Sunday, May 3, 2026

ପରୋପକାରୀ ପାଦପ (Paropakari Padapa) Odia Poem by Dr.Harekrishna Meher

* ପରୋପକାରୀ ପାଦପ * 
(Paropakari Padapa) 
Odia Poem by Dr.Harekrishna Meher 
--------

* Blog Link : https://hkmeher.blogspot.com/2026/05/paropakari-padapa-odia-poem-by.html

--------- 

Included in 'Kavitavali' (Anthology of Odia Poems) :
https://hkmeher.blogspot.com/2026/04/l-kavitavali-anthology-of-odia-poems-by.html
===== 

    * ପରୋପକାରୀ ପାଦପ * 
      
   (ଓଡ଼ିଆ କବିତା) 
ରଚୟିତା : ଡକ୍ଟର ହରେକୃଷ୍ଣ ମେହେର
               -------------

       ବସୁନ୍ଧରାର ସୁଗନ୍ଧରେ
ବିହ୍ବଳଭାବ ଲଭଇ ପାଦପ ସ୍ୱଅନ୍ତରେ । 
ପତ୍ର-କୁସୁମେ           ପୁଷ୍କଳ ସେ ତ
       ଫଳ-ଛାୟା ଦାନେ ତତ୍ପର,
ନଭର ଦିବ୍ଯ           ଶାନ୍ତ ଆଭାରେ
       ସଦା ପୁଲକିତ କଳେବର ।। 

    ବାତ୍ୟା ଗ୍ରୀଷମ  ବର୍ଷା ଆସାର
    ପ୍ରାଣୀଗଣଙ୍କ  ଅନେକ ପ୍ରହାର,
ସହି ସମସ୍ତ        କେବେହେଲେ ସେ ତ
          ଅଭିଯୋଗ କରେ ନାହିଁ,
          ବଞ୍ଚେ ସେ ଆନ ପାଇଁ ॥

    ଜୀବଗଣଙ୍କ  ରୋଗ-ନିବାରଣେ
    ଜଗତେ ସୁସ୍ଥ    ପରାଣ ଧାରଣେ
            ନିର୍ମଳ ବାୟୁ ବିତରେ,
   ନେଇ ଅଶୁଦ୍ଧ            ଦିଏ ବିଶୁଦ୍ଧ
           ବିଶ୍ୱଜନର ହିତରେ  ।।

ଯୋଗାଏ ପାଦପ       ବିବିଧ ଭେଷଜ
       ପ୍ରସ୍ତୁତି ଲାଗି  ବସ୍ତୁମାନ,
ଅନ୍ୟର ସେବା-        ବ୍ରତରେ ନିରତ
      କରେ ସେ ମୁକ୍ତ ହସ୍ତେ ଦାନ ।।

ନିବାସ ଅର୍ଥେ         ସଦନ ଆଦିର
               ନିର୍ମାଣେ,
ନାନା ଜାଗତିକ        କର୍ମେ ନିୟତ
              ପରିମାଣେ ।
ନୈସର୍ଗିକ             ପର୍ଯ୍ୟାବରଣେ
         ସନ୍ତୁଳନର ଲାଗି,
ଅର୍ପେ ପାଦପ        ଆପଣାର ତନୁ
        ସଦ୍‌ଭାବେ ଅନୁରାଗୀ ।
ତଥାପି ମାନବ      ଛେଦି ଚାଲିଅଛି
        ବହୁଭାବେ ତରୁରାଜି,
ନିଜର ସ୍ୱାର୍ଥ            ସିଦ୍ଧି ସକାଶେ 
           ନିର୍ଦ୍ଦୟ ଜୀବ ସାଜି ।
ବନସ୍ପତି ଯେ         ସବୁରି କ୍ଷେତ୍ରେ
              ସୁହିତକାରୀ,
ଭୁଲିଯାଇଅଛି            ନିଷ୍ଠୁର ନର
             ସ୍ବେଚ୍ଛାଚାରୀ ।।

      ତରୁ ଦୁର୍ଗୁଣ- ବିନାଶକ,
      ସୁନ୍ଦରତାର  ପ୍ରକାଶକ ।
ବିଧାତାଙ୍କର            ସୃଷ୍ଟିରେ  ପ୍ରିୟ
       ସେ ତ ନିସର୍ଗ ବିଭାବ,
ପର-ଉପକାରେ        ସଂଲଗନ ଏ
       ସାଧୁଜନଙ୍କ ସ୍ୱଭାବ ।।

ପରୋପକାରର  ସେ ତ ଅନନ୍ୟ ପ୍ରତୀକ,
ଭବେ କେହି ନାହିଁ  ତା'ଠାରୁ ଅନ୍ୟ ଅଧିକ ।
କାହାଠାରୁ ସେ ତ       ଆଶା କରେ ନାହିଁ
      କେବେହେଲେ କିଛି ପ୍ରତିଦାନ, 
ସ୍ୱାର୍ଥପର ଏ                   ପାର୍ଥିବ ନର 
        ରଖେ ନାହିଁ ନିଜ ସମ୍ମାନ ॥

      ନାହିଁ ତରୁ-ହୃଦେ  ଅହଙ୍କାର,
ସ୍ଫୁରେ ନାହିଁ ବାଣୀ  କେବେହେଁ ତାର ।
ବିନୟ-ଗୁଣରେ         ନମ୍ର ସେ ସଦା
       ସହି ଅନ୍ୟର ଅତ୍ୟାଚାର, 
ନିଜ ସଂପଦ             ବିତରଣ ଲାଗି  
     ନାହିଁ କେବେ ତାର  ଦୁର୍ବିଚାର ।। 

ଧ୍ଯାୟି ସେ ନିଜର        ମହତ କାର୍ଯ୍ୟ
                ସଂପାଦନ,
ବିଶ୍ଵ-ସେବାରେ     ନିୟୋଜିତ କରେ
             ନିଜ ଜୀବନ ।।

ଆପଣାର କର-ପତ୍ର-ଶାଖାଦି ପ୍ରସାରି
ବିଶ୍ଵକରତା                ପ୍ରଜାପତିଙ୍କ
        ଆଗରେ ଜଣାଏ ଗୁହାରି ।
ଧନ୍ୟ ଏ ତନୁ          ନିବେଦନ କରେ
                କୃତଜ୍ଞତା,
ତରୁ-ଜୀବନ ଏ        ଲଭିଛି ଜଗତେ
                ସାର୍ଥକତା ।।

     ତରୁ ନ ଥିଲେ ତ  ଏ ଦୁନିଆରେ,
     ପରାଣୀ କେବେ ନ  ବଞ୍ଚିପାରେ ।
ଆଜୀବନ ନାନା         କାର୍ଯ୍ୟେ ନିଜର
                 ଉପାଦେୟ,
ତରୁର ରକ୍ଷା               ମାନବ ପକ୍ଷେ 
                 ସୁବିଧେୟ ।।

ନର-ନିସର୍ଗ                ମଧ୍ୟେ ନିରତ
        ଅଛି ଶାଶ୍ବତ ସଂପରକ,
ନର-ତରୁ ବେନି         ପାର୍ଥିବ ପଥେ
       ପରସ୍ପରର  ଉପକାରକ ।
ଧରଣୀ-ବକ୍ଷେ            ବୃକ୍ଷରୋପଣ
        ଅଧିକ ନିତ୍ଯ କରଣୀୟ,
ତରୁକୁଳ ହେଲେ         ପ୍ରଫୁଲ୍ଲ ସଦା
         ବିଶ୍ୱ ଦିଶିବ ରମଣୀୟ ॥
                  ******* 

ପ୍ରକାଶିତ :
"ମାରାଗୁଡ଼ା ମହ୍ଲାର" (କବିତା-ସଙ୍କଳନ)
ପୃଷ୍ଠା ୧୧୦-୧୧୨.
ପ୍ରଥମ ପ୍ରକାଶନ : ୨୦୨୨.
ଖଡ଼ିଆଳ ଗବେଷଣା ପ୍ରତିଷ୍ଠାନ 
ଖଡ଼ିଆଳ, ନୂଆପଡ଼ା, ଓଡ଼ିଶା.
ପ୍ରକାଶକ : କାବ୍ୟଲୋକ, ଲୁଇସ୍ ରୋଡ଼୍,
ଭୁବନେଶ୍ୱର -୭୫୧୦୦୨, ଓଡ଼ିଶା
===== 

Biodata: English: 
Harekrishna Meher:
http://hkmeher.blogspot.in/2012/06/brief-biodata-english-dr-harekrishna.html
-----
Biodata: Web Version:
https://hkmeher.blogspot.com/2012/06/brief-biodata-english-dr-harekrishna.html?m=0
===




No comments: