ଅତି ଉତ୍ସୁକ ମନେ
ଶୈଳସୁତା ଶଙ୍କର,
ଅଜାତ-ଦନ୍ତ ସୁନ୍ଦର ଷଡ଼
ମୁଖକୁ ତନୟର ।
ନିଜ ନିଜର ଏକ ବଦନେ
ନିବିଡ଼ ଭାବଭରେ,
କ୍ରମାନୁସାରେ ଅନେକ ବାର
ଚୁମ୍ବୁଥିଲେ ଆଦରେ ।।
*
(୪୨)
କେବେ ସ୍ଖଳିତ ଭାବେ କେବେ ବା
ଅସ୍ଖଳିତ ଭାବରେ,
କେବେ କମ୍ପିତ ହୋଇ କେବେ ବା
ଅକମ୍ପିତ ଭାବରେ ।
କୁମାର ରମ୍ୟ ଲୀଳା ଚଳନ
ପ୍ରୟୋଗରେ ନିଜର,
ଅଶେଷ ମୋଦ ବର୍ଦ୍ଧନ କଲେ
ତାତ ଜନନୀଙ୍କର ।।
*
(୪୩)
ବଦନ-ଚନ୍ଦ୍ର ଶୋଭିତ ହେଲା
ଅହେତୁକ ହାସରେ,
ଧୂଳି-ଧୂସର ହେଲେ କୁମାର
ଖେଳି ଗୃହାଙ୍ଗଣରେ ।
ବାରମ୍ବାର ସେ ଉଚ୍ଚାରୁଥିଲେ
ଅଲକ୍ଷିତାର୍ଥ ପଦ,
ପିତାମାତାଙ୍କ କୋଳରେ ବସି
ହେଲେ ଆନନ୍ଦପ୍ରଦ ।।
*
(୪୪)
କେବେ ଶିବଙ୍କ ବୃଷର ଶୃଙ୍ଗ
ଧରୁଥିଲେ ସ୍ବକରେ,
ପରଶ କରୁ ଥିଲେ ଉମାଙ୍କ
ସିଂହର ପୃଷ୍ଠପରେ ।
କୁମାର ପୁଣି କେବେ ଭୃଙ୍ଗୀଙ୍କ
ସୂକ୍ଷ୍ମତର ଶିଖାର,
ଅଗ୍ର ଆକର୍ଷି ପିତାମାତାଙ୍କୁ
ହର୍ଷ ଦେଲେ ଅପାର ।।
*
(୪୫)
ପିତାଙ୍କ ଅଙ୍କେ ବସି ନିଜର
ଶୈଶବ-ଚାପଲ୍ୟରେ,
କଣ୍ଠରେ ସ୍ଥିତ ସର୍ପର ମୁଖ
ଧୀରେ ମେଲାଇ କରେ ।
ଦନ୍ତରାଜିକି ଏକ ନବ ଦ୍ବି
ଦଶ ପଞ୍ଚ ସପତ,
ବୋଲି ଗଣନା କରୁଥିଲେ ସେ
ନ ହୋଇ ତିଳେ ଭୀତ ।।
*
(୪୬)
ଶିବଙ୍କ କଣ୍ଠେ ଲମ୍ବିତ ମୁଣ୍ଡ-
ମାଳ-ମୁଖ-କୋଟରେ,
ଅଙ୍ଗୁଳି ନିଜ ପୂରାଇ ଶିଶୁ
କୁମାର କୌତୁକରେ ।
ତହିଁର ଦନ୍ତ- ପନ୍ତିକି ମୁକ୍ତା
ଫଳର ଭ୍ରମବଶେ,
କାଢ଼ି ଆଣିବା ଲାଗି ଯତନ
କରୁଥିଲେ ରଭସେ ।।
*
(୪୭)
କେବେ ଶିବଙ୍କ ଶିର-ବାହିନୀ
ଗଙ୍ଗାନଦୀ-ବୀଚିରେ,
ଆପଣା କର- ପଦ୍ମ ବୁଡ଼ାଇ
ଦେଉଥିଲେ ଅଧୀରେ ।
ଅତ୍ୟନ୍ତ ଶୀତ ଯୋଗୁଁ ବାହାର
କରି ସେ ପିତାଙ୍କର,
ଭାଲ-ନୟନ- ଅନଳେ ଉଷ୍ଣ
କରୁଥିଲେ ସତ୍ବର ।।
*
(୪୮)
ଶିବଙ୍କ କାନ୍ଧ ନଇଁଲେ କେବେ
ଜଟାଜୂଟ ଭାରରେ,
ସେହି ସମୟେ କୁମାର ମୁଦେ
ଜଟାଜୂଟ ସଙ୍ଗରେ ।
ଅଧୋଭାଗରେ ଅବଲମ୍ବିତ
ଚନ୍ଦ୍ରମାକୁ ଅତ୍ୟନ୍ତ,
କୌତୁକେ ଚୁମ୍ବୁ- ଥିଲେ ଆନନ୍ଦେ
ବହୁବେଳ ପର୍ଯ୍ୟନ୍ତ ।।
*
(୪୯)
ଏପରି ଦିବ୍ୟ ଅପୂର୍ବ ସୁତ
କୁମାରଙ୍କ ମୋହନ,
ଶୈଶବ କେଳି- ବିନୋଦ ରସେ
ମଜ୍ଜାଇ ନିଜ ମନ ।
ଇନ୍ଦୁଶେଖର ସଙ୍ଗତେ ସଦା
ନଗରାଜ-ନନ୍ଦିନୀ,
ଜାଣି ପାରିଲେ ନାହିଁ ବିତିଲା
ବାସର କି ଯାମିନୀ ।
*
(୫୦)
ଏରୂପେ ବହୁ ପ୍ରକାର ବାଲ୍ୟ
କେଳି ବୈଚିତ୍ର୍ୟମୟ,
ଲାଳିତ୍ୟଭରା ଆନନ୍ଦଦାୟୀ
ଅତୀବ ରମଣୀୟ ।
ଚରିତମାନ ଆଚରି ଶିବ-
ଶିବାଙ୍କର ନନ୍ଦନ,
ଲଭିଲେ ଷଷ୍ଠ ଦିନେ ଉତ୍ତମ
ବୁଦ୍ଧି ନବଯୌବନ ।
ଆହୁରି ସର୍ବ ଶାସ୍ତ୍ର ସଙ୍ଗତେ
ଶସ୍ତ୍ରବିଦ୍ୟାର ଜ୍ଞାନ,
ଶିକ୍ଷା କରି ସେ ହେଲେ ପ୍ରବୀଣ
ଅତ୍ୟନ୍ତ ଦୀପ୍ତିମାନ ।।
*
(୫୧)
(ଅନୁବାଦକୀୟ ଉପସଂହାର)
*
ଖ୍ୟାତ କୁମାର- ସମ୍ଭବ କାବ୍ୟ
କାଳିଦାସଙ୍କ କୃତି,
ହୋଇଲା ସର୍ଗ ଏକାଦଶ ଏ
ପଚାଶ ପଦେ ଇତି ।
କାର୍ତ୍ତିକେୟଙ୍କ ମଧୁର ବାଲ୍ୟ
କେଳିରସ ବର୍ଣ୍ଣିତ ।
ଓଡ଼ିଆ ପଦ୍ୟ ଶ୍ରୀହରେକୃଷ୍ଣ
ମେହେର-ବିରଚିତ ।।
=======
No comments:
Post a Comment