SriJagannatha (Odia Poem) By Dr. Harekrishna Meher
•••••••
श्रीजगन्नाथ (ओड़िआ कविता)
रचयिता : डॉ. हरेकृष्ण मेहेर
•••••••
* ଶ୍ରୀଜଗନ୍ନାଥ * (ଓଡ଼ିଆ କବିତା)
ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର
==========
ନୀଳକନ୍ଦର-ବିହାରୀ ହେ ଦାରୁଦେବତା !
ଉତ୍କଳ-ଭୂମିମଣ୍ଡନ ବ୍ରହ୍ମାଣ୍ଡ-କରତା ।
ପତିତପାବନ ଭାବଗ୍ରାହୀ ଆର୍ତ୍ତତ୍ରାଣ,
ଜଗନ୍ନାଥ ଅଗତିର ଗତି ବିଶ୍ଵପ୍ରାଣ ।
ଅଧର୍ମ-ବିନାଶ ତଥା
ଧର୍ମରକ୍ଷା ଅର୍ଥେ ଜଗତର,
ଯୁଗେ ଯୁଗେ ମର୍ତ୍ତ୍ୟେ ତୁମେ
ବହୁବିଧ ରୂପେ ଅବତର ।।
ତୁମେ ଉପନିଷତ୍-ପ୍ରତିପାଦିତ ପୁରୁଷ,
ମହାନ୍ ଆନ କେହି ନାହିଁ ତୁମରି ସଦୃଶ ।
ଅପାଣିପାଦ ଇନ୍ଦ୍ରିୟାତୀତ ତୁମେ
ଇନ୍ଦ୍ରିୟ-ବିହୀନ,
ସଗୁଣ ନିର୍ଗୁଣ ପୁଣି ତୁମଠାରେ
ସକଳ ବିଲୀନ ।
ଅବିନାଶୀ ପରମାତ୍ମା ଅନାଦି ଈଶ୍ୱର,
ଅନ୍ତର୍ଯ୍ୟାମୀ ନିୟନ୍ତା ଏ ଅଶେଷ ବିଶ୍ୱର ।।
ତୁମେ ଚୈତନ୍ୟଙ୍କ କୃଷ୍ଣ, ତୁଳସୀଙ୍କ ରାମ,
ଅଗମ୍ୟ ତବ ମହିମା, ତୁମେ ସର୍ବନାମ ।
ତ୍ରିମୂର୍ତ୍ତି ତୁମେ ତ୍ରିତାପୁଁ ଏ ଭବ ଉଦ୍ଧର, ତ୍ରିରତ୍ନ ତୁମେ ଜୈନର ଅବା ବଉଦ୍ଧର ।
ଅଥବା ସତ୍ତ୍ୱ ରଜ ତମ,
ପ୍ରକୃତି ପୁରୁଷ ପରମ ।
ତୁମେ ବ୍ରହ୍ମା ବିଷ୍ଣୁ ଅନନ୍ତ,
ତୁମେ ଅରୂପ ରୂପବନ୍ତ ।
ବୈଷ୍ଣବ ସଙ୍ଗତେ ଶୈବ ଶାକ୍ତ ଗାଣପତ୍ୟ,
ଆଦି ସର୍ବ ତୁମଠାରେ ଲୀନ,
ତୁମେ ସତ୍ୟ ।
ସର୍ବଧର୍ମର ସମନ୍ୱୟ,
ଅଟ ପ୍ରଭୁ ବୈଚିତ୍ର୍ୟମୟ ।।
ବିଶ୍ୱମୈତ୍ରୀ ଶାଶ୍ୱତିକ ଐକ୍ୟର ପ୍ରତୀକ,
ସ୍ୱରୂପ ତୁମ ଅଦ୍ଭୁତ ଦିବ୍ୟ ଅଲୌକିକ ।
ମଙ୍ଗଳମୟ, ବାରକ ବିବିଧ ବାଧାର,
ଜଙ୍ଗମ ସ୍ଥାବର ସର୍ବଭୂତର ଆଧାର ।
ପୃଥିବୀ-ପ୍ରଥିତ ତୁମ ଗୁଣଗାଥାମାନ,
କଳିକାଳେ ଓଡ଼ିଶାରେ ତୁମେ ଦୀପ୍ୟମାନ ।
ବସି ରହିଅଛ ପ୍ରଭୁ ମୌନେ ଶିରୀକ୍ଷେତ୍ରେ,
ବିସ୍ଫାରିତ ନିର୍ନିମେଷ ରମ୍ୟ ଚକାନେତ୍ରେ ।।
ଦେଖୁଛ ତ ଦୁନିଆଁର
ଆଜି କେତେ ଦୁଃଖ ଦୈନ୍ୟ ଦାଉ,
କେବେ ହରିବ ହରି ହେ !
କେତେ ଦିନ ମୌନ ଥିବ ଆଉ ?
=====
(ରଚନା : ତା: ୬-୬-୧୯୮୫)
=====
'କବିତାବଳୀ-ମାଧୁରୀ' (କବିତା ସଙ୍କଳନ)ର ଅନ୍ତର୍ଗତ *
Included in "KAVITAVALI-MADHURI"
(Anthology of Odia Poems)
By: Dr.Harekrishna Meher
*
Link : Kavitavali-Madhuri : କବିତାବଳୀ-ମାଧୁରୀ (କବିତା ସଙ୍କଳନ) :
https://hkmeher.blogspot.com/2026/04/l-kavitavali-anthology-of-odia-poems-by.html
***
ଶ୍ରୀଜଗନ୍ନାଥ (କବିତା) :
https://hkmeher.blogspot.com/2026/10/srijagannatha-odia-poem-by-dr.html
*****

No comments:
Post a Comment