Thursday, October 22, 2026

ସ୍ୱଭାବକବି ଗଙ୍ଗାଧର ସ୍ମରଣେ (ଓଡ଼ିଆ କବିତା): ଡକ୍ଟର୍ ହରେକୃଷ୍ଣ ମେହେର | Swabhavakavi Gangadhara Smarane (Odia Poem) By Dr.Harekrishna Meher

Swabhavakavi Gangadhara Smarane * (Odia Poem) 

By Dr. Harekrishna Meher 

--------

* स्वभावकवि गङ्गाधर स्मरणे *
(ओड़िआ कविता)
रचयिता : डॉ. हरेकृष्ण मेहेर 
=====

* ସ୍ବଭାବକବି ଗଙ୍ଗାଧର ସ୍ମରଣେ *
(ଓଡ଼ିଆ କବିତା) 
ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର 
(ରାଗ - ଚୋଖି)
=========
ହେ ସ୍ୱଭାବ-କବିବର !
ଘେନି ମର କଳେବର,
ଜନ୍ମିଲ ପ୍ରିୟ ସନ୍ତାନ
                 ଭାରତୀଙ୍କର ।
ଜାତିର ହିତ ସକାଶେ
ଓଡ଼ିଆ-ସାହିତ୍ୟାକାଶେ
ବିହରି କାବ୍ୟ-ପ୍ରକାଶେ 
                ହେଲ ଭାସ୍ବର ।
ସାରସ୍ୱତ ସାଧନା ଫଳେ,
ଅଜ୍ଞାନ-ତିମିରହାରୀ ହେଲ ଭୂତଳେ ।। (୧)

ବିକାଶି ଶୁଭ୍ର କୀରତି
ତୁମରି  ପ୍ରିୟ ଭାରତୀ 
ଜନ-ମନରେ ପୀରତି
                 ଜନମ କରେ ।
ପୂର୍ବେ କି ତପୋବରତ
ଆଚରଣେ ହେଲ ରତ,
ଅବତରିଲ  ଭାରତ-
                ବର୍ଷେ ବିଶ୍ୱରେ ।
ପୂର୍ଣ୍ଣ ହେଲା ଦିବ୍ୟ ବାସନା,
କୃପା ବିତରିଲେ ବାଣୀ କମଳାସନା ।। (୨)

ସ୍ମରେ ଇନ୍ଦୁମତୀ-ଗୁଣ 
ଅଜ ନରେଶ ତରୁଣ,
ଭାବ-ଆବେଗେ କରୁଣ
                  ରସ ଝରଇ ।
କଣ୍ବ-ଲାଳିତା ନନ୍ଦିନୀ
ତପୋବନ-ବିନୋଦିନୀ                                    ଦୁଷ୍ମନ୍ତ-ପ୍ରୀତି-ବନ୍ଦିନୀ 
                 ହୋଇ ଝୁରଇ ।
ତପସ୍ୱିନୀ ଜାନକୀ ରହେ,
ବାଲ୍ମୀକି-ଆଶ୍ରମ ଆଶ୍ରି ରାମ-ବିରହେ ।। (୩)

ନୀଚକର୍ମେ ଦେଇ ମତି
କୀଚକ  ଭଜେ ଦୁର୍ଗତି,
ଉତ୍କଳ-ଲକ୍ଷ୍ମୀ  ସମ୍ପ୍ରତି 
              ଝୁରେ ବାସ୍ତବେ ।
ବିତରିଲ ଅର୍ଘ୍ୟଥାଳୀ
ମହିମାର ଦୀପ ଜାଳି,
ଗୌତମ-ଶାପ ପ୍ରକ୍ଷାଳି 
              ଅହଲ୍ୟାସ୍ତବେ ।
କବିତା-କଲ୍ଲୋଳେ ପ୍ରକୃତି,
ପୁଲକିତ କଲ ବର୍ଣ୍ଣି ସୁକାବ୍ୟକୃତି ।। (୪)

ଏଡ଼ାଇ  ବିଘ୍ନ-ପରବ
ବଢ଼ାଇ ମାତୃ-ଗୌରବ
ଭାବେ ମୋହିଲ ସରବ
                 ଜନ-ହୃଦୟ । 
ଈଶ୍ୱରେ ଦେଲ ଅକ୍ଷୟ 
ପବିତ୍ର ଭକ୍ତି ତନ୍ମୟ,
ବିଶ୍ୱ ହେଲା ମଧୁମୟ
                ଅମୃତମୟ ।
ପ୍ରକୃତିର ପ୍ରିୟ ପୂଜାରୀ,
କଲ ଭାରତୀ-ଭାବନା ଭାରତେ ଜାରି ।। (୫)

ତବ ସ୍ୱର୍ଗୀୟ ସରସ
ଲେଖନୀରୂପ ପରଶ-
ମଣିରେ ତ ଆଦରଶ
                ରତ୍ନ ରଚିଲ ।
ସହୃଦୟ-ହୃଦଗତେ
କାଳେ କାଳେ ଏ ଜଗତେ 
କବିତା-ସୁଧା ସଙ୍ଗତେ
                ଯଶ ସଞ୍ଚିଲ ।‌ 
ଓଡ଼ିଶାର ଯୋଗ୍ୟ କୁମର,
ନମସ୍ୟ ଅମର ସଦା ନାମ ତୁମର ।। (୬)
======
(ରଚନା : ତା: ୯-୬-୧୯୭୩)
====== 

'କବିତାବଳୀ-ମାଧୁରୀ' (କବିତା ସଙ୍କଳନ)ର ଅନ୍ତର୍ଗତ * 
Included in "KAVITAVALI-MADHURI"
(Anthology of Odia Poems)
By Dr. Harekrishna Meher
*
Link : Kavitavali-Madhuri :
କବିତାବଳୀ-ମାଧୁରୀ (କବିତା ସଙ୍କଳନ) :  https://hkmeher.blogspot.com/2026/04/l-kavitavali-anthology-of-odia-poems-by.html 

***
ସ୍ବଭାବକବି ଗଙ୍ଗାଧର ସ୍ମରଣେ (କବିତା) :
https://hkmeher.blogspot.com/2026/10/swabhavakavi-gangadhara-smarane-odia_01712066873.html 

*****

ଶ୍ରୀଜଗନ୍ନାଥ (ଓଡ଼ିଆ କବିତା): ଡକ୍ଟର୍ ହରେକୃଷ୍ଣ ମେହେର | SriJagannatha (Odia Poem) By Dr. Harekrishna Meher

SriJagannatha (Odia Poem) By Dr. Harekrishna Meher
•••••••

श्रीजगन्नाथ (ओड़िआ कविता)
रचयिता : डॉ. हरेकृष्ण मेहेर 
•••••••

* ଶ୍ରୀଜଗନ୍ନାଥ * (ଓଡ଼ିଆ କବିତା)
ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର
==========
ନୀଳକନ୍ଦର-ବିହାରୀ ହେ ଦାରୁଦେବତା ! 
ଉତ୍କଳ-ଭୂମିମଣ୍ଡନ  ବ୍ରହ୍ମାଣ୍ଡ-କରତା ।
ପତିତପାବନ ଭାବଗ୍ରାହୀ ଆର୍ତ୍ତତ୍ରାଣ,
ଜଗନ୍ନାଥ ଅଗତିର  ଗତି ବିଶ୍ଵପ୍ରାଣ ।
ଅଧର୍ମ-ବିନାଶ ତଥା
ଧର୍ମରକ୍ଷା ଅର୍ଥେ ଜଗତର, 
ଯୁଗେ ଯୁଗେ ମର୍ତ୍ତ୍ୟେ ତୁମେ‌
ବହୁବିଧ ରୂପେ ଅବତର ।।

ତୁମେ ଉପନିଷତ୍-ପ୍ରତିପାଦିତ ପୁରୁଷ,
ମହାନ୍ ଆନ କେହି ନାହିଁ ତୁମରି ସଦୃଶ । 
ଅପାଣିପାଦ ଇନ୍ଦ୍ରିୟାତୀତ ତୁମେ
ଇନ୍ଦ୍ରିୟ-ବିହୀନ,
ସଗୁଣ ନିର୍ଗୁଣ ପୁଣି ତୁମଠାରେ
ସକଳ ବିଲୀନ ।
ଅବିନାଶୀ ପରମାତ୍ମା ଅନାଦି ଈଶ୍ୱର,
ଅନ୍ତର୍ଯ୍ୟାମୀ ନିୟନ୍ତା ଏ ଅଶେଷ ବିଶ୍ୱର ।।

ତୁମେ ଚୈତନ୍ୟଙ୍କ କୃଷ୍ଣ, ତୁଳସୀଙ୍କ ରାମ,
ଅଗମ୍ୟ ତବ ମହିମା, ତୁମେ ସର୍ବନାମ ।
ତ୍ରିମୂର୍ତ୍ତି ତୁମେ ତ୍ରିତାପୁଁ  ଏ ଭବ ଉଦ୍ଧର,                   ତ୍ରିରତ୍ନ ତୁମେ ଜୈନର  ଅବା ବଉଦ୍ଧର ।

ଅଥବା ସତ୍ତ୍ୱ ରଜ ତମ,
ପ୍ରକୃତି ପୁରୁଷ ପରମ ।
ତୁମେ ବ୍ରହ୍ମା ବିଷ୍ଣୁ ଅନନ୍ତ,
ତୁମେ ଅରୂପ ରୂପବନ୍ତ ।
ବୈଷ୍ଣବ ସଙ୍ଗତେ ଶୈବ ଶାକ୍ତ ଗାଣପତ୍ୟ,
ଆଦି ସର୍ବ ତୁମଠାରେ ଲୀନ,
ତୁମେ ସତ୍ୟ ।
ସର୍ବଧର୍ମର ସମନ୍ୱୟ,
ଅଟ ପ୍ରଭୁ ବୈଚିତ୍ର୍ୟମୟ ।।‌

ବିଶ୍ୱମୈତ୍ରୀ ଶାଶ୍ୱତିକ ଐକ୍ୟର ପ୍ରତୀକ,
ସ୍ୱରୂପ ତୁମ ଅଦ୍ଭୁତ  ଦିବ୍ୟ ଅଲୌକିକ । 
ମଙ୍ଗଳମୟ, ବାରକ ବିବିଧ ବାଧାର,
ଜଙ୍ଗମ ସ୍ଥାବର ସର୍ବଭୂତର ଆଧାର ।
ପୃଥିବୀ-ପ୍ରଥିତ ତୁମ ଗୁଣଗାଥାମାନ,
କଳିକାଳେ ଓଡ଼ିଶାରେ ତୁମେ ଦୀପ୍ୟମାନ ।‌
ବସି ରହିଅଛ ପ୍ରଭୁ ମୌନେ ଶିରୀକ୍ଷେତ୍ରେ,
ବିସ୍ଫାରିତ ନିର୍ନିମେଷ ରମ୍ୟ ଚକାନେତ୍ରେ ।।

ଦେଖୁଛ ତ ଦୁନିଆଁର
ଆଜି କେତେ ଦୁଃଖ ଦୈନ୍ୟ ଦାଉ,
କେବେ ହରିବ ହରି ହେ ! 
କେତେ ଦିନ ମୌନ ଥିବ ଆଉ ?
=====

(ରଚନା : ତା: ୬-୬-୧୯୮୫) 
===== 

'କବିତାବଳୀ-ମାଧୁରୀ' (କବିତା ସଙ୍କଳନ)ର ଅନ୍ତର୍ଗତ *
Included in "KAVITAVALI-MADHURI"
(Anthology of Odia Poems)
By: Dr.Harekrishna Meher 
*
Link : Kavitavali-Madhuri : କବିତାବଳୀ-ମାଧୁରୀ (କବିତା ସଙ୍କଳନ) :
https://hkmeher.blogspot.com/2026/04/l-kavitavali-anthology-of-odia-poems-by.html
***
ଶ୍ରୀଜଗନ୍ନାଥ (କବିତା) : 

https://hkmeher.blogspot.com/2026/10/srijagannatha-odia-poem-by-dr.html 

***** 

ନୀର ଓ ସମୀର (ଓଡ଼ିଆ କବିତା): Nira O Samira (Odia Poem) by Dr. Harekrishna Meher

Nira O Samira (Odia Poem) by Dr. Harekrishna Meher 
**** 

नीर ओ समीर (ओड़िआ कविता) 
रचयिता : डॉ. हरेकृष्ण मेहेर 
====

* ନୀର ଓ ସମୀର * 
(ଓଡ଼ିଆ କବିତା)
ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର 
========== 
ସବୁରି ପ୍ରାଣ-ଧାରଣ  ନିମନ୍ତେ ନିଶ୍ଚିତ
ତୁମେ ଅଟ ବିନ୍ଦୁରୂପ ସଲିଳ ! ଜୀବନ ! 
ତୁମ ବିନା ଧରାରେ କେ  ରହିବ ଜୀବିତ, 
ସବୁ ରସ ମଧ୍ୟେ ତୁମେ  ରଚିଛ ଭବନ ।। (୧) 

ହେ ସମୀର ! ତୁମେ ମଧ୍ୟ  ପ୍ରାଣରୂପ ଅଟ, 
ତୁମ ବିନା ମୁହୂର୍ତ୍ତକ  ପାରିବ କେ ରହି ? 
ଜୀବନରୂପେ ଆବୋରି  ଅଛ ସର୍ବଘଟ,
ତୁମ ବିହୀନେ ନିର୍ଜନ  ହେବ ସାରା ମହୀ ।। (୨) 

ଦ୍ରୁମ-ଲତା ଚରାଚର  ସମସ୍ତ ପରାଣୀ 
ତୁମରି ସହାୟେ ନୀର ! ଅଛନ୍ତି ସଂସାରେ । 
ରବି-କର ତୁମ ସର୍ବ  ଗୁଣ ଶୋଷି ଆଣି 
ବାରିଦ ରୂପରେ ଶାନ୍ତି  ଦିଏ ବରଷାରେ ।। (୩) 

ଗନ୍ଧବହ ! ଦୂର ଦେଶୁଁ  ଶୁଦ୍ଧ ସୁମହକ 
ବହି ଆଣ ଆମ ଦେଶେ  ବିକାଶି ସୁମନ । 
ସକଳ ହୃଦୟେ ସୁଖେ  ଜଗାଅ ପୁଲକ 
ହିଲ୍ଲୋଳେ ଉଡ଼ାଅ ଦେଶ-ବିଜୟ କେତନ ।। (୪) 

ହେ ନୀର ! ଏ ଅବନୀର  ସର୍ବ ଜୀବଜନ୍ତୁ 
ଆଶ୍ରିତ ସନ୍ତତ ତୁମ  ନିକଟେ ନିକର । 
ଯୁଗେ ଯୁଗେ ସର୍ବେ ସଦା  ପ୍ରମୋଦେ ରହନ୍ତୁ 
ଜୀବନ-ପୋଷଣେ ତୁମେ  ପ୍ରିୟ-ହିତକର ।। (୫) 

ବିହାୟସେ ମେଘମାଳ  ପଛେ ଅନୁସରି 
ଇତସ୍ତତଃ ଚାଳି ତାକୁ  କରାଅ ଭ୍ରମଣ । 
ଚଣ୍ଡ ପ୍ରଭଞ୍ଜନ ରୂପେ  ଭୀମ ମୂର୍ତ୍ତି ଧରି,
ଧ୍ୱଂସ କରିପାର ବିଶ୍ୱ  ଆହେ ସମୀରଣ !  ।। (୬) 

ଜଳ ହେ ! ଧରମ ତୁମ  ନିମ୍ନକୁ ଗମନ,
କେ ତାହା ଟାଳିବା ପାଇଁ  ନୁହଇ ସମର୍ଥ । 
ପ୍ରଳୟ ରୂପେ ସକଳ  ଜଗତ ଜୀବନ,
ବିନାଶ କରଣେ ତୁମ  ଶକତି ଅବ୍ୟର୍ଥ ।। (୭) 

ବହ୍ନି-ମିତ୍ର ସାଜି ବାୟୁ !  ବନ-ପ୍ରଦେଶରେ 
ପ୍ରଜ୍ୱଳିତ କର ତାକୁ  ଉତ୍ତୁଙ୍ଗ ଶିଖାରେ । 
ମାତ୍ର କ୍ଷୁଦ୍ର ଦୀପଟିଏ  ଥିଲେ ଭୂମି ପରେ‌ 
ନିର୍ବାପିତ କର ତାକୁ  କହ କି ପ୍ରକାରେ ? ।। (୮) 

ନିରିମଳ ଜଳ ବାୟୁ  ଉଭୟେ ପାବନ,
ତୁମ ସ୍ଥିତି କରେ ସର୍ବ  କଲ୍ୟାଣ ସାଧନ । 
ତୁମ ବିନା କେବା ରଖି ପାରିବ ଜୀବନ ? 
କେ କରିପାରିବ ତବ ଗୁଣର ଗଣନ ? ।। (୯) 

ନୀର ! ସମୀର !  ଯୁଗଳ  ମିଳି ପରସ୍ପର 
ସହାୟକ ହୋଇଥାଅ  ବିଶ୍ୱର ରକ୍ଷଣେ । 
ଜନ ଉପକାର ଲାଗି  ତୁମେ ନିରନ୍ତର 
ଶିଖାଅ ତବ ସୁଗୁଣ  ସୁମଙ୍ଗଳ କ୍ଷଣେ ।। (୧୦)  

ଈଶ୍ୱର ସୃଷ୍ଟିର ତୁମେ  ଅମୃତ ରଚନା,
ଦେଶେ ଦେଶେ ଚିରକାଳ  ସ୍ୱଚ୍ଛନ୍ଦେ ବିହରି । 
ଶୁଭପ୍ରଦ ହୋଇ ସଦା  ଲଭ ଅରଚନା,
ଖେଳାଅ ଜନ-ଅନ୍ତରେ  ଶାନ୍ତିର ଲହରୀ ।। (୧୧) 
==== 
(ରଚନା : ତା: ୪-୧୨-୧୯୭୨) 
==== 

'କବିତାବଳୀ-ମାଧୁରୀ' (କବିତା ସଙ୍କଳନ)ର ଅନ୍ତର୍ଗତ * Included in "KAVITAVALI-MADHURI"(Anthology of Odia Poems) By Dr. Harekrishna Meher :  
Link : Kavitavali-Madhuri : କବିତାବଳୀ-ମାଧୁରୀ : https://hkmeher.blogspot.com/2026/04/l-kavitavali-anthology-of-odia-poems-by.html 

***
ନୀର ଓ ସମୀର (କବିତା) :

https://hkmeher.blogspot.com/2026/10/nira-o-samira-odia-poem-by-dr.html 

***** 


Tuesday, October 20, 2026

ବିଚିତ୍ରତା (ଓଡ଼ିଆ କବିତା): ଡକ୍ଟର୍ ହରେକୃଷ୍ଣ ମେହେର : Bichitrata (Strangeness) Odia Poem By Dr. Harekrishna Meher

Bichitrata (Strangeness)
Odia Poem By : Dr. Harekrishna Meher
••••••••••

          विचित्रता (ओड़िआ कविता) 
          रचयिता : डॉ. हरेकृष्ण मेहेर
                  ======

            * ବିଚିତ୍ରତା *
       
     (ଓଡ଼ିଆ କବିତା) 
  ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର
               •••••••••••••
         ବିସ୍ମୟଭରା ଏ ଘଟଣା, 
       ନାହିଁ ଏଥି କିଛି କଟକଣା ।
କେତେ କେତେ ରଥୀ      ମଣିଷ ହେଲେଣି
        ଦୁର୍ଗମ ଏଇ ପଥେ ବଣା ।
        ବିସ୍ମୟଭରା ଏ ଘଟଣା ।। (୧)

      ସ୍ରଷ୍ଟାର ଏ କି କାରିଗରୀ,
      ଅନୁଭବୀ-ହୃଦେ ଭାବ ଭରି,
ଜଗାଏ ନିତ୍ୟ               ପରମାନନ୍ଦ
       ଅନ୍ତରେ ସବୁ ବୁଝାମଣା ।
        ବିସ୍ମୟଭରା ଏ ଘଟଣା ।। (୨)

      ସଂସାର ଏ ତ ବିଷମୟ,
     କାହା ଲାଗି ପୁଣି ସୁସମୟ ।
ପୀୟୂଷ-ସିକ୍ତ       ରସପାନ-ଭୋଳେ
     ବିରାଟ ବୋଲି କେ ହୁଏ ଗଣା ।
         ବିସ୍ମୟଭରା ଏ ଘଟଣା ।। (୩) 

        ଧନ୍ୟ ଏ ଲୀଳା ଦୁନିଆର,
        ସାର ସଙ୍ଗତେ କେ ଅସାର ।
ସୁଖ ବୋଲି ଯାହା    କଥିତ ତା ସତେ
        ବିଷ-ମିଶ୍ରିତ ସୁଧାପଣା ।
         ବିସ୍ମୟଭରା ଏ ଘଟଣା ।। (୪)

     କାହା ଇଙ୍ଗିତେ କଥା ଏତେ,
    ମାନସେ ଭାବନା ଜାଗେ କେତେ ।
ପ୍ରଶ୍ନବାଚୀର              ସମାଧାନ ପରା
      ଆଜିଯାଏ ପଡ଼ି ନାହିଁ ଜଣା । 
       ବିସ୍ମୟଭରା ଏ ଘଟଣା ।। (୫)
                   =====

(ରଚନା : ତା: ୨-୨-୧୯୮୨, ବରଗଡ଼)
                   =====

'କବିତାବଳୀ-ମାଧୁରୀ' (କବିତା ସଙ୍କଳନ)ର ଅନ୍ତର୍ଗତ *

Included in "KAVITAVALI-MADHURI"
(Anthology of Odia Poems)

By Dr. Harekrishna Meher 
*

Link : Kavitavali-Madhuri : କବିତାବଳୀ-ମାଧୁରୀ (କବିତା ସଙ୍କଳନ) :  https://hkmeher.blogspot.com/2026/04/l-kavitavali-anthology-of-odia-poems-by.html 

*** 

ବିଚିତ୍ରତା (କବିତା) : 
https://hkmeher.blogspot.com/2026/10/bichitrata-strangeness-odia-poem-by-dr.html 

******