Thursday, October 22, 2026

ସ୍ୱଭାବକବି ଗଙ୍ଗାଧର ସ୍ମରଣେ (ଓଡ଼ିଆ କବିତା): ଡକ୍ଟର୍ ହରେକୃଷ୍ଣ ମେହେର | Swabhavakavi Gangadhara Smarane (Odia Poem) By Dr.Harekrishna Meher

Swabhavakavi Gangadhara Smarane * (Odia Poem) 

By Dr. Harekrishna Meher 

--------

* स्वभावकवि गङ्गाधर स्मरणे *
(ओड़िआ कविता)
रचयिता : डॉ. हरेकृष्ण मेहेर 
=====

* ସ୍ବଭାବକବି ଗଙ୍ଗାଧର ସ୍ମରଣେ *
(ଓଡ଼ିଆ କବିତା) 
ରଚୟିତା : ଡକ୍ଟର୍ ହରେକୃଷ୍ଣ ମେହେର 
(ରାଗ - ଚୋଖି)
=========
ହେ ସ୍ୱଭାବ-କବିବର !
ଘେନି ମର କଳେବର,
ଜନ୍ମିଲ ପ୍ରିୟ ସନ୍ତାନ
                 ଭାରତୀଙ୍କର ।
ଜାତିର ହିତ ସକାଶେ
ଓଡ଼ିଆ-ସାହିତ୍ୟାକାଶେ
ବିହରି କାବ୍ୟ-ପ୍ରକାଶେ 
                ହେଲ ଭାସ୍ବର ।
ସାରସ୍ୱତ ସାଧନା ଫଳେ,
ଅଜ୍ଞାନ-ତିମିରହାରୀ ହେଲ ଭୂତଳେ ।। (୧)

ବିକାଶି ଶୁଭ୍ର କୀରତି
ତୁମରି  ପ୍ରିୟ ଭାରତୀ 
ଜନ-ମନରେ ପୀରତି
                 ଜନମ କରେ ।
ପୂର୍ବେ କି ତପୋବରତ
ଆଚରଣେ ହେଲ ରତ,
ଅବତରିଲ  ଭାରତ-
                ବର୍ଷେ ବିଶ୍ୱରେ ।
ପୂର୍ଣ୍ଣ ହେଲା ଦିବ୍ୟ ବାସନା,
କୃପା ବିତରିଲେ ବାଣୀ କମଳାସନା ।। (୨)

ସ୍ମରେ ଇନ୍ଦୁମତୀ-ଗୁଣ 
ଅଜ ନରେଶ ତରୁଣ,
ଭାବ-ଆବେଗେ କରୁଣ
                  ରସ ଝରଇ ।
କଣ୍ବ-ଲାଳିତା ନନ୍ଦିନୀ
ତପୋବନ-ବିନୋଦିନୀ                                    ଦୁଷ୍ମନ୍ତ-ପ୍ରୀତି-ବନ୍ଦିନୀ 
                 ହୋଇ ଝୁରଇ ।
ତପସ୍ୱିନୀ ଜାନକୀ ରହେ,
ବାଲ୍ମୀକି-ଆଶ୍ରମ ଆଶ୍ରି ରାମ-ବିରହେ ।। (୩)

ନୀଚକର୍ମେ ଦେଇ ମତି
କୀଚକ  ଭଜେ ଦୁର୍ଗତି,
ଉତ୍କଳ-ଲକ୍ଷ୍ମୀ  ସମ୍ପ୍ରତି 
              ଝୁରେ ବାସ୍ତବେ ।
ବିତରିଲ ଅର୍ଘ୍ୟଥାଳୀ
ମହିମାର ଦୀପ ଜାଳି,
ଗୌତମ-ଶାପ ପ୍ରକ୍ଷାଳି 
              ଅହଲ୍ୟାସ୍ତବେ ।
କବିତା-କଲ୍ଲୋଳେ ପ୍ରକୃତି,
ପୁଲକିତ କଲ ବର୍ଣ୍ଣି ସୁକାବ୍ୟକୃତି ।। (୪)

ଏଡ଼ାଇ  ବିଘ୍ନ-ପରବ
ବଢ଼ାଇ ମାତୃ-ଗୌରବ
ଭାବେ ମୋହିଲ ସରବ
                 ଜନ-ହୃଦୟ । 
ଈଶ୍ୱରେ ଦେଲ ଅକ୍ଷୟ 
ପବିତ୍ର ଭକ୍ତି ତନ୍ମୟ,
ବିଶ୍ୱ ହେଲା ମଧୁମୟ
                ଅମୃତମୟ ।
ପ୍ରକୃତିର ପ୍ରିୟ ପୂଜାରୀ,
କଲ ଭାରତୀ-ଭାବନା ଭାରତେ ଜାରି ।। (୫)

ତବ ସ୍ୱର୍ଗୀୟ ସରସ
ଲେଖନୀରୂପ ପରଶ-
ମଣିରେ ତ ଆଦରଶ
                ରତ୍ନ ରଚିଲ ।
ସହୃଦୟ-ହୃଦଗତେ
କାଳେ କାଳେ ଏ ଜଗତେ 
କବିତା-ସୁଧା ସଙ୍ଗତେ
                ଯଶ ସଞ୍ଚିଲ ।‌ 
ଓଡ଼ିଶାର ଯୋଗ୍ୟ କୁମର,
ନମସ୍ୟ ଅମର ସଦା ନାମ ତୁମର ।। (୬)
======
(ରଚନା : ତା: ୯-୬-୧୯୭୩)
====== 

'କବିତାବଳୀ-ମାଧୁରୀ' (କବିତା ସଙ୍କଳନ)ର ଅନ୍ତର୍ଗତ * 
Included in "KAVITAVALI-MADHURI"
(Anthology of Odia Poems)
By Dr. Harekrishna Meher
*
Link : Kavitavali-Madhuri :
କବିତାବଳୀ-ମାଧୁରୀ (କବିତା ସଙ୍କଳନ) :  https://hkmeher.blogspot.com/2026/04/l-kavitavali-anthology-of-odia-poems-by.html 

***
ସ୍ବଭାବକବି ଗଙ୍ଗାଧର ସ୍ମରଣେ (କବିତା) :
https://hkmeher.blogspot.com/2026/10/swabhavakavi-gangadhara-smarane-odia_01712066873.html 

*****

No comments: