कुमारसम्भव -Canto-5 (Odia Script, Part-1)
मूळ संस्कृत महाकाव्य : महाकवि कालिदास
ओड़िआ पद्यानुवाद : डॉ. हरेकृष्ण-मेहेर
= = = = = = = =
Kumāra-Sambhava
Original Sanskrit Mahākāvya by : Mahakavi Kalidasa
*
Odia Version by : Dr. Harekrishna Meher
(Extracted from Complete Version of the Epic)
= = = = = = =
* PUBLISHED in 'BARTIKA' (Odia Literary Quarterly), Dasahara Special Issues, Jajpur, Odisha)
Odia Metrical Translations of Sanskrit Kavya 'Kumara-Sambhava' :
= = = = = = =
(Canto-5th : Penance of Pārvatī ) :
(पञ्चम-सर्ग : पार्वतीङ्क तपस्या)
Link: http://hkmeher.blogspot.in/2016/10/kumara-sambhava-kavya-canto-v-odia.html
= = = =
Canto-V contains 3 Parts :
Part-1 : http://hkmeher.blogspot.in/2011/01/kumara-sambhava-canto-v-oriya-version.html
*
Part-2 : http://hkmeher.blogspot.com/2011/01/kumara-sambhava-canto-v-oriya-part-2.html
*
Part-3 : http://hkmeher.blogspot.com/2011/02/kumara-sambhava-canto-v-oriya-part-3.html
= = = = = = = =
* କୁମାରସମ୍ଭବ (ପଞ୍ଚମ ସର୍ଗ) *
ମୂଳ ସଂସ୍କୃତ ରଚନା : ମହାକବି କାଳିଦାସ
ଓଡ଼ିଆ ପଦ୍ୟାନୁବାଦ : ହରେକୃଷ୍ଣ ମେହେର
--------
(ପଞ୍ଚମ ସର୍ଗ ଯାଜପୁରର ପ୍ରସିଦ୍ଧ ମୁଖପତ୍ର 'ବର୍ତ୍ତିକା'ର ଦଶହରାବିଶେଷାଙ୍କ-୨୦୦୧ ରେ ସମ୍ପୂର୍ଣ୍ଣ ପ୍ରକାଶିତ।)
======
କୁମାରସମ୍ଭବ * ପଞ୍ଚମ ସର୍ଗ *
(ପାର୍ବତୀଙ୍କ ତପସ୍ୟା) * ରାଗ - ଚୋଖି ।
======
(୧)
ପିନାକପାଣି ଶଙ୍କର-
କୋପେ ଭସ୍ମ ହେଲେ ସ୍ମର
ଦେଖି ସମ୍ମୁଖେ ନିଜର
ଏ ଅଘଟଣ,
ଭଗ୍ନ ହେଲା ଗଉରୀଙ୍କ
ଅଭିଳାଷ ଆନ୍ତରିକ,
ହୃଦୟେ ନିନ୍ଦିଲେ ଧିକ
ସୁନ୍ଦରପଣ ।
ସଉନ୍ଦର୍ଯ୍ୟ ସାର୍ଥକ ତାହା,
ପ୍ରିୟପାଶେ ସଉଭାଗ୍ୟ ଲଭଇ ଯାହା ।।
*
(୨)
ଅବଲମ୍ବି ଏକାଗ୍ରତା
ମୁନିବ୍ରତେ ହୋଇ ରତା
ଶାରୀରିକ ସୁନ୍ଦରତା
ସାର୍ଥ କରଣେ,
ବାଞ୍ଛିଲେ ଆଳସ୍ୟହୀନା
ଗିରୀଶବାଳା ନବୀନା
ଏ ବେନି କିପରି ବିନା
ତପଶ୍ଚରଣେ ।
ସେହିପରି ପ୍ରେମ ଆବର,
ସେପରି ସ୍ବାମୀ ଲଭିବା ସମ୍ଭବପର ?
*
(୩)
ତପରେ ଦୃଢ଼-ବରତା
ପାର୍ବତୀଙ୍କ ଏ ବାରତା
ଶୁଣି ମାତା ଅଧୀରତା
ଭଜିଲେ ମନେ,
ପ୍ରିୟ କନ୍ୟାର ହୃଦୟ
ଶିବେ କରିଅଛି ଲୟ
ଜାଣି ଏପରି ନିଶ୍ଚୟ
ମେନା ବହନେ ।
ମହାତପସ୍ୟାରୁ ନିରୋଧି,
ପୁତ୍ରୀକି ଉରେ ଆଲିଙ୍ଗି କହିଲେ ବୋଧି ।।
*
(୪)
'ମାଆ ଲୋ ! ଆମରି ପୁରେ
ଅଛନ୍ତି ଈପ୍ସିତ ସୁରେ,
କାହିଁ ତପ ? କାହିଁ ଦୂରେ
ଶରୀର ତବ,
କୋମଳ ଶିରୀଷ ପୁଷ୍ପ
ନିଜ ବଳ-ଅନୁରୂପ
ସହି ପାରଇ ମଧୁପ-
ପଦ ଲାଘବ ।
ମାତ୍ର ପକ୍ଷୀ-ଚରଣ-ଭାର,
ସହିବା ସକାଶେ ଶକ୍ତି ନାହିଁ ତାହାର ।।'
*
(୫)
ଏହିପରି ପର୍ବତେଶ-
ଜାୟା ଦେଇ ଉପଦେଶ
ତପ ଉଦ୍ୟମରୁ ଲେଶ-
ମାତ୍ର ପୁତ୍ରୀକି,
ପାରିଲେ ନାହିଁ ନିବାରି,
ସ୍ଥିରଚିତ୍ତା ସେ କୁମାରୀ,
ଅଭୀଷ୍ଟ ବସ୍ତୁରେ ଭାରି
ଦୃଢ଼ ମତିକି ।
ନିମ୍ନଗାମୀ ବାରିକି ପୁଣ,
ଫେରାଇ ଆଣିବା ଲାଗି କେ ବା ନିପୁଣ ?
*
(୬)
ଦିନେ ପ୍ରଶସ୍ତ-ହୃଦୟା
ନଗାଧିରାଜ-ତନୟା
'ତପେ ମୁହିଁ ଦୃଢ଼-ଲୟା
ସିଦ୍ଧି ପର୍ଯ୍ୟନ୍ତ,
ନିଜ ନିବାସ କାନନେ
ରଚିବି' ବୋଲି ସୁମନେ
ପ୍ରିୟସଜନୀ-ବଦନେ
ପେଷି ଉଦନ୍ତ ।
ଅନୁଜ୍ଞା ମାଗିଲେ ପିତାଙ୍କ,
ହିମାଳୟ ଜାଣିଥିଲେ ଅଭୀଷ୍ଟ ତାଙ୍କ ।।
*
(୭)
ସୁଯୋଗ୍ୟ ଅଭିଳାଷରେ
ତୋଷ ଲଭି ମାନସରେ
ଆଜ୍ଞା ଦେଲେ ନିବାସରେ
ଭୂଧର-ସାଇଁ,
ତହୁଁ ପ୍ରସନ୍ନ ମୁଖରେ
ଗୌରୀ ଚଳିଲେ ସୁଖରେ
ଶିଖଣ୍ଡୀପୂର୍ଣ୍ଣ ଶିଖରେ
ତପସ୍ୟା ପାଇଁ ।
ପରେ ତାହା ଗୌରୀଶିଖର,
ବୋଲି ଲୋକେ ଖ୍ୟାତ ହେଲା ନାମେ ତାଙ୍କର ।।
*
(୮)
ହୃଦ-ସ୍ଥଳେ ବିଲେପିତ
ଚନ୍ଦନକୁ ବିଲୋପିତ
କରୁଥିଲା ଯା ଦୋଳିତ
ଦଣ୍ଡ ଚଞ୍ଚଳ,
ସେ ହାରକୁ ପରିହରି
ପିନ୍ଧିଲେ ବାଳାର୍କ ପରି
ପିଙ୍ଗଳ-ବରଣ ପରି-
ଧାନ ବଳ୍କଳ ।
ଉରଜ ଥିବାରୁ ଉନ୍ନତ,
ଶିଥିଳ ହେଲା ବଳ୍କଳ-ସନ୍ଧି ସମସ୍ତ ।।
*
(୯)
ସଜ୍ଜିତ ଚାରୁ କୁନ୍ତଳ-
କାନ୍ତିରେ ମୁଖମଣ୍ଡଳ
ଦିଶୁଥିଲା ସମୁଜ୍ଜ୍ବଳ
ପୂର୍ବେ ଯେଭଳି,
ହେଲେ ମଧ୍ୟ ଜଟାଗମ
ଦିଶିଲା ତା ମନୋରମ,
କେବଳ ଅଳିରେ ପଦ୍ମ
ନ ଉଠେ ଝଳି ।
ଶଇବାଳ ଯୋଗେ ଆବର,
ହୋଇଥାଏ ଜନ-ନେତ୍ର-ଆନନ୍ଦକର ।।
*
(୧୦)
ଘେନିଲେ ମେନାଦୁହିତା
ତପୋବ୍ରତେ ଉତ୍ସାହିତା
ମଞ୍ଜୁଳା ସେ ତ୍ରିଗୁଣିତା
ମୌଞ୍ଜୀ ମେଖଳା,
ତାଙ୍କ ଦେହେ ପ୍ରତିକ୍ଷଣ
କର୍କଶ କଟି-ଭୂଷଣ
କଲା ରୋମ-ହରଷଣ
ସେ ତ କୋମଳା ।
ଆଦ୍ୟ ବାର ପାଇଁ ସୂତ୍ରଟି,
ପିନ୍ଧିବାରୁ ରକ୍ତବର୍ଣ୍ଣ ଦିଶିଲା କଟି ।।
*
(୧୧)
ସ୍ତନାଙ୍ଗରାଗେ ଅରୁଣୀ-
କୃତ କନ୍ଦୁକରେ ପୁଣି
ଓଷ୍ଠ-ରଞ୍ଜନେ ତରୁଣୀ
ଗଉରୀଙ୍କର,
ରତ ଥିଲା ଯେଉଁ ହସ୍ତ,
ତେଜି ଏବେ ସେ ସମସ୍ତ
ଅକ୍ଷମାଳାରେ ଅଭ୍ୟସ୍ତ
ହେଲା ସାଦର ।
କଲା କୁଶାଙ୍କୁର ଆଦାନ,
ବିକ୍ଷତ ହେଲା ସେ ଲାଗି ଅଙ୍ଗୁଳିମାନ ।।
*
(୧୨)
ମହାର୍ଘ ମୃଦୁ ଶୟନେ
ପାରୁଶ-ପରିବର୍ତ୍ତନେ
କେଶୁଁ ପତିତ ସୁମନେ
ଯେଉଁ ଗୌରୀକି,
ହେଉଥିଲା କଷ୍ଟ ଜ୍ଞାନ,
ତପେ ସେ ତ ବର୍ତ୍ତମାନ
କଲେ ନିଜ ଉପଧାନ
ବାହୁ-ବଲ୍ଲୀକି ।
ଅନାବୃତ ମୁକ୍ତ ଭୂମିରେ,
ଉପବେଶନ ଶୟନ କଲେ ବିଧିରେ ।।
*
(୧୩)
ତପଶ୍ଚରଣ ଶେଷରେ
ଫେରି ପାଇବା ଆଶରେ
କୋମଳା ଲତା ପାଶରେ
ସେକାଳେ ଆଣି,
ବିଳାସ-ଭଙ୍ଗୀ ନିଜର
ଅରପି ଦେଲେ ଆବର
ଏଣୀବୃନ୍ଦରେ ସୁନ୍ଦର
ଲୋଳ ଚାହାଁଣୀ ।
ସମର୍ପିଲେ ଉମା ସତେ କି,
ନ୍ୟାସରୂପେ ତହିଁ ଏଇ ବସ୍ତୁ ବେନିକି ।।
*
(୧୪)
ନିରଳସା ସୁକୁମାରୀ
ଶଇଳରାଜ-କୁମାରୀ
ଦେଇ କୁମ୍ଭ-ସ୍ତନ-ବାରି
ସାଜିଲେ ମାତ,
ବାଳବୃକ୍ଷଙ୍କ ବର୍ଦ୍ଧନ
କଲେ ନିଜେ ଶୁଦ୍ଧମନ,
ପରେ ପୁତ୍ର ଷଡ଼ାନନ
ହେଲେହେଁ ଜାତ ।
ଅଗ୍ରଜ ସମଗ୍ର ତରୁର,
ତନୟ-ସ୍ନେହ କେବେ ନ କରିବେ ଦୂର ।।
*
(୧୫)
ତପଶ୍ଚାରିଣୀ ଅପାର
ସ୍ନେହେ ମୃଗଙ୍କୁ ଆହାର
ଦେଇ ପାଳିଲେ ନୀବାର
ଆହରି କରେ,
ତାଙ୍କ ସମୀପେ ସମସ୍ତ
ଏଭଳି ଥିଲେ ବିଶ୍ବସ୍ତ
ବଢ଼ାଇ ଉମା ସ୍ବହସ୍ତ
କୌତୁକଭରେ ।
ମୃଗଙ୍କର ନେତ୍ର ସଙ୍ଗତେ,
ମାପୁଥିଲେ ସଖୀଙ୍କର ନେତ୍ର ଅଗ୍ରତେ ।।
*
(୧୬)
କରୁଥିଲେ ନିତ୍ୟ ସ୍ନାନ
ସେ ବଳ୍କଳ ପରିଧାନ
ଅନଳ ହୋମ ବିଧାନ
ବେଦ ଅଭ୍ୟାସ,
ଜାଣି ଏ ଶୁଭାଚରଣ
ଦର୍ଶନାର୍ଥୀ ଋଷିଗଣ
କରୁଥିଲେ ପଦାର୍ପଣ
ତାଙ୍କ ଆବାସ ।
ଧର୍ମବୃଦ୍ଧ ବ୍ୟକ୍ତି ପାଶରେ,
ବୟସ ଗଣନା କେବେ କେହି ନ କରେ ।।
*
(୧୭)
ବିରୋଧୀ ପ୍ରାଣୀନିକର
ତେଜିଲେ ନିଜ ପୂର୍ବର
ବୈରିଭାବ ପରସ୍ପର
ତପସ୍ଥଳରେ,
ଇଷ୍ଟଫଳେ ତରୁଗଣ
କଲେ ଅତିଥି-ତୋଷଣ,
ଅନୁକ୍ଷଣ ନବ ପର୍ଣ୍ଣ-
ଶାଳା ଭିତରେ ।
ଦୀପ୍ତ ଥିଲା ହୋମ-ଜ୍ବଳନ,
ଏ ରୂପେ ପବିତ୍ର ହେଲା ସେ ତପୋବନ ।।
*
(୧୮)
ଏପରି ପୂର୍ବାଚରିତ
ତପସ୍ୟାବଳେ ଈପ୍ସିତ
ଫଳ ଲଭିବା ନିଶ୍ଚିତ
ନୁହେ ସମ୍ଭବ,
ଏ କଥା ମନେ ବିଚାରି
ନଗାଧିରାଜ-କୁମାରୀ
ଉପେକ୍ଷିଲେ ନିଜ ଶାରୀରିକ ମାର୍ଦବ ।
ତା ଠାରୁ ଅଧିକ କଠିନ,
ତପସ୍ୟା ଆରମ୍ଭ କଲେ ହୋଇ ତଲ୍ଲୀନ ।।
*
(୧୯)
କଷ୍ଟ ପାଉଥିଲେ ହେଳେ
ସାମାନ୍ୟ କନ୍ଦୁକ ଖେଳେ
ନିଜ ପୁରେ ସେତେବେଳେ
ଯେଉଁ ସୁନ୍ଦରୀ,
ବର୍ତ୍ତମାନ ମୁନିବ୍ରତେ
ମଜ୍ଜିଲେ ସେ ଅବିରତେ
ସ୍ଵର୍ଣ୍ଣ-ପଦ୍ମେ ଗଢ଼ା ସତେ
ତନୁ ତାଙ୍କରି ।
ବହିଥିଲା ଉଭୟ ଗୁଣ,
ସ୍ୱଭାବେ କୋମଳ ଥିଲା କଠିନ ପୁଣ।।
*
(୨୦)
ଗ୍ରୀଷ୍ମକାଳେ ନିଜ ଚାରି
ପାରୁଶରେ ସୁକୁମାରୀ
ଅନଳ ଜାଳି ତାହାରି
ମଧ୍ୟେ ରହିଲେ,
ରବିଙ୍କ ଦହନାତ୍ମକ
ନୟନ-ପ୍ରତିଘାତକ
ରଶ୍ମି ଜିଣି ଅପଲକ
ନେତ୍ରେ ଚାହିଁଲେ ।
ଏକ ଲୟେ ତପନ ପ୍ରତି,
ସୁମଧ୍ୟମା ଶୁଭ୍ରହାସ-ମୁଖୀ ପାର୍ବତୀ ।।
*
(୨୧)
ଏହିପ୍ରକାରେ ପ୍ରଖର
ମିହିର-ତେଜ-ନିକର
ବାଜିବାରୁ ଉମାଙ୍କର
ମୁଖ ଧବଳ,
ଧାରଣ କଲା ସୁନ୍ଦର
କାନ୍ତିକି ଅରବିନ୍ଦର,
କିନ୍ତୁ ତହିଁ ନିରନ୍ତର
ତାପେ କେବଳ ।
ଦୀର୍ଘ ବେନି ନେତ୍ର-ପ୍ରାନ୍ତରେ,
କାଳିମା ସ୍ଥାନ ଗ୍ରହଣ କଲା ମନ୍ଥରେ ।।
*
(୨୨)
ଅଯାଚିତେ ଉପସ୍ଥିତ
ସଲିଳ-ବିନ୍ଦୁ ସହିତ
ଶଶୀଙ୍କର ରସାନ୍ବିତ
ରଶ୍ମି ଶୀତଳ,
ଏତେ ମାତ୍ର ସୁଲକ୍ଷଣା
ପାର୍ବତୀଙ୍କର ଆପଣା
ତପସ୍ୟାକାଳେ ପାରଣା
ହେଲା କେବଳ ।
ପାଦପମାନଙ୍କ ଜୀବନ,
ବୃତ୍ତିରୁ ନ ଥିଲା ଭିନ୍ନ ଏହି ସାଧନ ।।
*
(୨୩)
ଗଗନଗାମୀ ତପନ
ଇନ୍ଧନ-ଦୀପ୍ତ ଦହନ,
ଏଭଳି ନାନା ଜ୍ବଳନ-
ଙ୍କର ତେଜରେ,
ଅତିଶୟ ସନ୍ତାପିତା
ଶୈଳାଧିରାଜ-ଦୁହିତା
ତପାନ୍ତେ ହେଲେ ସିଞ୍ଚିତା
ନବ ଜଳରେ ।
ଉଷ୍ଣ ବାଷ୍ପ ନିଜ ଶରୀରୁ,
ଊର୍ଦ୍ଧ୍ବକୁ ତେଜିଲେ ଭୂମି ସଙ୍ଗେ ତହିଁରୁ ।।
*
(୨୪)
ଆଦ୍ୟ ବାରି-ବିନ୍ଦୁରାଶି
ବର୍ଷାକାଳେ ମୃଦୁହାସୀ-
ନେତ୍ରଲୋମପରେ ଆସି
ମୁହୂର୍ତ୍ତେ ଥାଇ,
ତାଡ଼ି କୋମଳ ଅଧର
ଉଚ୍ଚ ପୀନ ପୟୋଧର
ଉପରେ ପଡ଼ି ସତ୍ବର
ଚୂର୍ଣ୍ଣତା ପାଇ ।
ଧୀରେ ଧୀରେ ଖସି ବଳୀରେ,
ବିଳମ୍ବେ ପ୍ରବେଶ କଲା ନାଭିସ୍ଥଳୀରେ ।।
*
(୨୫)
ପ୍ରବଳ ଧାରା-ସମ୍ପାତ
ସଙ୍ଗତେ ପ୍ରଚଣ୍ଡ ବାତ
ବହନ୍ତେ ଶୈଳସୁତା ତ
ଦିବାବସାନେ,
ଅନାବୃତ ଶିଳାତଳ-
ଶେଯେ ଶୋଇଲେ କେବଳ,
ସତେ ସେକାଳେ ଚଞ୍ଚଳ
ଯାମିନୀମାନେ ।
କ୍ଷଣପ୍ରଭା-ଚକ୍ଷୁ ମେଲାଇ,
ଦେଖୁଥିଲେ ତପ-ସାକ୍ଷୀ ସ୍ବରୂପେ ଥାଇ ।।
*
(୨୬)
ପୌଷ ରଜନୀକାଳରେ
ବାୟୁ ତୁଷାର-ମେଳରେ
ବହିବା ବେଳେ ଜଳରେ
କଲେ ବସତି,
ତହିଁ ସମ୍ମୁଖରେ ତାଙ୍କ
ପରସ୍ପର ଚକ୍ରବାକ-
ଦମ୍ପତି ନିଶୀଥଯାକ
ବ୍ୟାକୁଳେ ଅତି ।
ବିରହେ କରନ୍ତେ ରୋଦନ,
ଦୟାର୍ଦ୍ର ହେଲା ଉମାଙ୍କ କୋମଳ ମନ ।।
*
(୨୭)
ଆକଣ୍ଠ ଜଳେ କେବଳ
ଦିଶିଲା ମୁଖ ସୁଢଳ
କମ୍ପିଲା ଅଧର-ଦଳ
ଶୀତଳତାରୁ,
ପଦ୍ମ-ମୁଖୁଁ ଆପଣାର
ସୁବାସ କଲେ ପ୍ରସାର,
ନିଶାସମୟେ ତୁଷାର
ବର୍ଷା ହେବାରୁ ।
ନଷ୍ଟ ହେଲା କମଳ- ଧନ,
ସ୍ବମୁଖେ ସେ କଲେ ସତେ ପଦ୍ମ ସର୍ଜନ ।।
*
(୨୮)
ବୃକ୍ଷୁଁ ସ୍ବେଚ୍ଛାରେ ପତିତ
ପତ୍ର ଭକ୍ଷିଲେ ନିଶ୍ଚିତ
ତପଶ୍ଚର୍ଯ୍ୟାର ସେହି ତ
ଚରମ ସୀମା,
କିନ୍ତୁ ସେ ପର୍ଣ୍ଣ ଆହାର
ପୂର୍ଣ୍ଣ ରୂପେ ପରିହାର
କଲେ ତପେ ଆପଣାର
ପର୍ବତ-ଜେମା ।
ତେଣୁ ପୁରାଣଜ୍ଞ-ନିକର,
ଦେଇଅଛନ୍ତି 'ଅପର୍ଣ୍ଣା' ନାମ ତାଙ୍କର ।।
*
(୨୯)
କମଳିନୀର ପରାୟ
ସୁକୋମଳ ତାଙ୍କ କାୟ,
ଦୃଢ଼ ବ୍ରତ ସମୁଦାୟ
ତହିଁ ଆଚରି,
କଷ୍ଟ ସହି ନିଶିଦିନ
ସୁମୁଖୀ ନ ହେଲେ ଖିନ୍ନ,
ତପସ୍ବୀଗଣ କଠିନ
ଦେହେ ନିଜରି ।
ସାଧିଥାନ୍ତି ତପସ୍ୟା ଯାହା,
ଅତ୍ୟନ୍ତ ନିଊନ କଲେ ଗିରିଜା ତାହା ।।
====
(କ୍ରମଶଃ)
------
No comments:
Post a Comment