By : Dr. Harekrishna Meher
= = = = = = = = = = =
Oriya letters have been shown here in Devanagari script)
= = = = = = = = = = =
मणिष ओ काळ (ओड़िआ कविता)
रचना : डक्टर् हरेकृष्ण मेहेर
= = = = = = = = = = = = = = = =
मणिष कहे :
" बञ्चि रहिथिबि एहि पृथिबीरे
य़ेतेक दिबस,
चरितार्थ करिबि मो जीबनर
मधुमय रस ।
असाध्य पारइँ साधि हेले मध्य
अबाध्य मुँ आजि,
निबारिबि दुर्निबार दुःख दैन्य़
बिभीषिका-राजि ॥
अशेष जगते शेष रहिअछि
मरण बरण,
तथापि करिबि मोर शक्तिमते
ज्ञान आहरण ।
मानब मो नब नब बस्तु परे
रहिछि बिश्वास,
लङ्घिबि अलङ्घ्य दुर्ग तेबे य़ाइ
लभिबि आश्वास ॥"
काळ कहे :
“स्रष्टाङ्क बिचित्र सृष्टि
अद्भुत ए धरणी सुन्दर,
उद्धत न होइ य़ोद्धा
कर्म-मार्गे हुअ अग्रसर ।
निज सुकर्म दुष्कर्म
फळ पाइँ तुहि एका दायी,
सुकीर्त्ति अरज मर्त्त्ये
सत्य धर्म न्याय पन्था ध्यायि ॥
बिश्व-प्रीति भाबे तोर
प्रेममय स्वरग ए मही,
पुणि तोर अत्याचारे
नरकर स्रोत य़ाए बहि ।
स्वकरे सर्जुछु केते
ध्वंसकारी नानाबिध ब्याधि,
आपणार जिह्वा छेदि
रचुअछु अकाळ समाधि ॥
निज बश करिपारु
अबश्य तु ए बिश्व संसार,
बर-जीब मानबर
सर्बधर्मे कर्म एका सार ।
पृष्ठा पृष्ठा लेखुथिबु
केते केते नब्य इतिहास,
दृष्टान्त केते अधर्म
धर्म य़ुद्ध शान्ति अश्रु हास ॥
आध्यात्मिक बैज्ञानिक
बहुबिध बिन्यासे पबित्र,
बाहुथिबु कर्ण्णधार
भबार्ण्णबे तो कर्म-बहित्र ।
राजा प्रजा धनी निःस्व
उच्च नीच भेद नाहिँ किछि,
गुणी मानी सबु सम
मो समीपे बिलय भजिछि ॥
मोर एक तन्तु बळे
क्रीड़नक जीबजन्तुमान,
मोहरि गभीर गर्भे
लय लभे सकळ सन्तान ।
बिध्वस्त हेलेहेँ नाना
बिपर्य़्यये बिपुळा पृथिबी,
अक्षय अमर मुहिँ
सर्बग्रासी काळ चिरञ्जीबी ॥
= = = = = = = = = = = =
(Published in “Vyāsanagar”, Vol.-1, March 2005, Vyasanagar, Jajpur Road, Orissa )
= = = = = = = = = = = =
(In Odia Script)
---------
* ମଣିଷ ଓ କାଳ *
(ଓଡ଼ିଆ କବିତା)
ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର
--------
ମଣିଷ କହେ :
"ବଞ୍ଚି ରହିଥିବି ଏହି ପୃଥିବୀରେ
ଯେତେକ ଦିବସ,
ଚରିତାର୍ଥ କରିବି ମୋ ଜୀବନର
ମଧୁମୟ ରସ ।
ଅସାଧ୍ୟ ପାରଇଁ ସାଧି ହେଲେ ମଧ୍ୟ
ଅବାଧ୍ୟ ମୁଁ ଆଜି,
ନିବାରିବି ଦୁର୍ନିବାର ଦୁଃଖ ଦୈନ୍ୟ
ବିଭୀଷିକାରାଜି ।।
ଅଶେଷ ଜଗତେ ଶେଷ ରହିଅଛି
ମରଣ ବରଣ,
ତଥାପି କରିବି ମୋର ଶକ୍ତିମତେ
ଜ୍ଞାନ ଆହରଣ ।
ମାନବ ମୋ ନବ ନବ ବସ୍ତୁପରେ
ରହିଛି ବିଶ୍ବାସ,
ଲଙ୍ଘିବି ଅଲଙ୍ଘ୍ୟ ଦୁର୍ଗ ତେବେ ଯାଇ
ଲଭିବି ଆଶ୍ବାସ ।।"
କାଳ କହେ :
"ସ୍ରଷ୍ଟାଙ୍କ ବିଚିତ୍ର ସୃଷ୍ଟି
ଅଦ୍ଭୁତ ଏ ଧରଣୀ ସୁନ୍ଦର,
ଉଦ୍ଧତ ନ ହୋଇ ଯୋଦ୍ଧା
କର୍ମ-ମାର୍ଗେ ହୁଅ ଅଗ୍ରସର ।
ନିଜ ସୁକର୍ମ କୁକର୍ମ
ଫଳ ପାଇଁ ତୁହି ଏକା ଦାୟୀ,
ସୁକୀର୍ତ୍ତି ଅରଜ ମର୍ତ୍ତ୍ୟେ
ସତ୍ୟ ଧର୍ମ ନ୍ୟାୟ ପନ୍ଥା ଧ୍ୟାୟି ।।
ବିଶ୍ବପ୍ରୀତି ଭାବେ ତୋର
ପ୍ରେମମୟ ସ୍ବରଗ ଏ ମହୀ,
ପୁଣି ତୋର ଅତ୍ୟାଚାରେ
ନରକର ସ୍ରୋତ ଯାଏ ବହି ।
ସ୍ବକରେ ସର୍ଜୁଛୁ କେତେ
ଧ୍ବଂସକାରୀ ନାନାବିଧ ବ୍ୟାଧି,
ଆପଣାର ଜିହ୍ୱା ଛେଦି
ରଚୁଅଛୁ ଅକାଳ ସମାଧି ।।
ନିଜ ବଶ କରିପାରୁ
ଅବଶ୍ୟ ତୁ ଏ ବିଶ୍ବ ସଂସାର,
ବର-ଜୀବ ମାନବର
ସର୍ବଧର୍ମେ କର୍ମ ଏକା ସାର ।
ପୃଷ୍ଠା ପୃଷ୍ଠା ଲେଖୁଥିବୁ
କେତେ କେତେ ନବ୍ୟ ଇତିହାସ,
ଦୃଷ୍ଟାନ୍ତ କେତେ ଅଧର୍ମ
ଧର୍ମ ଯୁଦ୍ଧ ଶାନ୍ତି ଅଶ୍ରୁ ହାସ ।।
ଆଧ୍ୟାତ୍ମିକ ବୈଜ୍ଞାନିକ
ବହୁବିଧ ବିନ୍ୟାସେ ପବିତ୍ର,
ବାହୁଥିବୁ କର୍ଣ୍ଣଧାର
ଭବାର୍ଣ୍ଣବେ ତୋ କର୍ମ-ବହିତ୍ର ।
ରାଜା ପ୍ରଜା ଧନୀ ନିଃସ୍ବ
ଉଚ୍ଚ ନୀଚ ଭେଦ ନାହିଁ କିଛି,
ଗୁଣୀ ମାନୀ ସବୁ ସମ
ମୋ ସମୀପେ ବିଲୟ ଭଜିଛି ।।
ମୋର ଏକ ତନ୍ତୁବଳେ
କ୍ରୀଡ଼ନକ ଜୀବଜନ୍ତୁମାନ,
ମୋହରି ଗଭୀର ଗର୍ଭେ
ଲୟ ଲଭେ ସକଳ ସନ୍ତାନ ।
ବିଧ୍ବସ୍ତ ହେଲେହେଁ ନାନା
ବିପର୍ଯ୍ୟୟେ ବିପୁଳା ପୃଥିବୀ,
ଅକ୍ଷୟ ଅମର ମୁହିଁ
ସର୍ବଗ୍ରାସୀ କାଳ ଚିରଞ୍ଜୀବୀ ।।"
--------
(ଆକାଶବାଣୀ ଭବାନୀପାଟଣା ଦ୍ବାରା ତା: ୨୯-୧-୧୯୯୬ ରେ ପ୍ରସାରିତ ।)
ପ୍ରକାଶିତ : "ବ୍ୟାସନଗର", ସଂଖ୍ୟା-୧, ମାର୍ଚ୍ଚ ୨୦୦୫. ବ୍ୟାସନଗର, ଯାଜପୁର ରୋଡ଼, ଓଡ଼ିଶା
=====
Broadcast by Akashvani 'Bhawanipatna' on 29 January 1996.
------
Included in "KAVITAVALI-MADHURI"
(Anthology of Odia Poems)
By Dr. Harekrishna Meher
*
Link : Kavitavali-Madhuri : କବିତାବଳୀ-ମାଧୁରୀ :
https://hkmeher.blogspot.com/2026/04/l-kavitavali-anthology-of-odia-poems-by.html
****
Manisha O Kaala :
ମଣିଷ ଓ କାଳ (ଓଡ଼ିଆ କବିତା) :
https://hkmeher.blogspot.com/2009/05/oriya-poem-manisha-o-kala-hkmeher.html
=====

No comments:
Post a Comment