* କୁମାରସମ୍ଭବ - ଦ୍ବାଦଶ ସର୍ଗ *
ମୂଳ ସଂସ୍କୃତ କାବ୍ୟ : ମହାକବି କାଳିଦାସ
ଓଡ଼ିଆ ପଦ୍ୟାନୁବାଦ : ଡକ୍ଟର୍ ହରେକୃଷ୍ଣ ମେହେର
ବିଷୟ : କୁମାରଙ୍କ ସେନାପତିତ୍ବ ଗ୍ରହଣ
(ରାଗ : ମୁଖାବରୀ)
=======
(୧)
ଏଥୁଅନ୍ତେ ଦୈତ୍ୟ-ଅତ୍ୟାଚାରେ ଦୁଃଖୀ
ଇନ୍ଦ୍ର ଶଚୀଦେବୀ-କାନ୍ତ,
ସର୍ବ ଦେବ ସଙ୍ଗେ ଗଲେ ଶିବ ପାଶେ,
ଯଥା ଚଳଇ ତୃଷାର୍ତ୍ତ ।
ଚାତକ ପକ୍ଷୀ,
ନୀର ଆଶେ ମେଘ ଲକ୍ଷି ।।
*
(୨)
ବ୍ୟୋମପଥ ରୁଦ୍ଧ ଥିଲା ସମୁଦ୍ଧତ
ତାରକାସୁର-ତ୍ରାସରେ,
ମେଘେ ଗୁପ୍ତ ଇନ୍ଦ୍ର ବହୁକଷ୍ଟେ ବ୍ୟୋମୁଁ
ମିଳିଲେ କଇଳାସରେ ।
ଅଦ୍ରି ସେ ପୂତ,
ଶିବ-ଉମା-ପଦ-ଯୁତ ।।
*
(୩)
ଚଳଇ ଗ୍ରୀଷମେ ତୃଷାତୁର ଜନ
ଜଳ ପାଶେ ଯେଉଁପରି,
ମାତଳିଙ୍କ ହସ୍ତ ଅବଲମ୍ବି ତଥା
ମେଘ-ରଥୁଁ ଅବତରି ।
ତ୍ରିଦଶ-ପତି,
ଚଳିଲେ ଶମ୍ଭୁ-ବସତି ।।
*
(୪)
ସ୍ଫଟିକ-ନିର୍ମିତ ପର୍ବତ-ଭୂମିରେ
ପ୍ରତିବିମ୍ବକୁ ନିଜର,
ଏକ ହେଲେ ସୁଦ୍ଧା ଅନେକ ରୂପରେ
ଶଚୀଦେବୀ-ପ୍ରିୟବର ।
ବିଲୋକି ସେ ତ,
ମିଳିଲେ ହର-ନିକେତ ।।
*
(୫)
ସୁବିଚିତ୍ର ମଣି- ଭଙ୍ଗୀରେ ଶୋଭିତ
ଶିବ-ଭବନ-ଦ୍ବାରରେ,
ପହଞ୍ଚିଲେ ଇନ୍ଦ୍ର, ଯହିଁ ପରଚଣ୍ଡ
ସ୍ବର୍ଣ୍ଣଦଣ୍ଡ ଧରି କରେ ।
ନନ୍ଦିକେଶ୍ବର,
ରକ୍ଷକ ଥିଲେ ଦ୍ବାରର ।।
*
(୬)
ନନ୍ଦୀ ତାଙ୍କୁ ଦେଖି ସ୍ବର୍ଣ୍ଣଦଣ୍ଡଗୋଟି
ରଖି ଦୁଆର-କକ୍ଷରେ,
ସମ୍ମାନ ଜଣାଇ ତୋଷିଲେ ତଦନ୍ତେ
ଯାଇ ଶିବ-ସମ୍ମୁଖରେ ।
ଇନ୍ଦ୍ରାଗମନ,
ସୂଚନା ଦେଲେ ବହନ ।।
*
(୭)
ଜଗଦୀଶ୍ବରଙ୍କ ଭୂରୁ-ସଙ୍କେତରେ
ଆଜ୍ଞା ପାଇ ନନ୍ଦୀଶ୍ବର,
ପୁରୋଭାଗେ ଯାଇ ଅମରଗଣଙ୍କ
ସଙ୍ଗେ ଘେନି ପୁରନ୍ଦର ।
ଶିବ-ଭବନେ,
ପହଞ୍ଚାଇଲେ ସୁମନେ ।।
*
(୮)
ରତନ-ଖଚିତ ପୁରେ ନାନାରୂପୀ
ଚଣ୍ଡୀ ଭୃଙ୍ଗ୍ୟାଦି ବହୁତ,
ଗଣରେ ବେଷ୍ଟିତ ଆସନାସୀନ ସେ
ମହେଶଙ୍କୁ ପୁରୁହୂତ ।
ସହସ୍ରାକ୍ଷରେ,
ବିଲୋକିଲେ ପ୍ରତ୍ୟକ୍ଷରେ ।।
*
(୯)
ଊର୍ଦ୍ଧ୍ବଭାଗେ ବଦ୍ଧ, ଦୀପ୍ତିମୟ ମଣି-
ତେଜୋରାଜିରେ ଭାସ୍ବର,
ଶିବ-ଜଟାଜୂଟ ସମୁଜ୍ଜ୍ବଳ-ଧାତୁ-
ପୂର୍ଣ୍ଣ ମେରୁ ପର୍ବତର ।
ଉଚ୍ଚ ଶିଖର,
ପ୍ରାୟେ ଥିଲା ମନୋହର ।।
*
(୧୦)
ଜଟାଜୂଟ-ତଟେ ଉତ୍ତୁଙ୍ଗ-ତରଙ୍ଗ-
ମାଳିନୀ ସୁର-ସରିତା,
ଶାରଦାଭ୍ର-ଶୁଭ୍ର ଫେନ ଦୋହଲାଇ
ଶିବ-କୋଳେ ବିରାଜିତା ।
ଉମାଙ୍କୁ ସତେ,
ହାସ୍ୟ କଲେ ହେଲା ପ୍ରତେ ।।
*
(୧୧)
ମସ୍ତକେ ରାଜିତ ହିମ-ଶୁଭ୍ର ଚନ୍ଦ୍ର-
କିରଣ ସ୍ବର୍ଣ୍ଣଦୀଙ୍କର,
ତରଙ୍ଗରେ ଦୋଳି ବିମ୍ବିତ ହେବାରୁ
ଏକ ରୂପକୁ ଚନ୍ଦ୍ରର ।
କରୁଥିଲା ତ,
ବହୁରୂପେ ପ୍ରତିଭାତ ।।
*
(୧୨)
ଲଲାଟେ ପ୍ରଳୟ- ଅଗ୍ନି ସମ ଦୀପ୍ତ
ପଞ୍ଚଶାୟକ-ଦାହକ,
ତୃତୀୟ ନେତ୍ରର ଚଣ୍ଡ ତେଜୋବଳେ
ସୂର୍ଯ୍ୟ-ଚନ୍ଦ୍ରମା-ରୂପକ ।
ବେନି ନୟନ,
ହେଉଥିଲେ ଅବସନ୍ନ ।।
*
(୧୩)
ବହୁମୂଲ୍ୟ-ରତ୍ନ- ଖଚିତ ଉଭୟ
କୁଣ୍ଡଳ କର୍ଣ୍ଣ-ଯୁଗଳେ,
ବିଚ୍ଛୁରିତ କରୁ ଥିଲେ ଦୀପ୍ତ ଆଭା,
ସତେ ବା କୁଣ୍ଡଳ-ଛଳେ ।
ଚନ୍ଦ୍ର ତପନ,
କରୁଥିଲେ ଶିବାର୍ଚ୍ଚନ ।।
*
(୧୪)
ସୁନୀଳ କଣ୍ଠର ସମୁଜ୍ଜ୍ବଳ ତେଜେ
ଶୋଭୁଥିଲେ କାମ-ଅରି,
ପ୍ରତେ ହେଲା ସତେ ନୀଳମାଣିକ୍ୟର
ଅଣ୍ଡିରା କଣ୍ଠେ ତାଙ୍କରି ।
ପିନ୍ଧାଇଛନ୍ତି,
କୌତୁକରେ ହୈମବତୀ ।।
*
(୧୫)
ଲୟେ ମୃତ ଦେବ- ଦାନବଙ୍କ ଭସ୍ମେ
ଲିପ୍ତ ପାଣ୍ଡୁର ଦେହରେ,
ମହାଗଜ-ଚର୍ମ- ପରିହିତ ଶିବ
ରାଜିଥିଲେ ଏଭାବରେ ।
ଅଭ୍ର-ବେଷ୍ଟିତ,
ହିମାଦ୍ରି ଯଥା ଶୋଭିତ ।।
*
(୧୬)
ହସ୍ତେ ଥିଲା ବ୍ରହ୍ମ- କପାଳର ପାତ୍ର,
ତ୍ରିଶୂଳ ରଣାନ୍ତକାରୀ,
କଣ୍ଠସ୍ଥଳେ ନର- ଅସ୍ଥି ବିଭୂଷିତ,
ଥିଲେହେଁ ଏ ରୂପଧାରୀ ।
ପ୍ରଭୁ ଶଙ୍କର,
ସେବ୍ୟ ଥିଲେ ବିଷ୍ଣୁଙ୍କର ।।
*
(୧୭)
ପୁରାତନୀ ବ୍ରହ୍ମ- କପାଳମାଳା ସେ
ଶିବ-ଶିରସ୍ଥ ଚନ୍ଦ୍ରର,
କ୍ଷରିତ ଅମୃତ- ରସେ ସିକ୍ତ ହୋଇ
ଜୀବନ ଲଭି ଆବର ।
ବେଦ-ପାଠରେ,
ତତ୍ପର ଥିଲା କଣ୍ଠରେ ।।
*
(୧୮)
ନବ-ହେମଲତା- ତୁଲ୍ୟା ପାର୍ବତୀଙ୍କୁ
ଲୀଳାରେ ବୃଷଭପତି,
ସ୍ବକୋଳେ ବସାଇ ବିରାଜିତ ଥିଲେ
ଯେଉଁରୂପେ ଦୀପ୍ତିମତୀ ।
ଶମ୍ପାରେ ଯୁତ,
ଶାରଦ ଶୁଭ୍ର ଜୀମୂତ ।।
*
(୧୯)
ଉଦ୍ଧତ ଅନ୍ଧକ- ପ୍ରାଣନାଶକ ଯେ
ରାକ୍ଷସୀ-ବୈଧବ୍ୟକର,
ସ୍ମର-ଧ୍ବଂସକାରୀ ଅପରେ ଅଗୃହ୍ୟ
ପିନାକ ଧନୁଷବର ।
ଈଶାନଙ୍କର,
କରେ ଥିଲା ମନୋହର ।।
*
(୨୦)
ମହାର୍ଘ-ମାଣିକ୍ୟ- ଯୁକ୍ତ ଭଦ୍ରାସନେ
ଶିବ ଥିଲେ ବିରାଜିତ,
ସ୍ବର୍ଣ୍ଣ-ପାଦପୀଠ ଥିଲା, ବେନି ପାର୍ଶ୍ଵେ
ବିଧୁ-ପ୍ରଭା ସମ ସିତ ।
ଚାମର ଘେନି,
ବିଞ୍ଚୁଥିଲେ ଗଣ ବେନି ।।
*
(୨୧)
କୁମାରଙ୍କ ଅସ୍ତ୍ର- ଶସ୍ତ୍ର-ବିଦ୍ୟାଭ୍ୟାସ
ଦେଖୁଥିଲେ ହର ମୁଦେ,
ଗଣବୃନ୍ଦ ତାଙ୍କୁ ଚାହିଁ ରହିଥିଲେ
ବିସ୍ମୟ ଲଭି ସ୍ବହୃଦେ ।
ଥିଲା ପର୍ବତ,
କୁମାର-ପୂଜନେ ରତ ।।
*
(୨୨)
ଏରୂପେ ପାର୍ବତୀ- ପତିଙ୍କୁ ନିରେଖି
କ୍ଷଣେ ଶଚୀଦେବୀଧବ,
ଚାଞ୍ଚଲ୍ୟ ଲଭିଲେ, ଏପରି ବିପୁଳ
ତେଜୋମୟ ବଇଭବ ।
ଦେଖି ଉଚ୍ଛନ୍ନ,
ନ ହୁଏ ବା କାହା ମନ ।।
*
(୨୩)
ଫୁଲ୍ଲ ଶତପତ୍ର- ସଦୃଶ ସହସ୍ର
ନେତ୍ରେ ଅମର-ରାଜନ,
ଶିବଙ୍କୁ ବିଲୋକି ପୁଲକିତ କାୟେ
ଦିଶିଲେ ତହିଁ ଶୋଭନ ।
ମଞ୍ଜୁ ମଞ୍ଜରୀ-
ପୂର୍ଣ୍ଣ ଆମ୍ର ତରୁ ପରି ।।
*
(୨୪)
ଶିବଙ୍କୁ ସହସ୍ର ନେତ୍ରେ ଚାହିଁ ଇନ୍ଦ୍ର
ଆପଣାକୁ ଅତିଶୟ,
କୃତାର୍ଥ ମଣିଲେ ଆବର ତାଙ୍କର
ତନୁ-ରୋମାଞ୍ଚ ନିଶ୍ଚୟ ।
ପ୍ରିୟାଙ୍କ କ୍ରୋଧ-
ହେତୁ ପରି ହେଲା ବୋଧ ।।
*
(୨୫)
ତହୁଁ ଇନ୍ଦ୍ର ହେମ- ଅଦ୍ରି ସମ ବଳୀ
ଅସ୍ତ୍ର-ଶସ୍ତ୍ର-ସୁସଜ୍ଜିତ,
କୁମାରଙ୍କୁ ଶିବ- ସମୀପେ ନିରେଖି
ଅରାତିକି ପରାଜିତ ।
କରିବା ପାଇଁ,
ହୋଇଲେ ମନେ ଆଶାୟୀ ।।
*
(୨୬)
'ପ୍ରଭୋ ନୀଳକଣ୍ଠ ! ସମ୍ମୁଖେ ଅଛନ୍ତି
ଜାଣି ପ୍ରଣାମାବସର,
ସହସ୍ରାକ୍ଷ ଦେବ-ରାଜ ପ୍ରତୀକ୍ଷାରେ,
ହେ ତ୍ରିନେତ୍ର ମହେଶ୍ୱର !
ତାହାଙ୍କ ଠାରେ,
ପରସନ୍ନ ହୁଅ ବାରେ ।।'
*
(୨୭)
ଏରୂପେ ବଚନ ସେସମୟେ ପ୍ରଭୁ
ଶିବଙ୍କର ସମକ୍ଷରେ,
ପ୍ରକାଶିଲେ ନନ୍ଦୀ ସ୍ବର୍ଣ୍ଣବେତ୍ର ନିଜ
ନିବେଶି ଏକ କକ୍ଷରେ ।
ଅଞ୍ଜଳି କରି,
ଶିବ-କୃପା ବାଞ୍ଛା ଧରି ।।
*
(୨୮)
ତା'ପରେ ତ୍ରିପୁର- ଦାନବାରି ପ୍ରଭୁ
ତ୍ରିଲୋକବନ୍ଦ୍ୟ ତ୍ରିନେତ୍ର,
ବୃନ୍ଦାରକ-ବୃନ୍ଦ- ବନ୍ଦ୍ୟ ସୁରେନ୍ଦ୍ରଙ୍କୁ
ସୁଧାବର୍ଷୀ-ତୁଲ୍ୟ ନେତ୍ର ।
ଚାଳି ସାଦର,
ଅନୁଗ୍ରହ କଲେ ହର ।।
*
(୨୯)
ବିଶ୍ବେ ଏକବନ୍ଦ୍ୟ ଦେବଦେବଙ୍କର
ଅଗ୍ରେ ନୁଆଇଁ ମସ୍ତକ,
ସ୍ବର୍ଗବନ୍ଦ୍ୟ ଇନ୍ଦ୍ର ପ୍ରଣମିଲେ ତାଙ୍କ
କିରୀଟୁଁ ପାରିଜାତକ ।
ପୁଷ୍ପ-ନିକର,
ପତିତ ହେଲା ସତ୍ବର ।।
*
(୩୦)
ନିଖିଳ ଲୋକର ଏକମାତ୍ର ବନ୍ଦ୍ୟ
ମହେଶ୍ଵରଙ୍କୁ ସାଦର,
ଭକ୍ତିରେ ପ୍ରଣାମ ନିବେଦନ କରି
ହୋଇଲେ କୃତାର୍ଥତାର ।
ପରମ ପୂତ,
ପାତ୍ର ନିଜେ ପୁରୁହୂତ ।।
*
(୩୧)
ତା ପରେ ଅପର ଦେବତା ସମସ୍ତ
ପ୍ରମଥ ପ୍ରଭୃତି ଆଗେ,
ମହାଦେବଙ୍କର ପାଦପୀଠ ପାଶେ
ନିଜ ଶିର ଭୂମିଭାଗେ ।
ରଖି କ୍ରମରେ,
ପ୍ରଣମିଲେ ଭକ୍ତିଭରେ ।।
*
(୩୨)
ଶଙ୍କର-ଆଦେଶେ ଏକ ଗଣଦ୍ବାରା
ଆନୀତ ସ୍ବର୍ଣ୍ଣ ଆସନେ,
ସମ୍ମୁଖରେ ବସି ସୁରବୃନ୍ଦପତି
ଆନନ୍ଦିତ ହେଲେ ମନେ ।
ପ୍ରଭୁ-ପ୍ରସାଦ,
ନ ଦିଏ କା' ହୃଦେ ମୋଦ ?
*
(୩୩)
ଦରହାସ- ମୁଖେ ଶଙ୍କର ସରବ
ସୁରଙ୍କୁ କୃପା-ନେତ୍ରରେ,
କ୍ରମରେ ସମ୍ମାନ କରିଲେ, ତଦନ୍ତେ
ସନ୍ତୋଷେ ସର୍ବ ଅମରେ ।
ତାଙ୍କ ପାଶରେ,
ଉପବେଶିଲେ ତୋଷରେ ।।
*
(୩୪)
ରକ୍ଷପତି-ବଳେ ପରାସ୍ତ ହେବାରୁ
ନିସ୍ତେଜ ମ୍ଲାନ-ବଦନ,
କୃତାଞ୍ଜଳି-ଯୁତ ଇନ୍ଦ୍ରାଦି ଦେବଙ୍କୁ
ଅବଲୋକି ତ୍ରିଲୋଚନ ।
କୃପାର୍ଦ୍ର-ଚିତ୍ତେ,
ବୋଇଲେ ଗିର ଏମନ୍ତେ ।।
*
(୩୫)
'ଆହା ! ଦେବଗଣ ! ଅମିତ-ବିକ୍ରମ
ତୁମ୍ଭେ ବୀର-ଶସ୍ତ୍ରଧର,
ତୁଷାର-ପତନେ ପଦ୍ମ ପରି କେହ୍ନେ
ମୁଖ ତୁମ୍ଭମାନଙ୍କର ।
ତେଜୋବିହୀନ,
ହୋଇ ଦିଶୁଅଛି ଦୀନ ?
*
(୩୬)
ହେ ଅମରଗଣ ! ବହୁ ପୁଣ୍ୟରାଶି
ଅରଜିଛ ଅନୁଦିନ,
ତଥାପି ସ୍ବର୍ଗରୁ ଚ୍ୟୁତ ହୋଇଛ କି ?
ପୂର୍ବ ଆଧିପତ୍ୟଚିହ୍ନ ।
ଉପେକ୍ଷିବାର,
ନୁହେ ଉଚିତ ବେଭାର ।।
*
(୩୭)
ମନସ୍ବୀ ମହିମା- ଶାଳୀ ସ୍ବର୍ଗବାସୀ
ହେଲେ ମଧ୍ୟ ତୁମ୍ଭେମାନେ,
କି କାରଣେ ସ୍ବର୍ଗ ପୁର ତେଜି ଏବେ
ସାମାନ୍ୟ ନର ସମାନେ ।
ଅବନୀତଳେ,
ବିହରୁଅଛ ସକଳେ ?
*
(୩୮)
ବହୁଦିବସରୁ ସଞ୍ଚିତ ସୁକୃତ
ପାପେ ନାଶ ଯିବା ପରି,
ଅସାମାନ୍ୟ ସର୍ବ- ସିଦ୍ଧି-ବିମଣ୍ଡିତ
ସୁରମ୍ୟ ସ୍ବର୍ଗ ତୁମ୍ଭରି ।
ସହସା ଭଲା,
କାହିଁପାଇଁ ଦୂରେ ଗଲା ?
*
(୩୯)
ସୁରଗଣ ! ଗ୍ରୀଷ୍ମେ ଅତୀବ ଆତପେ
ଗଭୀର ଜଳାଶୟର,
ବାରି ଶୁଷ୍କ ହେବା ପରାୟେ ଅଟଳ
ଧୈର୍ଯ୍ୟ ତୁମ୍ଭମାନଙ୍କର ।
ଦୃଢ଼ ହୃଦର,
ହୀନ ହେଲା କିପ୍ରକାର ?
*
(୪୦)
ଆକୁଳେ ଆସିଛ ମହେନ୍ଦ୍ର-ପ୍ରମୁଖ
ସ୍ବର୍ବାସୀ ସର୍ବ ଅମର,
କହ ତ, ତ୍ରିଲୋକ- ବିଜୟୀ ତାରକ
ଅସୁରପତି ତୁମ୍ଭର ।
ବିରୋଧ କରି,
ନେଲା କି ବୈଭବ ହରି ?
*
(୪୧)
ଦୈତ୍ୟ-ପରାଭବ ରୋଧିବାକୁ ଶକ୍ତି
ରହିଛି ଏକା ମୋଠାରେ,
ଦାବାନଳ ବନ ଦହିଲେ ସେ ଘୋର
ବିପତ୍ତି ବିନାଶିବାରେ ।
ମହାଜଳଦ,
ବିନା କେ ଅନ୍ୟ ଫଳଦ ?'
*
(୪୨)
କନ୍ଦରପ-ରିପୁ କହନ୍ତେ ଏପରି
ଇନ୍ଦ୍ରାଦି ଦେବଗଣର,
ନୟନ ଆନନ୍ଦ- ଲୋତକେ ପୂରିଲା,
ଆଶ୍ବସ୍ତ ହେଲେ ସତ୍ବର ।
ଆଗତ ସୁଖେ,
ଶିରୀ ବିକଶିଲା ମୁଖେ ।।
*
(୪୩)
ଶିବଙ୍କ ବଚନ ଅନ୍ତେ ସମୁଚିତ
କାଳ ଭାବି ମାନସରେ,
ନିବେଦିବା ଲାଗି ଆରମ୍ଭିଲେ ଇନ୍ଦ୍ର,
ଉପଯୁକ୍ତ ଅବସରେ ।
କଥିତ ଗିର,
ସଫଳ ହୁଏ ଅଚିର ।।
*
(୪୪)
'ହେ ପ୍ରଭୋ ! ତୁମ୍ଭେ ତ ଅଜ୍ଞାନ-ତିମିର-
ବିନାଶକ ଅନଶ୍ବର,
ଚିର-ପ୍ରକାଶିତ ଜ୍ଞାନ-ଦୀପେ ଭୂତ
ଭବିଷ୍ୟ ବର୍ତ୍ତମାନର ।
ଜାଣ ସରବ,
ସର୍ବଜ୍ଞ ନାମ ଏ ତବ ।।
*
(୪୫)
ନିଜର କଠୋର ଭୁଜବଳେ ସର୍ବ
ସୁର-ଅରାତି ସତ୍ବରେ,
ସ୍ବର୍ଗ-ଅଧିପତି ହୋଇ ବହିଷ୍କାର
କରିଲା ଏକା ଆମ୍ଭରେ ।
ତୁମ୍ଭରେ ଜଣା,
ନୁହେ କିବା ଏ ଘଟଣା ?
*
(୪୬)
ବ୍ରହ୍ମାଙ୍କ ପ୍ରସାଦେ ଅମୋଘ ବର ସେ
ଲଭି ପ୍ରଚଣ୍ଡ ଭୁଜରେ,
ତ୍ରିଲୋକ ବିଜୟ ପାଇଁ କରେ ଇଚ୍ଛା,
ମୋ ସହ ଅନ୍ୟ ଅମରେ ।
ତୃଣ ସମାନ,
ସମସ୍ତଙ୍କୁ କରେ ଜ୍ଞାନ ।।
*
(୪୭)
ହେ ଦେବେଶ ! ଆମ୍ଭ ସ୍ତୁତି ଉପାସନେ
ତୋଷ ଲଭି ପ୍ରଜାପତି,
କହିଅଛନ୍ତି ଯେ କାମାରିଙ୍କ ସୁତ
ସୁରଲୋକ-ସେନାପତି ।
ହୋଇ ଯୁଦ୍ଧରେ,
ବଧିବେ ସେ ରକ୍ଷବରେ ।।
*
(୪୮)
ଆହା ! ଆମ୍ଭେ ସୁରେ ଲଭିଛୁଁ ଅଦ୍ୟାପି
ଦୈତ୍ୟଠାରୁ ବହୁ କ୍ଲେଶ,
ଅସହ୍ୟ ଯାତନା ଆହୁରି ହୃଦୟ-
ଶଲ୍ୟ ସଦୃଶ ଆଦେଶ ।
ପାଳି ସମସ୍ତ,
ସହିଅଛୁଁ ହୋଇ ତ୍ରସ୍ତ ।।
*
(୪୯)
ଗ୍ରୀଷ୍ମତାପେ କ୍ଲିଷ୍ଟ ଓଷଧିଙ୍କୁ ଯଥା
ନବାମ୍ବୁଦ ହର୍ଷଦାୟୀ,
ଆମ୍ଭ ପ୍ରତୀକ୍ଷିତ ତଥା ତୁମ୍ଭ ସୁତ,
ସେନାପତି ହେବା ପାଇଁ ।
ତାଙ୍କୁ ଆଦେଶ,
ନିଜେ ଦିଅ ହେ ମହେଶ ! ।।
*
(୫୦)
ତ୍ରିଭୁବନଲକ୍ଷ୍ମୀ- ହୃଦ-ଶଲ୍ୟରୂପ
ଦୈତ୍ୟ ସଙ୍ଗେ ରଣ କରି,
ସମୂଳେ ତାହାରେ ନାଶିବେ ସେନାନୀ
ପ୍ରିୟ ତନୟ ତୁମ୍ଭରି ।
କ୍ଲେଶ-ନିକର,
ଦୂର କରିବେ ଆମ୍ଭର ।।
*
(୫୧)
ପ୍ରଭୋ ! ମହାଯୁଦ୍ଧେ ତବ ନନ୍ଦନଙ୍କ
ଶାଣିତ ଶସ୍ତ୍ରେ ସକଳ,
ଦୈତ୍ୟ-ଶିରରାଶି ଲୋଟନ୍ତେ ହୁଅନ୍ତୁ
ରାକ୍ଷସୀଙ୍କର ବିକଳ ।
ବିଳାପେ ଭରା,
ଦଶ ଦିଶାଏ ମୁଖରା ।।
*
(୫୨)
ଦୈତ୍ୟଙ୍କୁ କରନ୍ତେ ରଣେ ପଶୁବଳି
ପ୍ରିୟ ନନ୍ଦନ ତୁମ୍ଭର,
ଏହି ସୁରବର୍ଗ ସ୍ବର୍ଗର ବନ୍ଦିନୀ
ସୁନ୍ଦରୀ ଅମରୀଙ୍କର ।
ପ୍ରିୟ ବେଣୀକି,
ମୋକ୍ଷ କରିବେ ଏଣିକି ।।'
*
(୫୩)
ବାସବ-ବଚନ ଶୁଣି ତ୍ରିଲୋଚନ
ଦୈତ୍ୟରାଜ-ଅତ୍ୟାଚାରେ,
କ୍ରୁଦ୍ଧ ହେଲେ ପୁଣି ଦେବଗଣ ପ୍ରତି
ସୁଦୟା ବହି ସେଠାରେ ।
ପ୍ରଭୁ ଶଙ୍କର,
ବ୍ୟକତ କଲେ ସତ୍ବର ।।
*
(୫୪)
'ହେ ଇନ୍ଦ୍ରାଦି ସୁରଗଣ ! ତୁମ୍ଭେମାନେ
ଶୁଣ ବଚନ ମୋହର,
ନିଜେ ମୁଁ ଶଙ୍କର ପୁତ୍ରାଦି ସଙ୍ଗତେ
ତୁମ୍ଭରି ଦେବକାର୍ଯ୍ୟର ।
ସିଦ୍ଧି ନିମିତ୍ତ,
ପ୍ରସ୍ତୁତ ଅଛି ନିଶ୍ଚିତ ।।
*
(୫୫)
ପୂର୍ବେ ମୁହିଁ ଚିତ୍ତ ସଂଯମି ସମାଧି-
ଲୀନ ହେଲେ ମଧ୍ୟ ଜାଣ,
ଉମା ସଙ୍ଗେ କଲି ବିବାହ ସମ୍ପନ୍ନ
ତୁମ୍ଭ ଅରାତିର ପ୍ରାଣ ।
ଆମ୍ଭ ତନୟ,
ହରିବ ବୋଲି ନିଶ୍ଚୟ ।।
*
(୫୬)
ଏଣୁ ଏ କାର୍ଯ୍ୟର ସିଦ୍ଧି-ପ୍ରଦାୟକ
କାର୍ତ୍ତିକେୟଙ୍କୁ ନିଜରି,
ସେନାପତି କରି ଶତ୍ରୁଙ୍କୁ ବିନାଶି
ସୁରବୃନ୍ଦ ସଙ୍ଗେ ଧରି ।
ସ୍ବର୍ଗ ବୈଭବ,
ଭୋଗ କରନ୍ତୁ ବାସବ ।।'
*
(୫୭)
ମହେଶ ଏପରି କହି ଘୋର ଯୁଦ୍ଧ-
ଉତ୍ସବରେ ଉତ୍ସାହିତ,
ପୁତ୍ରଙ୍କୁ ବୋଇଲେ, 'ଯାଅ ହେ କୁମାର !
ଦେବତାଙ୍କର ଅହିତ ।
ଦୈତ୍ୟନିକର,
ତାଙ୍କୁ ଯୁଦ୍ଧେ ନାଶ କର ।।'
*
(୫୮)
ବୀର କାର୍ତ୍ତିକେୟ ପିତ୍ରାଦେଶ ନତ
ମସ୍ତକେ କଲେ ସ୍ବୀକାର,
ପିତୃଭକ୍ତଙ୍କର ସର୍ବଥା ପରମ
ଧର୍ମ ଅଟେ ଏପ୍ରକାର ।
ପିତୃ-ବଚନ,
କରନ୍ତି ସଦା ପାଳନ ।।
*
(୫୯)
ତନୟ ଅଗ୍ରତେ ରଣବିଧି ସର୍ବ
ବୁଝାଇଲେ ଶୂଳପାଣି,
ପାର୍ବତୀ ଅତ୍ୟନ୍ତ ଆନନ୍ଦିତ ହେଲେ,
ପୁତ୍ରର ବୀରତ୍ୱ ଜାଣି ।
ବୀରପ୍ରସୂ କେ,
ନ ଲଭେ ଆନନ୍ଦ ବୁକେ ?
*
(୬୦)
ବଳଶାଳୀ-ରକ୍ଷ- କାମିନୀ-ନୟନ-
ଅଞ୍ଜନ-ଭଞ୍ଜନକାରୀ,
ବିଶ୍ବର ଅଭୟ- ଦାତା ଶ୍ରେଷ୍ଠବୀର
କୁମାରଙ୍କୁ ବଜ୍ରଧାରୀ ।
ଲଭି ବହନ,
ଆନନ୍ଦେ ହେଲେ ମଗନ ।।
ସଂସାର ମଧ୍ୟରେ ରହିଅଛି କେଉଁ
ଜନ ଯେହୁ ଆପଣାର,
ଅଭିଳାଷ ସିଦ୍ଧ ହୋଇଲେ ନିଶ୍ଚିତେ
ଆନନ୍ଦ ଲଭି ଅପାର ।
ହୃଦୟେ ମତ୍ତ,
ନୋହି ରହିପାରେ ସତ ?
*
(୬୧)
(ଅନୁବାଦକୀୟ ଉପସଂହାର)
କାଳିଦାସ-କୃତ କୁମାରସମ୍ଭବ
ଦ୍ବାଦଶ ସରଗ ଏ ତ,
କୁମାରଙ୍କ ସେନା- ପତିତ୍ବ ଗ୍ରହଣ
ଷାଠିଏ ପଦେ ବର୍ଣ୍ଣିତ ।
ଏ ଭାଷାନ୍ତର,
ମେହେର ହରେକୃଷ୍ଣର ।।
*****