Friday, September 26, 2025

Kumarasambhava: Canto-10: Odia Version by Dr.Harekrishna Meher (କୁମାରସମ୍ଭବ : ଦଶମ ସର୍ଗ)

KUMARASAMBHAVA  MAHAKAVYA 
(Canto-10th) *  
Original Sanskrit Epic Poem 
By : Mahakavi Kalidasa 
*******
ODIA Metrical Translation by: 
Dr. Harekrishna Meher 
(Taken from Complete Odia Version) 
* 
कुमारसम्भव महाकाव्य : 
दशम सर्ग : कार्त्तिकेय-जन्म * 
(पद्यानुवाद : राग- संगम तिआरि बाणी)  
= = = = = 
Canto-10 : Birth of Kumara Kartikeya. 
(Translations done during 1971)   
* * * * 
Published in BARTIKA, Famous Odia Literary Quarterly, Dashahara Special Issue, October-December 2025, pages 1334-1354, Saraswata Sahitya Sanskrutika Parishad, Dasharathapur, Jajpur, Odisha. 
* 
Total pages scanned are posted here. 
* * * * * * * 

କୁମାରସମ୍ଭବ (ଦଶମ ସର୍ଗ) 
ମୂଳ ସଂସ୍କୃତ କାବ୍ୟ : ମହାକବି କାଳିଦାସ  
ଓଡ଼ିଆ ପଦ୍ୟାନୁବାଦ : ଡକ୍ଟର୍ ହରେକୃଷ୍ଣ ମେହେର 
ବିଷୟ : କାର୍ତ୍ତିକେୟ-ଜନ୍ମ
ରାଗ : ସଙ୍ଗମ ତିଆରି ବାଣୀ 
=======
(୧) 
ଅଗ୍ନି ଶିବଙ୍କ ଦୁଃସହ ତେଜସ୍ଵୀ ରେତ, 
ବହନ କରି ଆପଣା ଶରୀରେ ସେ ତ । 
ସଭାରେ ଦେବଗଣଙ୍କ ସହ ଆସ୍ଥିତ,  
ଇନ୍ଦ୍ରଙ୍କ ପାଶେ ମିଳିଲେ ଯାଇ ତୁରିତ ।। 
*
(୨) 
କୁତ୍ସିତ ଅଙ୍ଗ ଆବର ବିବର୍ଣ୍ଣ ଅତି, 
ଧୂମ୍ର-ଧୂମିତ-ମଣ୍ଡଳ  ଅନଳ ପ୍ରତି । 
ଶଚୀଦେବୀ-ପତି ନିଜ ସହସ୍ରାକ୍ଷରେ, 
ଅବଲୋକନ କରିଲେ  ଆଦରଭରେ ।। 
* 
(୩) 
ବାସବ ସେ ରୂପ ଦେଖି ଅତି ବିରସେ, 
ଚିନ୍ତିଲେ ଦୀର୍ଘସମୟ କ୍ଷୁବ୍ଧ ମାନସେ ।‌ 
କନ୍ଦରପ-ରିପୁଙ୍କର  କୋପେ ଅତ୍ୟନ୍ତ, 
ଅନଳଦେବଙ୍କ ଦଶା ହେଲା ଏମନ୍ତ ।। 
* 
(୪) 
ମଳିନ ବଦନେ ତହିଁ  କ୍ଷଣକୁ କ୍ଷଣ, 
ଅମରବୃନ୍ଦ ଅଗ୍ନିଙ୍କୁ  କଲେ ଈକ୍ଷଣ । 
ଆପଣା ସମୀପେ ତାଙ୍କୁ ଦେଇ ଆସନ, 
ବସାଇଲେ ସମାଦରେ ପାକଶାସନ ।।‌ 
* 
(୫) 
'ହବ୍ୟବାହନ ! ଏପରି ଦୁର୍ଦ୍ଦଶା ତବ, 
କିରୂପେ ପ୍ରାପତ ହେଲା, କହ ସରବ ।'  
ଇନ୍ଦ୍ର ପୁଚ୍ଛିବାରୁ ଏତେ ସ୍ବାହା-ବିଳାସ, 
ଉତ୍ତରିଲେ ଧୀରେ ଘେନି ଦୀର୍ଘ ଶୁଆସ ।। 
* 
(୬) 
'ସୁରସଙ୍ଘ-ନାୟକ ହେ ! ଅଲଙ୍ଘନୀୟ, 
ଆଦେଶ ଘେନି ତୁମ୍ଭର  ମୁହିଁ ସ୍ଵକୀୟ । 
ପାରାବତ ରୂପ ବହି  ପାଇଲି ଡର, 
କମ୍ପିତ ହେଲା ସକଳ ଅଙ୍ଗ ମୋହର ।। 
* 
(୭) 
ଉମାସକ୍ତ ଶିବ ପାଶେ  କଲି ଗମନ, 
ଚିହ୍ନିଲେ ମୋତେ ସେ ବହ୍ନି ବୋଲି ବହନ । 
ହେବାରୁ ସେ କାଳ-ସମ ଭୀମ ମୂରତି, 
ବହିଲି ମୁଁ ନିଜ ରୂପ  ହେ ସୁରପତି ! ।।
*
(୮) 
ହେ ଜମ୍ଭାରି ! ସର୍ବଜ୍ଞାତା ଚନ୍ଦ୍ରଶେଖର, 
ଜାଣିଲେ ଛଦ୍ମ ବିହଙ୍ଗ ରୂପ ମୋହର । 
ରୋଷେ ଲଲାଟେ ଦୀପିତ ହୁତାଶନରେ, 
ମୋତେ ଦହିବାକୁ ବିଚାରିଲେ ମନରେ ।। 
*
(୯) 
ସାର୍ଥ ମଧୁର ବଚନେ  ବିନୟଭରେ, 
ତାଙ୍କୁ ସ୍ତୁତି କଲି ମୁହିଁ ସେ ସମୟରେ । 
ପ୍ରୀତ ହେଲେ ଉମାକାନ୍ତ ତେଜିଲେ ରୋଷ, 
ନିଜ ସ୍ତୁତି ଶୁଣି କେବା ନ ଲଭେ ତୋଷ ? 
* 
(୧୦) 
ଶରଣରକ୍ଷକ ସର୍ବ-ତ୍ରାତା ଈଶାନ, 
ନିଜ ଲଲାଟ-ପ୍ରଦେଶେ ଦେଦୀପ୍ୟମାନ। 
ଅନିବାର୍ଯ୍ୟ କ୍ରୋଧାନଳ-ଗ୍ରାସ-ରୂପକ, 
ଭୟୁଁ ଉଦ୍ଧରିଲେ ମୋତେ ତ୍ରିପୁରାନ୍ତକ ।। 
* 
(୧୧) 
ଉମା-ଆଲିଙ୍ଗନ-ବନ୍ଧ ତେଜି ସତ୍ବର , 
ଲଜ୍ଜା ଅନୁଭବ କଲେ  ପ୍ରମଥବର । 
ମଦନକେଳି-ରସର ଜାଗରଣରୁ,  
ବିରତ ହେଲେ ଗିରିଶ ଗୌରୀପାଶରୁ ।।  
* 
(୧୨) 
ସେକାଳେ ସୁରତିଭଙ୍ଗ ହେଲା ଶିବଙ୍କ, 
ବିଚ୍ୟୁତ ଅବ୍ୟର୍ଥ ଲୋକତ୍ରୟ-ଦାହକ । 
ଦୁର୍ବହ ରେତକୁ ନିଜ ମଦନ-ହର, 
ଅର୍ପଣ କରିଲେ ଅପଘନେ ମୋହର ।। 
* 
(୧୩) 
ସେହି ମହାତେଜୋବନ୍ତ ଶଙ୍କର-ବୀର୍ଯ୍ୟେ, 
ମୁହିଁ ଏପରି ଜ୍ବଳିତ ହୋଇଲିଣି ଯେ । 
ଅସହ୍ୟ ଭାର ହେଲାଣି ଏବେ ଦେହର, 
ବହନ ପାଇଁ ଶକତି ନାହିଁ ମୋହର ।। 
* 
(୧୪) 
ଏ ସକାଶୁଁ ହେ ବାସବ ! ତ୍ରିଲୋକେଶ୍ବର, 
ଶିବଙ୍କର ଭୟଙ୍କର  ତେଜେ ମୋହର । 
ଦହ୍ୟମାନ ମହାଦୁଃଖୀ ଏହି ପରାଣ, 
ରକ୍ଷା କରି ଲଭ ଖ୍ୟାତି  ଅମରରାଣ ! ।।' 
* 
(୧୫) 
ଦୀନଭାବାପନ୍ନ ଅଗ୍ନି-ଦେବତାଙ୍କର, 
ଏପରି ବଚନ ଶୁଣି  ଅମରେଶ୍ବର । 
ଅଗ୍ନିତାପ-ନିବାରଣେ  ବଳାଇ ମତି, 
କୋୖଣସି ଉପାୟ ଚିନ୍ତା କଲେ ଝଟତି ।। 
* 
(୧୬)
ସୁରପୁର-ଅଧିପତି  ତହୁଁ ଆଦରେ, 
ଶିବତେଜ-ଦଗ୍ଧ ଅଗ୍ନିଙ୍କର ଅଙ୍ଗରେ । 
ଆପଣା କରେ ଆଉଁସି ସାନ୍ତ୍ବନା ଦେଇ, 
ପ୍ରକାଶ କରିଲେ ଧୀରେ ବଚନ ଏଇ ।। 
* 
(୧୭) 
'ସ୍ବାହା ସ୍ବଧା ହନ୍ତ ବୋଲି କଲେ ହବନ, 
ପ୍ରସନ୍ନତା ଲଭି ତୁମ୍ଭେ ହବ୍ୟବାହନ ! 
ପ୍ରୀତି ସାଧ ଦେବ-ପିତୃ-ମାନବଙ୍କର, 
ଯେଣୁ ତୁମ୍ଭେ ଏକା ମୁଖ ସେମାନଙ୍କର ।। 
* 
(୧୮) 
ହୋତୃନିକର ତୁମ୍ଭରି  ହବନ ଦ୍ବାରା, 
ବିନାଶନ୍ତି ଶରୀରର  ବୃଜିନ ସାରା । 
ସ୍ବର୍ଗଲୋକେ କରିଥାନ୍ତି ସୁଖ ବରଣ, 
ତୁମ୍ଭେ ଏକା ଅଟ ସ୍ବର୍ଗଲାଭ-କାରଣ ।। 
*
(୧୯) 
ହୁତାଶ ! ମନ୍ତ୍ରେ ପବିତ୍ର ହବ୍ୟ ଦରବ, 
ଆହୁତି ଅରପି  ତୁମ୍ଭଠାରେ ସରବ । 
ତପର ସିଦ୍ଧି ଲଭନ୍ତି ତପସ୍ବୀଗଣ, 
ତୁମ୍ଭେ ତପସ୍ୟାର ପ୍ରଭୁ ମୂଳ କାରଣ ।। 
* 
(୨୦) 
ରବି ନିମନ୍ତେ ପ୍ରଦତ୍ତ  ଆହୁତି ନେଇ, 
ତୁମେ ଅର୍ପିଲେ ବର୍ଷନ୍ତି ସେ ମେଘ ହୋଇ ।‌ 
ତହୁଁ ଅନ୍ନ ଜାତ ହେଲେ  ପ୍ରାଣୀନିକର, 
ଜୀଇଁଥାନ୍ତି, ତେଣୁ ତୁମ୍ଭେ ପିତା ବିଶ୍ବର ।।
* 
(୨୧) 
ପ୍ରାଣୀଙ୍କ ଅନ୍ତରେ କର ନିବାସ ତୁମେ, 
ତୁମଠାରୁ ପ୍ରାଣୀଗଣ  ଜନ୍ମନ୍ତି ଭୂମେ । 
ଏ ସକାଶୁଁ ତୁମେ ବିଶ୍ବ-ପ୍ରାଣ-ରୂପକ, 
ପ୍ରାଣୀଙ୍କର ପ୍ରାଣଦାତା ଅଟ ପାବକ ! ।। 
*
(୨୨) 
ଉପକାରୀ ଅଟ ସାରା  ଏ ଜଗତର, 
ତୁମ୍ଭେ ଏକା, ଏଥିଲାଗି ଦେବତାଙ୍କର । 
କାର୍ଯ୍ୟ ସିଦ୍ଧି ପାଇଁ ତୁମ୍ଭ  ବିନା ଅପର, 
ସମର୍ଥ ହେବ କେ ଅବା ହେ ବୈଶ୍ବାନର ! ।। 
* 
(୨୩) 
ଅନଳ ! ଆମ ସମସ୍ତ  ଦେବ-କରମ, 
ସିଦ୍ଧ କରିବା ନିମନ୍ତେ  ତୁମେ ହିଁ କ୍ଷମ । 
ଅନ୍ୟ ପାଇଁ ଉପକାର-ବ୍ରତୀ ଜନର, 
ବିପତ୍ତି ମଧ୍ୟ ପ୍ରଶଂସା  ଲଭେ ନିକର ।। 
* 
(୨୪) 
ଭାଗୀରଥୀ ଦେବୀ ଭକ୍ତିବଶେ ଆମ୍ଭର,  
ପୂର୍ବରୁ ପ୍ରସନ୍ନ ହୋଇଛନ୍ତି ନିକର । 
ତାଙ୍କ ସ୍ରୋତେ କଲେ ତୁମ୍ଭେ ଅବଗାହନ, 
ହରିବେ ସେ ତୀବ୍ର ଜ୍ବାଳା ହବ୍ୟବାହନ ! ।। 
* 
(୨୫) 
ବିଳମ୍ବ ନ କରି ବେଗେ ନ କରି ଖେଦ,
ଚଳ ବିଷ୍ଣୁପଦୀ ପାଶେ ହେ ଜାତବେଦ ! 
ନିଶ୍ଚିତ କାର୍ଯ୍ୟ ସଫଳ  ହେବା ନିମିତ୍ତ, 
ଶୀଘ୍ରକାରିତା କରିବା  ଅଟେ ଉଚିତ ।। 
* 
(୨୬) 
ବିଦିତ ଅଟନ୍ତି ଦେବୀ ସୁର-ତଟିନୀ, 
ମହେଶଙ୍କ ଜଳମୟୀ ମୂର୍ତ୍ତି ଶୋଭିନୀ । 
ଏହେତୁ ଈଶାନଙ୍କର  ଦୁର୍ବହ ରେତ, 
ତୁମ୍ଭ ପାଶରୁ ଧାରଣ କରିବେ ସେ ତ ।।'  
* 
(୨୭) 
ଏତେ କହି ତୁନି ହେଲେ ପାକଶାସନ, 
ତା ପରେ ତାଙ୍କ ପାଶରୁ ଦେବ ଜ୍ବଳନ ।‌
ବିଦାୟ ନେଇ ବାସବ-ବାକ୍ୟେ ଝଟତି, 
ଗମନ କରିଲେ ସୁର-ସରିତା ପ୍ରତି ।। 
* 
(୨୮) 
ଚଳିଲେ ଅନଳ ବେଗେ ବାହି ସରଣୀ, 
ତହୁଁ ଅଶେଷ କ୍ଲେଶର ନାଶ-କାରିଣୀ । 
ସୁରପୁର-ତରଙ୍ଗିଣୀ- ତୀରେ ବହନ, 
ଉପଗତ ହେଲେ ଆସି  ହବ୍ୟବାହନ ।। 
* 
(୨୯) 
ସ୍ବର୍ଗ ଆରୋହଣ ଲାଗି ସୁର-ତଟିନୀ, 
ନିଃଶ୍ରେଣୀ-ରୂପା ମୁକତି-ମାର୍ଗଦାୟିନୀ । 
ମହାମହାପାତକର  କ୍ଷୟ-କାରିଣୀ, 
ଅଟନ୍ତି ପାବନୀ ଦେବୀ ଦୁର୍ଗ-ତାରିଣୀ ।। 
* 
(୩୦) 
ପ୍ରମଥପତିଙ୍କ ଜଟାଜୂଟ-ବାସିନୀ, 
ଅଟନ୍ତି ସେ ମନ୍ଦାକିନୀ ପାପ-ନାଶିନୀ । 
ସଗର-ସୁତଗଣଙ୍କ ମୋକ୍ଷ-କାରିଣୀ, 
ଅଟନ୍ତି ଶାଶ୍ଵତ ଧର୍ମ-ରକ୍ଷାକାରିଣୀ ।। 
* 
(୩୧) 
ସମ୍ଭୂତ ହୋଇ ବିଷ୍ଣୁଙ୍କ ପଦ-ଜଳରୁ, 
ଅବତରି ଆସିଛନ୍ତି  ବ୍ରହ୍ମଧାମରୁ । 
ତିନି ଭୁବନକୁ ନିଜ ତିନି ସ୍ରୋତରେ, 
ପବିତ୍ର କରିଥାଆନ୍ତି ସେ ନିରନ୍ତରେ ।। 
* 
(୩୨) 
ଉତ୍ଥିତ ହେବାରୁ ଉଚ୍ଚ ତରଙ୍ଗମାନ, 
ହେଲା ସେସମୟେ ଏହା ପ୍ରତୀୟମାନ । 
ଅଗ୍ନି-ଆଗମନେ ଗଙ୍ଗା ପ୍ରସନ୍ନଚିତ୍ତ, 
କର ତୋଳି ଡାକୁଛନ୍ତି  ସିଦ୍ଧି ନିମିତ୍ତ ।। 
* 
(୩୩) 
ଥିଲେ ସମ୍ମିଳିତ ମତ୍ତ ହଂସ-ଆବଳି, 
କଳକୂଜନେ ପ୍ରତୀତ ହେଲା ଏଭଳି । 
ସାନ୍ତ୍ବନା ଦିଅନ୍ତି ଗଙ୍ଗା  ଭାଷି ମଧୁର, 
ହିତ ବିତରିବି, ଦୁଃଖ କରିବି ଦୂର ।। 
* 
(୩୪) 
ଗଙ୍ଗାଙ୍କର ଅର୍ବାଚୀନ କୂଳେ ଉତ୍ଥିତ, 
ସଭଙ୍ଗ ତରଙ୍ଗମାଳ ହେଲା ପ୍ରତୀତ । 
ସତେ ଅବା ବିଷ୍ଣୁପଦୀ ଆନନ୍ଦଭରେ, 
ଅଗ୍ନିଙ୍କୁ ସ୍ବାଗତ କରୁଛନ୍ତି ଆଗରେ ।। 
* 
(୩୫) 
ଏ ଉତ୍ତାରେ ଶିବ-ତେଜେ ଆର୍ତ୍ତ ଜ୍ବଳନ, 
ମନ୍ଦାକିନୀ-ଜଳ ମଧ୍ୟେ  ହେଲେ ମଗନ । 
ବିଳମ୍ବ କରିବା ପାଇଁ  ଅଳପ କ୍ଷଣ, 
ସମର୍ଥ ହୋଇଥାନ୍ତି କି  ବିପନ୍ନଗଣ ?  
* 
(୩୬) 
କଲ୍ୟାଣକାରକ ସର୍ବ-ଶ୍ରମ-ହାରକ, 
ପୁଣ୍ୟ-ବିଧାୟକ ସର୍ବଜନ-ତାରକ । 
ମନ୍ଦାକିନୀ-ନୀର ମଧ୍ୟେ ଅଗ୍ନି ସତ୍ବର, 
ମଗ୍ନ ହୋଇ ତାପ-ଶାନ୍ତି କଲେ ନିଜର ।। 
* 
(୩୭) 
 ଅଟନ୍ତି ଦିବ୍ୟ ତଟିନୀ ତୁଙ୍ଗ-ତରଙ୍ଗା,  
ହୃଦୟ-ତାପ-ବିପତ୍ତି-ହାରିଣୀ ଗଙ୍ଗା । 
ମହାଦେବଙ୍କ ଅମୋଘ ରେତ ତହିଁରେ, 
ସଞ୍ଚାରିତ ହେଲା ଅଗ୍ନି-ତନୁରୁ ଧୀରେ ।। 
* 
(୩୮) 
ଶିବଙ୍କ ଅସହ୍ୟ ରେତ  ସୁର-ସରିତ, 
ଗ୍ରହଣ କରିଲେ ସମାଦର ସହିତ । 
ସେହି ସମୟେ ଅତ୍ୟନ୍ତ  ପ୍ରସନ୍ନ-ମନ, 
ହୋଇ ଜଳରୁ ବାହାରି ଗଲେ ଜ୍ବଳନ ।। 
* 
(୩୯) 
ପୀୟୂଷ-ଧାରା ସଦୃଶ  ଗଙ୍ଗା-ଉଦକ, 
ତହିଁ ଅବଗାହି ଶାନ୍ତ  ହେଲେ ପାବକ । 
ତଦୁତ୍ତାରେ ବୈଶ୍ବାନର ସ୍ବୀୟ ସଦନେ, 
ଗମନ କରିଲେ ଧୀରେ  ପ୍ରଫୁଲ୍ଲ ମନେ ।। 
* 
(୪୦) 
ମହେଶ୍ବରଙ୍କ ଅସହ୍ୟ ତେଜସ୍ଵୀ ବୀଜ, 
ମନ୍ଦାକିନୀ ବିହାୟସ-ବାହିନୀ ନିଜ । 
ଅନ୍ତରେ ବେଗେ ବହନ୍ତେ ସନ୍ତାପ-ଜଳେ, 
ମଜ୍ଜି ଅତ୍ୟନ୍ତ କଷଣ  ଲଭିଲେ ବଳେ ।। 
* 
(୪୧) 
ପ୍ରଳୟ ବହ୍ନିର ଶତ  ଶତ ଶିଖାରେ, 
ତପ୍ତ ପରି ହେଲା ଗଙ୍ଗା-ନୀର ସେଠାରେ । 
ଉଷ୍ଣତାର ଅସହିଷ୍ଣୁ  ଜୀବ ସକଳ, 
ଜଳ ତେଜି ବାହ୍ୟେ ଆସି ହେଲେ ଚଞ୍ଚଳ ।।
* 
(୪୨) 
ଶିବଙ୍କ ଅମୋଘ ଶୁକ୍ର-ପ୍ରଭାବେ ନୀର, 
ଅତିଶୟ ତପ୍ତ ହେଲା  ମନ୍ଦାକିନୀର । 
ଉଛୁଳି ପଡ଼ନ୍ତେ ପୁଣି କୂଳ-ବାହାରେ, 
ସହ୍ୟ କଲେ ଗଙ୍ଗା ସେହି ସଲିଳ-ଭାରେ ।। 
* 
(୪୩) 
ଜଗନ୍ନେତ୍ର ଦିବାକର  ମାଘ ମାସରେ, 
ଅଭ୍ୟୁଦୟ ହେବା କାଳେ ଏକ ବାସରେ । 
ଅବଗାହନ ନିମନ୍ତେ ସ୍ବର୍ଣ୍ଣଦୀ-ନୀରେ, 
ଷଡ଼ କୃତ୍ତିକା ଗମନ କରିଲେ ଧୀରେ ।। 
* 
(୪୪) 
ଅମ୍ବରାଂଶ-ଚୁମ୍ବୀ ଶୁଭ୍ର  ଲହରୀ ଶତ, 
ଦୋଳାଇ ଗଙ୍ଗା ସତେବା କଲେ ବ୍ୟକତ ।
'ଦର୍ଶନ ଅବଗାହନ ଆଚମନାଦି, 
କୃତ୍ୟ ଦେବଗଣ ଏଥି ଥାନ୍ତି ସମ୍ପାଦି ।।' 
* 
(୪୫) 
ପୁଣ୍ୟ ସ୍ନାନ ସାରି ମୁନିଗଣ ତୋଷରେ, 
ମନ୍ଦାକିନୀଙ୍କର ରମ୍ୟ  ପୁଳିନ ପରେ । 
ଦୂର୍ବାକ୍ଷତ ପୁଷ୍ପ ଆଦି  ପୂଜା-ଦରବ, 
ବଳିରୂପେ ବାହ୍ୟେ ବିଞ୍ଚି ଥିଲେ ସରବ ।। 
* 
(୪୬) 
ଭାଗୀରଥୀ-ତଟେ ବ୍ରହ୍ମ-ଆସନେ ସ୍ଥିତ, 
ଯୋଗନିଦ୍ରାଗତ ବ୍ରହ୍ମ-ଧ୍ଯାନେ ମଜ୍ଜିତ । 
ଯୋଗପଟ୍ଟ-ବନ୍ଧଯୁକ୍ତ ମୁନି-ପ୍ରବରେ, 
ଉପବେଶିଥିଲେ ପରସନ୍ନ ଚିତ୍ତରେ ।। 
* 
(୪୭) 
ଚରଣ-ଅଙ୍ଗୁଷ୍ଠି ଯୋଗେ ଉତ୍ଥାନେ ଥାଇ, 
ରବି ଅଭିମୁଖେ ନିଜ ଦୃଷ୍ଟି ଲଗାଇ । 
ବ୍ରହ୍ମଋଷିଗଣ ଜପବଳେ ସେ ସ୍ଥାନେ, 
ମଗନ ଥିଲେ ପରମ-ବ୍ରହ୍ମ ଧିଆନେ ।। 
* 
(୪୮) 
ଏହିପରି ପୁଣ୍ୟତୋୟା ଗଙ୍ଗା ଦର୍ଶନେ, 
ଷଡ଼ କୃତ୍ତିକା ଆନନ୍ଦ  ଲଭିଲେ ମନେ । 
ନିରେଖି ସୁଧାବାହିନୀ  ସୁର-ସରିତ, 
ନ ହୁଏ ବା  କାହା ମନ ମୁଦେ ପୂରିତ ।। 
* 
(୪୯) 
ଯେଉଁ ବ୍ୟୋମବାହିନୀଙ୍କୁ  ଚନ୍ଦ୍ରଶେଖର, 
ଧାରଣ କରିଥାଆନ୍ତି  ଶିରେ ନିଜର । 
ଯା ଦର୍ଶନ ପୁଣ୍ୟକାରୀ ତାଙ୍କୁ ଲଭିଣ, 
ମୋଦେ ଶ୍ରଦ୍ଧା ପ୍ରକାଶିଲେ କୃତ୍ତିକାଗଣ।। 
* 
(୫୦) 
ଦିବ୍ଯା ପବିତ୍ର-ନିର୍ବାଣ-ପଦ-ଦାୟିନୀ, 
ବିଷ୍ଣୁ-ପୟର-ସମ୍ଭୂତା  ପାପ-ଧ୍ବଂସିନୀ । 
ଗଙ୍ଗାଦେବୀଙ୍କୁ କୃତ୍ତିକାଗଣ ଶ୍ରଦ୍ଧାରେ, 
ବିନମ୍ର ଶିରେ ପ୍ରଣାମ କଲେ ସେଠାରେ ।‌। 
* 
(୫୧) 
ସୌଭାଗ୍ୟବଳେ ଦର୍ଶନ ମିଳେ ଯାଙ୍କର, 
ମୂର୍ତ୍ତିମତୀ ଅଟନ୍ତି ଯେ  ମୁକ୍ତି ପଦର । 
ସେ ଦେବୀ ମନ୍ଦାକିନୀଙ୍କୁ ଭକ୍ତିଭାବରେ, 
କୃତ୍ତିକାଏ ସ୍ତୁତି କଲେ ଶରଧାଭରେ ।। 
* 
(୫୨) 
ମୁକ୍ତି-ସ୍ତ୍ରୀ-ସଙ୍ଗ-ଦୂତ୍ୟଜ୍ଞ ସ୍ବର୍ଣ୍ଣଦୀ-ଜଳେ, 
ଆପଣାର ପାପରାଶି  କ୍ଷାଳନ କଲେ । 
କୃତ୍ତିକାଗଣ ଉତ୍ତମ  ରୂପେ ମଗନ, 
ହୋଇ ସମାପିଲେ ନିଜ ଅବଗାହନ ।। 
* 
(୫୩) 
ପୂର୍ବଜନ୍ମର ସଞ୍ଚିତ  ସୁକୃତ ବଳେ, 
ସ୍ନାନ-ଅବସର ମିଳେ ସ୍ବର୍ଣ୍ଣଦୀ-ଜଳେ । 
ସେ ନଦୀ ମଧ୍ୟେ ଆନନ୍ଦେ ନିମଜ୍ଜି ସ୍ନାନେ, 
ଧନ୍ୟା ମଣିଲେ ଆପଣେ କୃତ୍ତିକାମାନେ ।। 
* 
(୫୪) 
ସୁରଧୁନୀ-ନୀରେ ସ୍ନାନ ସମୟରେ ତ, 
କୃଶାନୁରେତଙ୍କ ଦିବ୍ୟ ଅମୋଘ ରେତ ।
ସେ ପାବନ ସଲିଳରୁ  କୃତ୍ତିକାଙ୍କର, 
ଦେହେ ଯାଇ ସଞ୍ଚାରିତ ହେଲା ସତ୍ବର ।। 
* 
(୫୫) 
ଶିବଙ୍କ ଦହନାତ୍ମକ  ଅସହନୀୟ, 
ରେତ ବହି କୃତ୍ତିକାଏ ଦେହେ ସ୍ବକୀୟ ।‌ 
ଅତିଶୟ ସନ୍ତାପ ଯେ  ଅନୁଭବିଲେ, 
ସତେ ଗରଳ-ସାଗରେ ମଜ୍ଜି ରହିଲେ ।। 
* 
(୫୬) 
କରନ୍ତେ ଅସହନୀୟ  ତେଜ ଧାରଣ, 
ଅତ୍ୟନ୍ତ ବ୍ୟାକୁଳ ହେଲେ କୃତ୍ତିକାଗଣ । 
ଅନ୍ତରେ ଜ୍ବଳନ୍ତ ଅଗ୍ନି  ବହିଲା ପରି, 
ସରବେ ବାରିରୁ ଶୀଘ୍ର ଗଲେ ବାହାରି ।। 
* 
(୫୭) 
ଗଙ୍ଗାନଦୀ-ତ୍ୟକ୍ତ ସେହି ମହାଦେବଙ୍କ, 
ମହାତେଜସ୍ବୀ ଅବ୍ୟର୍ଥ  ଦହନାତ୍ମକ । 
ରେତ ଷଡ଼କୃତ୍ତିକାଙ୍କ ଉଦରେ ସର୍ବ, 
ପ୍ରବେଶ କରି ସହସା ହୋଇଲା ଗର୍ଭ ।। 
* 
(୫୮) 
ଜାଣିଲେ ଚିତ୍ତେ ସୁବିଜ୍ଞା କୃତ୍ତିକାଗଣେ, 
ଆମ୍ଭେ ଅସମର୍ଥ ଏହି  ଗର୍ଭ ଧାରଣେ । 
ଏତେ ଭାବି ଲଜ୍ଜାଭରେ ପତିଙ୍କ ଭୟେ,  
ଅତ୍ୟନ୍ତ ଦୁଃଖ ଲଭିଲେ ନିଜ ହୃଦୟେ ।। 
* 
(୫୯) 
ତଦୁତ୍ତାରେ କୃତ୍ତିକାଏ  ଭୀତ ଅନ୍ତରେ,
ଲୋକ-ଲଜ୍ଜା ଯୋଗୁଁ  ତହିଁ ଶରବଣରେ । 
ସର୍ବ ଗର୍ଭ ପରିତେଜି  ନିଜ ନିଜର, 
ଗୃହାଭିମୁଖେ ପ୍ରସ୍ଥାନ କଲେ ସତ୍ବର ।। 
* 
(୬୦) 
ଷଡ଼କୃତ୍ତିକା ତେଜନ୍ତେ ସେହି ସକଳ, 
ସୁଧାକର-କଳା ସମ  ଅତି କୋମଳ । 
ଭବ୍ୟ ଗର୍ଭ ତେଜୋବାନ ହେଲେ ଏଭଳି, 
ବ୍ୟୋମଗର୍ଭେ ଶତସୂର୍ଯ୍ୟ-ତେଜରୁ ବଳି । 
ଚତୁର୍ମୁଖ ଧାତା ପ୍ରତି  ନିଜର ଷଡ଼, 
ବଦନେ କଲେ ସତେବା ସ୍ପରଧା ବଡ଼ ।। 
* 
(୬୧) 
(ଅନୁବାଦକୀୟ ଉପସଂହାର) 
କୁମାରସମ୍ଭବ କାଳିଦାସ-ରଚିତ, 
ଶ୍ରୀହରେକୃଷ୍ଣ-ମେହେର-ପଦ୍ୟାନୂଦିତ । 
ଷାଠିଏ ପଦରେ ଏ ତ  ସର୍ଗ ଦଶମ, 
କୀର୍ତ୍ତିତ ଏଥିରେ କାର୍ତ୍ତିକେୟ-ଜନମ ।। 
===== 

Kumarasambhava: Odia Version: ALL COMPILED :
https://hkmeher.blogspot.com/2016/02/kumara-sambhava-kavya-odia-version.html 

==== 

Kumarasambhava : Canto-10: Odia Version: Blog Link :
https://hkmeher.blogspot.com/2025/09/kumarasambhava-canto-10-odia-version-by.html
---------

Translated Kavyas of  Harekrishna Meher : 
http://hkmeher.blogspot.com/2016/08/translated-works-of-dr-harekrishna-meher.html
===== 


No comments: