Thursday, October 22, 2026

ନୀର ଓ ସମୀର (ଓଡ଼ିଆ କବିତା): Nira O Samira (Odia Poem) by Dr. Harekrishna Meher

Nira O Samira (Odia Poem) by Dr. Harekrishna Meher 
**** 

नीर ओ समीर (ओड़िआ कविता) 
रचयिता : डॉ. हरेकृष्ण मेहेर 
====

* ନୀର ଓ ସମୀର * 
(ଓଡ଼ିଆ କବିତା)
ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର 
========== 
ସବୁରି ପ୍ରାଣ-ଧାରଣ  ନିମନ୍ତେ ନିଶ୍ଚିତ
ତୁମେ ଅଟ ବିନ୍ଦୁରୂପ ସଲିଳ ! ଜୀବନ ! 
ତୁମ ବିନା ଧରାରେ କେ  ରହିବ ଜୀବିତ, 
ସବୁ ରସ ମଧ୍ୟେ ତୁମେ  ରଚିଛ ଭବନ ।। (୧) 

ହେ ସମୀର ! ତୁମେ ମଧ୍ୟ  ପ୍ରାଣରୂପ ଅଟ, 
ତୁମ ବିନା ମୁହୂର୍ତ୍ତକ  ପାରିବ କେ ରହି ? 
ଜୀବନରୂପେ ଆବୋରି  ଅଛ ସର୍ବଘଟ,
ତୁମ ବିହୀନେ ନିର୍ଜନ  ହେବ ସାରା ମହୀ ।। (୨) 

ଦ୍ରୁମ-ଲତା ଚରାଚର  ସମସ୍ତ ପରାଣୀ 
ତୁମରି ସହାୟେ ନୀର ! ଅଛନ୍ତି ସଂସାରେ । 
ରବି-କର ତୁମ ସର୍ବ  ଗୁଣ ଶୋଷି ଆଣି 
ବାରିଦ ରୂପରେ ଶାନ୍ତି  ଦିଏ ବରଷାରେ ।। (୩) 

ଗନ୍ଧବହ ! ଦୂର ଦେଶୁଁ  ଶୁଦ୍ଧ ସୁମହକ 
ବହି ଆଣ ଆମ ଦେଶେ  ବିକାଶି ସୁମନ । 
ସକଳ ହୃଦୟେ ସୁଖେ  ଜଗାଅ ପୁଲକ 
ହିଲ୍ଲୋଳେ ଉଡ଼ାଅ ଦେଶ-ବିଜୟ କେତନ ।। (୪) 

ହେ ନୀର ! ଏ ଅବନୀର  ସର୍ବ ଜୀବଜନ୍ତୁ 
ଆଶ୍ରିତ ସନ୍ତତ ତୁମ  ନିକଟେ ନିକର । 
ଯୁଗେ ଯୁଗେ ସର୍ବେ ସଦା  ପ୍ରମୋଦେ ରହନ୍ତୁ 
ଜୀବନ-ପୋଷଣେ ତୁମେ  ପ୍ରିୟ-ହିତକର ।। (୫) 

ବିହାୟସେ ମେଘମାଳ  ପଛେ ଅନୁସରି 
ଇତସ୍ତତଃ ଚାଳି ତାକୁ  କରାଅ ଭ୍ରମଣ । 
ଚଣ୍ଡ ପ୍ରଭଞ୍ଜନ ରୂପେ  ଭୀମ ମୂର୍ତ୍ତି ଧରି,
ଧ୍ୱଂସ କରିପାର ବିଶ୍ୱ  ଆହେ ସମୀରଣ !  ।। (୬) 

ଜଳ ହେ ! ଧରମ ତୁମ  ନିମ୍ନକୁ ଗମନ,
କେ ତାହା ଟାଳିବା ପାଇଁ  ନୁହଇ ସମର୍ଥ । 
ପ୍ରଳୟ ରୂପେ ସକଳ  ଜଗତ ଜୀବନ,
ବିନାଶ କରଣେ ତୁମ  ଶକତି ଅବ୍ୟର୍ଥ ।। (୭) 

ବହ୍ନି-ମିତ୍ର ସାଜି ବାୟୁ !  ବନ-ପ୍ରଦେଶରେ 
ପ୍ରଜ୍ୱଳିତ କର ତାକୁ  ଉତ୍ତୁଙ୍ଗ ଶିଖାରେ । 
ମାତ୍ର କ୍ଷୁଦ୍ର ଦୀପଟିଏ  ଥିଲେ ଭୂମି ପରେ‌ 
ନିର୍ବାପିତ କର ତାକୁ  କହ କି ପ୍ରକାରେ ? ।। (୮) 

ନିରିମଳ ଜଳ ବାୟୁ  ଉଭୟେ ପାବନ,
ତୁମ ସ୍ଥିତି କରେ ସର୍ବ  କଲ୍ୟାଣ ସାଧନ । 
ତୁମ ବିନା କେବା ରଖି ପାରିବ ଜୀବନ ? 
କେ କରିପାରିବ ତବ ଗୁଣର ଗଣନ ? ।। (୯) 

ନୀର ! ସମୀର !  ଯୁଗଳ  ମିଳି ପରସ୍ପର 
ସହାୟକ ହୋଇଥାଅ  ବିଶ୍ୱର ରକ୍ଷଣେ । 
ଜନ ଉପକାର ଲାଗି  ତୁମେ ନିରନ୍ତର 
ଶିଖାଅ ତବ ସୁଗୁଣ  ସୁମଙ୍ଗଳ କ୍ଷଣେ ।। (୧୦)  

ଈଶ୍ୱର ସୃଷ୍ଟିର ତୁମେ  ଅମୃତ ରଚନା,
ଦେଶେ ଦେଶେ ଚିରକାଳ  ସ୍ୱଚ୍ଛନ୍ଦେ ବିହରି । 
ଶୁଭପ୍ରଦ ହୋଇ ସଦା  ଲଭ ଅରଚନା,
ଖେଳାଅ ଜନ-ଅନ୍ତରେ  ଶାନ୍ତିର ଲହରୀ ।। (୧୧) 
==== 
(ରଚନା : ତା: ୪-୧୨-୧୯୭୨) 
==== 

'କବିତାବଳୀ-ମାଧୁରୀ' (କବିତା ସଙ୍କଳନ)ର ଅନ୍ତର୍ଗତ * Included in "KAVITAVALI-MADHURI"(Anthology of Odia Poems) By Dr. Harekrishna Meher :  
Link : Kavitavali-Madhuri : କବିତାବଳୀ-ମାଧୁରୀ : https://hkmeher.blogspot.com/2026/04/l-kavitavali-anthology-of-odia-poems-by.html 

***
ନୀର ଓ ସମୀର (କବିତା) :

https://hkmeher.blogspot.com/2026/10/nira-o-samira-odia-poem-by-dr.html 

***** 


No comments: