KUMARASAMBHAVA MAHAKAVYA
(Canto-10th) *
Original Sanskrit Epic Poem
By : Mahakavi Kalidasa
*******
ODIA Metrical Translation by:
Dr. Harekrishna Meher
(Taken from Complete Odia Version)
*
कुमारसम्भव महाकाव्य :
दशम सर्ग : कार्त्तिकेय-जन्म *
(पद्यानुवाद : राग- संगम तिआरि बाणी)
= = = = =
Canto-10 : Birth of Kumara Kartikeya.
(Translations done during 1971)
* * * *
Published in BARTIKA, Famous Odia Literary Quarterly, Dashahara Special Issue, October-December 2025, pages 1334-1354, Saraswata Sahitya Sanskrutika Parishad, Dasharathapur, Jajpur, Odisha.
*
Total pages scanned are posted here.
Facebook Link :
https://www.facebook.com/share/p/1Bg5tPNW7t/
* * * * * * *
କୁମାରସମ୍ଭବ (ଦଶମ ସର୍ଗ)
ମୂଳ ସଂସ୍କୃତ କାବ୍ୟ : ମହାକବି କାଳିଦାସ
ଓଡ଼ିଆ ପଦ୍ୟାନୁବାଦ : ଡକ୍ଟର୍ ହରେକୃଷ୍ଣ ମେହେର
ବିଷୟ : କାର୍ତ୍ତିକେୟ-ଜନ୍ମ
ରାଗ : ସଙ୍ଗମ ତିଆରି ବାଣୀ
=======
(୧)
ଅଗ୍ନି ଶିବଙ୍କ ଦୁଃସହ ତେଜସ୍ଵୀ ରେତ,
ବହନ କରି ଆପଣା ଶରୀରେ ସେ ତ ।
ସଭାରେ ଦେବଗଣଙ୍କ ସହ ଆସ୍ଥିତ,
ଇନ୍ଦ୍ରଙ୍କ ପାଶେ ମିଳିଲେ ଯାଇ ତୁରିତ ।।
*
(୨)
କୁତ୍ସିତ ଅଙ୍ଗ ଆବର ବିବର୍ଣ୍ଣ ଅତି,
ଧୂମ୍ର-ଧୂମିତ-ମଣ୍ଡଳ ଅନଳ ପ୍ରତି ।
ଶଚୀଦେବୀ-ପତି ନିଜ ସହସ୍ରାକ୍ଷରେ,
ଅବଲୋକନ କରିଲେ ଆଦରଭରେ ।।
*
(୩)
ବାସବ ସେ ରୂପ ଦେଖି ଅତି ବିରସେ,
ଚିନ୍ତିଲେ ଦୀର୍ଘସମୟ କ୍ଷୁବ୍ଧ ମାନସେ ।
କନ୍ଦରପ-ରିପୁଙ୍କର କୋପେ ଅତ୍ୟନ୍ତ,
ଅନଳଦେବଙ୍କ ଦଶା ହେଲା ଏମନ୍ତ ।।
*
(୪)
ମଳିନ ବଦନେ ତହିଁ କ୍ଷଣକୁ କ୍ଷଣ,
ଅମରବୃନ୍ଦ ଅଗ୍ନିଙ୍କୁ କଲେ ଈକ୍ଷଣ ।
ଆପଣା ସମୀପେ ତାଙ୍କୁ ଦେଇ ଆସନ,
ବସାଇଲେ ସମାଦରେ ପାକଶାସନ ।।
*
(୫)
'ହବ୍ୟବାହନ ! ଏପରି ଦୁର୍ଦ୍ଦଶା ତବ,
କିରୂପେ ପ୍ରାପତ ହେଲା, କହ ସରବ ।'
ଇନ୍ଦ୍ର ପୁଚ୍ଛିବାରୁ ଏତେ ସ୍ବାହା-ବିଳାସ,
ଉତ୍ତରିଲେ ଧୀରେ ଘେନି ଦୀର୍ଘ ଶୁଆସ ।।
*
(୬)
'ସୁରସଙ୍ଘ-ନାୟକ ହେ ! ଅଲଙ୍ଘନୀୟ,
ଆଦେଶ ଘେନି ତୁମ୍ଭର ମୁହିଁ ସ୍ଵକୀୟ ।
ପାରାବତ ରୂପ ବହି ପାଇଲି ଡର,
କମ୍ପିତ ହେଲା ସକଳ ଅଙ୍ଗ ମୋହର ।।
*
(୭)
ଉମାସକ୍ତ ଶିବ ପାଶେ କଲି ଗମନ,
ଚିହ୍ନିଲେ ମୋତେ ସେ ବହ୍ନି ବୋଲି ବହନ ।
ହେବାରୁ ସେ କାଳ-ସମ ଭୀମ ମୂରତି,
ବହିଲି ମୁଁ ନିଜ ରୂପ ହେ ସୁରପତି ! ।।
*
(୮)
ହେ ଜମ୍ଭାରି ! ସର୍ବଜ୍ଞାତା ଚନ୍ଦ୍ରଶେଖର,
ଜାଣିଲେ ଛଦ୍ମ ବିହଙ୍ଗ ରୂପ ମୋହର ।
ରୋଷେ ଲଲାଟେ ଦୀପିତ ହୁତାଶନରେ,
ମୋତେ ଦହିବାକୁ ବିଚାରିଲେ ମନରେ ।।
*
(୯)
ସାର୍ଥ ମଧୁର ବଚନେ ବିନୟଭରେ,
ତାଙ୍କୁ ସ୍ତୁତି କଲି ମୁହିଁ ସେ ସମୟରେ ।
ପ୍ରୀତ ହେଲେ ଉମାକାନ୍ତ ତେଜିଲେ ରୋଷ,
ନିଜ ସ୍ତୁତି ଶୁଣି କେବା ନ ଲଭେ ତୋଷ ?
*
(୧୦)
ଶରଣରକ୍ଷକ ସର୍ବ-ତ୍ରାତା ଈଶାନ,
ନିଜ ଲଲାଟ-ପ୍ରଦେଶେ ଦେଦୀପ୍ୟମାନ।
ଅନିବାର୍ଯ୍ୟ କ୍ରୋଧାନଳ-ଗ୍ରାସ-ରୂପକ,
ଭୟୁଁ ଉଦ୍ଧରିଲେ ମୋତେ ତ୍ରିପୁରାନ୍ତକ ।।
*
(୧୧)
ଉମା-ଆଲିଙ୍ଗନ-ବନ୍ଧ ତେଜି ସତ୍ବର ,
ଲଜ୍ଜା ଅନୁଭବ କଲେ ପ୍ରମଥବର ।
ମଦନକେଳି-ରସର ଜାଗରଣରୁ,
ବିରତ ହେଲେ ଗିରିଶ ଗୌରୀପାଶରୁ ।।
*
(୧୨)
ସେକାଳେ ସୁରତିଭଙ୍ଗ ହେଲା ଶିବଙ୍କ,
ବିଚ୍ୟୁତ ଅବ୍ୟର୍ଥ ଲୋକତ୍ରୟ-ଦାହକ ।
ଦୁର୍ବହ ରେତକୁ ନିଜ ମଦନ-ହର,
ଅର୍ପଣ କରିଲେ ଅପଘନେ ମୋହର ।।
*
(୧୩)
ସେହି ମହାତେଜୋବନ୍ତ ଶଙ୍କର-ବୀର୍ଯ୍ୟେ,
ମୁହିଁ ଏପରି ଜ୍ବଳିତ ହୋଇଲିଣି ଯେ ।
ଅସହ୍ୟ ଭାର ହେଲାଣି ଏବେ ଦେହର,
ବହନ ପାଇଁ ଶକତି ନାହିଁ ମୋହର ।।
*
(୧୪)
ଏ ସକାଶୁଁ ହେ ବାସବ ! ତ୍ରିଲୋକେଶ୍ବର,
ଶିବଙ୍କର ଭୟଙ୍କର ତେଜେ ମୋହର ।
ଦହ୍ୟମାନ ମହାଦୁଃଖୀ ଏହି ପରାଣ,
ରକ୍ଷା କରି ଲଭ ଖ୍ୟାତି ଅମରରାଣ ! ।।'
*
(୧୫)
ଦୀନଭାବାପନ୍ନ ଅଗ୍ନି-ଦେବତାଙ୍କର,
ଏପରି ବଚନ ଶୁଣି ଅମରେଶ୍ବର ।
ଅଗ୍ନିତାପ-ନିବାରଣେ ବଳାଇ ମତି,
କୋୖଣସି ଉପାୟ ଚିନ୍ତା କଲେ ଝଟତି ।।
*
(୧୬)
ସୁରପୁର-ଅଧିପତି ତହୁଁ ଆଦରେ,
ଶିବତେଜ-ଦଗ୍ଧ ଅଗ୍ନିଙ୍କର ଅଙ୍ଗରେ ।
ଆପଣା କରେ ଆଉଁସି ସାନ୍ତ୍ବନା ଦେଇ,
ପ୍ରକାଶ କରିଲେ ଧୀରେ ବଚନ ଏଇ ।।
*
(୧୭)
'ସ୍ବାହା ସ୍ବଧା ହନ୍ତ ବୋଲି କଲେ ହବନ,
ପ୍ରସନ୍ନତା ଲଭି ତୁମ୍ଭେ ହବ୍ୟବାହନ !
ପ୍ରୀତି ସାଧ ଦେବ-ପିତୃ-ମାନବଙ୍କର,
ଯେଣୁ ତୁମ୍ଭେ ଏକା ମୁଖ ସେମାନଙ୍କର ।।
*
(୧୮)
ହୋତୃନିକର ତୁମ୍ଭରି ହବନ ଦ୍ବାରା,
ବିନାଶନ୍ତି ଶରୀରର ବୃଜିନ ସାରା ।
ସ୍ବର୍ଗଲୋକେ କରିଥାନ୍ତି ସୁଖ ବରଣ,
ତୁମ୍ଭେ ଏକା ଅଟ ସ୍ବର୍ଗଲାଭ-କାରଣ ।।
*
(୧୯)
ହୁତାଶ ! ମନ୍ତ୍ରେ ପବିତ୍ର ହବ୍ୟ ଦରବ,
ଆହୁତି ଅରପି ତୁମ୍ଭଠାରେ ସରବ ।
ତପର ସିଦ୍ଧି ଲଭନ୍ତି ତପସ୍ବୀଗଣ,
ତୁମ୍ଭେ ତପସ୍ୟାର ପ୍ରଭୁ ମୂଳ କାରଣ ।।
*
(୨୦)
ରବି ନିମନ୍ତେ ପ୍ରଦତ୍ତ ଆହୁତି ନେଇ,
ତୁମେ ଅର୍ପିଲେ ବର୍ଷନ୍ତି ସେ ମେଘ ହୋଇ ।
ତହୁଁ ଅନ୍ନ ଜାତ ହେଲେ ପ୍ରାଣୀନିକର,
ଜୀଇଁଥାନ୍ତି, ତେଣୁ ତୁମ୍ଭେ ପିତା ବିଶ୍ବର ।।
*
(୨୧)
ପ୍ରାଣୀଙ୍କ ଅନ୍ତରେ କର ନିବାସ ତୁମେ,
ତୁମଠାରୁ ପ୍ରାଣୀଗଣ ଜନ୍ମନ୍ତି ଭୂମେ ।
ଏ ସକାଶୁଁ ତୁମେ ବିଶ୍ବ-ପ୍ରାଣ-ରୂପକ,
ପ୍ରାଣୀଙ୍କର ପ୍ରାଣଦାତା ଅଟ ପାବକ ! ।।
*
(୨୨)
ଉପକାରୀ ଅଟ ସାରା ଏ ଜଗତର,
ତୁମ୍ଭେ ଏକା, ଏଥିଲାଗି ଦେବତାଙ୍କର ।
କାର୍ଯ୍ୟ ସିଦ୍ଧି ପାଇଁ ତୁମ୍ଭ ବିନା ଅପର,
ସମର୍ଥ ହେବ କେ ଅବା ହେ ବୈଶ୍ବାନର ! ।।
*
(୨୩)
ଅନଳ ! ଆମ ସମସ୍ତ ଦେବ-କରମ,
ସିଦ୍ଧ କରିବା ନିମନ୍ତେ ତୁମେ ହିଁ କ୍ଷମ ।
ଅନ୍ୟ ପାଇଁ ଉପକାର-ବ୍ରତୀ ଜନର,
ବିପତ୍ତି ମଧ୍ୟ ପ୍ରଶଂସା ଲଭେ ନିକର ।।
*
(୨୪)
ଭାଗୀରଥୀ ଦେବୀ ଭକ୍ତିବଶେ ଆମ୍ଭର,
ପୂର୍ବରୁ ପ୍ରସନ୍ନ ହୋଇଛନ୍ତି ନିକର ।
ତାଙ୍କ ସ୍ରୋତେ କଲେ ତୁମ୍ଭେ ଅବଗାହନ,
ହରିବେ ସେ ତୀବ୍ର ଜ୍ବାଳା ହବ୍ୟବାହନ ! ।।
*
(୨୫)
ବିଳମ୍ବ ନ କରି ବେଗେ ନ କରି ଖେଦ,
ଚଳ ବିଷ୍ଣୁପଦୀ ପାଶେ ହେ ଜାତବେଦ !
ନିଶ୍ଚିତ କାର୍ଯ୍ୟ ସଫଳ ହେବା ନିମିତ୍ତ,
ଶୀଘ୍ରକାରିତା କରିବା ଅଟେ ଉଚିତ ।।
*
(୨୬)
ବିଦିତ ଅଟନ୍ତି ଦେବୀ ସୁର-ତଟିନୀ,
ମହେଶଙ୍କ ଜଳମୟୀ ମୂର୍ତ୍ତି ଶୋଭିନୀ ।
ଏହେତୁ ଈଶାନଙ୍କର ଦୁର୍ବହ ରେତ,
ତୁମ୍ଭ ପାଶରୁ ଧାରଣ କରିବେ ସେ ତ ।।'
*
(୨୭)
ଏତେ କହି ତୁନି ହେଲେ ପାକଶାସନ,
ତା ପରେ ତାଙ୍କ ପାଶରୁ ଦେବ ଜ୍ବଳନ ।
ବିଦାୟ ନେଇ ବାସବ-ବାକ୍ୟେ ଝଟତି,
ଗମନ କରିଲେ ସୁର-ସରିତା ପ୍ରତି ।।
*
(୨୮)
ଚଳିଲେ ଅନଳ ବେଗେ ବାହି ସରଣୀ,
ତହୁଁ ଅଶେଷ କ୍ଲେଶର ନାଶ-କାରିଣୀ ।
ସୁରପୁର-ତରଙ୍ଗିଣୀ- ତୀରେ ବହନ,
ଉପଗତ ହେଲେ ଆସି ହବ୍ୟବାହନ ।।
*
(୨୯)
ସ୍ବର୍ଗ ଆରୋହଣ ଲାଗି ସୁର-ତଟିନୀ,
ନିଃଶ୍ରେଣୀ-ରୂପା ମୁକତି-ମାର୍ଗଦାୟିନୀ ।
ମହାମହାପାତକର କ୍ଷୟ-କାରିଣୀ,
ଅଟନ୍ତି ପାବନୀ ଦେବୀ ଦୁର୍ଗ-ତାରିଣୀ ।।
*
(୩୦)
ପ୍ରମଥପତିଙ୍କ ଜଟାଜୂଟ-ବାସିନୀ,
ଅଟନ୍ତି ସେ ମନ୍ଦାକିନୀ ପାପ-ନାଶିନୀ ।
ସଗର-ସୁତଗଣଙ୍କ ମୋକ୍ଷ-କାରିଣୀ,
ଅଟନ୍ତି ଶାଶ୍ଵତ ଧର୍ମ-ରକ୍ଷାକାରିଣୀ ।।
*
(୩୧)
ସମ୍ଭୂତ ହୋଇ ବିଷ୍ଣୁଙ୍କ ପଦ-ଜଳରୁ,
ଅବତରି ଆସିଛନ୍ତି ବ୍ରହ୍ମଧାମରୁ ।
ତିନି ଭୁବନକୁ ନିଜ ତିନି ସ୍ରୋତରେ,
ପବିତ୍ର କରିଥାଆନ୍ତି ସେ ନିରନ୍ତରେ ।।
*
(୩୨)
ଉତ୍ଥିତ ହେବାରୁ ଉଚ୍ଚ ତରଙ୍ଗମାନ,
ହେଲା ସେସମୟେ ଏହା ପ୍ରତୀୟମାନ ।
ଅଗ୍ନି-ଆଗମନେ ଗଙ୍ଗା ପ୍ରସନ୍ନଚିତ୍ତ,
କର ତୋଳି ଡାକୁଛନ୍ତି ସିଦ୍ଧି ନିମିତ୍ତ ।।
*
(୩୩)
ଥିଲେ ସମ୍ମିଳିତ ମତ୍ତ ହଂସ-ଆବଳି,
କଳକୂଜନେ ପ୍ରତୀତ ହେଲା ଏଭଳି ।
ସାନ୍ତ୍ବନା ଦିଅନ୍ତି ଗଙ୍ଗା ଭାଷି ମଧୁର,
ହିତ ବିତରିବି, ଦୁଃଖ କରିବି ଦୂର ।।
*
(୩୪)
ଗଙ୍ଗାଙ୍କର ଅର୍ବାଚୀନ କୂଳେ ଉତ୍ଥିତ,
ସଭଙ୍ଗ ତରଙ୍ଗମାଳ ହେଲା ପ୍ରତୀତ ।
ସତେ ଅବା ବିଷ୍ଣୁପଦୀ ଆନନ୍ଦଭରେ,
ଅଗ୍ନିଙ୍କୁ ସ୍ବାଗତ କରୁଛନ୍ତି ଆଗରେ ।।
*
(୩୫)
ଏ ଉତ୍ତାରେ ଶିବ-ତେଜେ ଆର୍ତ୍ତ ଜ୍ବଳନ,
ମନ୍ଦାକିନୀ-ଜଳ ମଧ୍ୟେ ହେଲେ ମଗନ ।
ବିଳମ୍ବ କରିବା ପାଇଁ ଅଳପ କ୍ଷଣ,
ସମର୍ଥ ହୋଇଥାନ୍ତି କି ବିପନ୍ନଗଣ ?
*
(୩୬)
କଲ୍ୟାଣକାରକ ସର୍ବ-ଶ୍ରମ-ହାରକ,
ପୁଣ୍ୟ-ବିଧାୟକ ସର୍ବଜନ-ତାରକ ।
ମନ୍ଦାକିନୀ-ନୀର ମଧ୍ୟେ ଅଗ୍ନି ସତ୍ବର,
ମଗ୍ନ ହୋଇ ତାପ-ଶାନ୍ତି କଲେ ନିଜର ।।
*
(୩୭)
ଅଟନ୍ତି ଦିବ୍ୟ ତଟିନୀ ତୁଙ୍ଗ-ତରଙ୍ଗା,
ହୃଦୟ-ତାପ-ବିପତ୍ତି-ହାରିଣୀ ଗଙ୍ଗା ।
ମହାଦେବଙ୍କ ଅମୋଘ ରେତ ତହିଁରେ,
ସଞ୍ଚାରିତ ହେଲା ଅଗ୍ନି-ତନୁରୁ ଧୀରେ ।।
*
(୩୮)
ଶିବଙ୍କ ଅସହ୍ୟ ରେତ ସୁର-ସରିତ,
ଗ୍ରହଣ କରିଲେ ସମାଦର ସହିତ ।
ସେହି ସମୟେ ଅତ୍ୟନ୍ତ ପ୍ରସନ୍ନ-ମନ,
ହୋଇ ଜଳରୁ ବାହାରି ଗଲେ ଜ୍ବଳନ ।।
*
(୩୯)
ପୀୟୂଷ-ଧାରା ସଦୃଶ ଗଙ୍ଗା-ଉଦକ,
ତହିଁ ଅବଗାହି ଶାନ୍ତ ହେଲେ ପାବକ ।
ତଦୁତ୍ତାରେ ବୈଶ୍ବାନର ସ୍ବୀୟ ସଦନେ,
ଗମନ କରିଲେ ଧୀରେ ପ୍ରଫୁଲ୍ଲ ମନେ ।।
*
(୪୦)
ମହେଶ୍ବରଙ୍କ ଅସହ୍ୟ ତେଜସ୍ଵୀ ବୀଜ,
ମନ୍ଦାକିନୀ ବିହାୟସ-ବାହିନୀ ନିଜ ।
ଅନ୍ତରେ ବେଗେ ବହନ୍ତେ ସନ୍ତାପ-ଜଳେ,
ମଜ୍ଜି ଅତ୍ୟନ୍ତ କଷଣ ଲଭିଲେ ବଳେ ।।
*
(୪୧)
ପ୍ରଳୟ ବହ୍ନିର ଶତ ଶତ ଶିଖାରେ,
ତପ୍ତ ପରି ହେଲା ଗଙ୍ଗା-ନୀର ସେଠାରେ ।
ଉଷ୍ଣତାର ଅସହିଷ୍ଣୁ ଜୀବ ସକଳ,
ଜଳ ତେଜି ବାହ୍ୟେ ଆସି ହେଲେ ଚଞ୍ଚଳ ।।
*
(୪୨)
ଶିବଙ୍କ ଅମୋଘ ଶୁକ୍ର-ପ୍ରଭାବେ ନୀର,
ଅତିଶୟ ତପ୍ତ ହେଲା ମନ୍ଦାକିନୀର ।
ଉଛୁଳି ପଡ଼ନ୍ତେ ପୁଣି କୂଳ-ବାହାରେ,
ସହ୍ୟ କଲେ ଗଙ୍ଗା ସେହି ସଲିଳ-ଭାରେ ।।
*
(୪୩)
ଜଗନ୍ନେତ୍ର ଦିବାକର ମାଘ ମାସରେ,
ଅଭ୍ୟୁଦୟ ହେବା କାଳେ ଏକ ବାସରେ ।
ଅବଗାହନ ନିମନ୍ତେ ସ୍ବର୍ଣ୍ଣଦୀ-ନୀରେ,
ଷଡ଼ କୃତ୍ତିକା ଗମନ କରିଲେ ଧୀରେ ।।
*
(୪୪)
ଅମ୍ବରାଂଶ-ଚୁମ୍ବୀ ଶୁଭ୍ର ଲହରୀ ଶତ,
ଦୋଳାଇ ଗଙ୍ଗା ସତେବା କଲେ ବ୍ୟକତ ।
'ଦର୍ଶନ ଅବଗାହନ ଆଚମନାଦି,
କୃତ୍ୟ ଦେବଗଣ ଏଥି ଥାନ୍ତି ସମ୍ପାଦି ।।'
*
(୪୫)
ପୁଣ୍ୟ ସ୍ନାନ ସାରି ମୁନିଗଣ ତୋଷରେ,
ମନ୍ଦାକିନୀଙ୍କର ରମ୍ୟ ପୁଳିନ ପରେ ।
ଦୂର୍ବାକ୍ଷତ ପୁଷ୍ପ ଆଦି ପୂଜା-ଦରବ,
ବଳିରୂପେ ବାହ୍ୟେ ବିଞ୍ଚି ଥିଲେ ସରବ ।।
*
(୪୬)
ଭାଗୀରଥୀ-ତଟେ ବ୍ରହ୍ମ-ଆସନେ ସ୍ଥିତ,
ଯୋଗନିଦ୍ରାଗତ ବ୍ରହ୍ମ-ଧ୍ଯାନେ ମଜ୍ଜିତ ।
ଯୋଗପଟ୍ଟ-ବନ୍ଧଯୁକ୍ତ ମୁନି-ପ୍ରବରେ,
ଉପବେଶିଥିଲେ ପରସନ୍ନ ଚିତ୍ତରେ ।।
*
(୪୭)
ଚରଣ-ଅଙ୍ଗୁଷ୍ଠି ଯୋଗେ ଉତ୍ଥାନେ ଥାଇ,
ରବି ଅଭିମୁଖେ ନିଜ ଦୃଷ୍ଟି ଲଗାଇ ।
ବ୍ରହ୍ମଋଷିଗଣ ଜପବଳେ ସେ ସ୍ଥାନେ,
ମଗନ ଥିଲେ ପରମ-ବ୍ରହ୍ମ ଧିଆନେ ।।
*
(୪୮)
ଏହିପରି ପୁଣ୍ୟତୋୟା ଗଙ୍ଗା ଦର୍ଶନେ,
ଷଡ଼ କୃତ୍ତିକା ଆନନ୍ଦ ଲଭିଲେ ମନେ ।
ନିରେଖି ସୁଧାବାହିନୀ ସୁର-ସରିତ,
ନ ହୁଏ ବା କାହା ମନ ମୁଦେ ପୂରିତ ।।
*
(୪୯)
ଯେଉଁ ବ୍ୟୋମବାହିନୀଙ୍କୁ ଚନ୍ଦ୍ରଶେଖର,
ଧାରଣ କରିଥାଆନ୍ତି ଶିରେ ନିଜର ।
ଯା ଦର୍ଶନ ପୁଣ୍ୟକାରୀ ତାଙ୍କୁ ଲଭିଣ,
ମୋଦେ ଶ୍ରଦ୍ଧା ପ୍ରକାଶିଲେ କୃତ୍ତିକାଗଣ।।
*
(୫୦)
ଦିବ୍ଯା ପବିତ୍ର-ନିର୍ବାଣ-ପଦ-ଦାୟିନୀ,
ବିଷ୍ଣୁ-ପୟର-ସମ୍ଭୂତା ପାପ-ଧ୍ବଂସିନୀ ।
ଗଙ୍ଗାଦେବୀଙ୍କୁ କୃତ୍ତିକାଗଣ ଶ୍ରଦ୍ଧାରେ,
ବିନମ୍ର ଶିରେ ପ୍ରଣାମ କଲେ ସେଠାରେ ।।
*
(୫୧)
ସୌଭାଗ୍ୟବଳେ ଦର୍ଶନ ମିଳେ ଯାଙ୍କର,
ମୂର୍ତ୍ତିମତୀ ଅଟନ୍ତି ଯେ ମୁକ୍ତି ପଦର ।
ସେ ଦେବୀ ମନ୍ଦାକିନୀଙ୍କୁ ଭକ୍ତିଭାବରେ,
କୃତ୍ତିକାଏ ସ୍ତୁତି କଲେ ଶରଧାଭରେ ।।
*
(୫୨)
ମୁକ୍ତି-ସ୍ତ୍ରୀ-ସଙ୍ଗ-ଦୂତ୍ୟଜ୍ଞ ସ୍ବର୍ଣ୍ଣଦୀ-ଜଳେ,
ଆପଣାର ପାପରାଶି କ୍ଷାଳନ କଲେ ।
କୃତ୍ତିକାଗଣ ଉତ୍ତମ ରୂପେ ମଗନ,
ହୋଇ ସମାପିଲେ ନିଜ ଅବଗାହନ ।।
*
(୫୩)
ପୂର୍ବଜନ୍ମର ସଞ୍ଚିତ ସୁକୃତ ବଳେ,
ସ୍ନାନ-ଅବସର ମିଳେ ସ୍ବର୍ଣ୍ଣଦୀ-ଜଳେ ।
ସେ ନଦୀ ମଧ୍ୟେ ଆନନ୍ଦେ ନିମଜ୍ଜି ସ୍ନାନେ,
ଧନ୍ୟା ମଣିଲେ ଆପଣେ କୃତ୍ତିକାମାନେ ।।
*
(୫୪)
ସୁରଧୁନୀ-ନୀରେ ସ୍ନାନ ସମୟରେ ତ,
କୃଶାନୁରେତଙ୍କ ଦିବ୍ୟ ଅମୋଘ ରେତ ।
ସେ ପାବନ ସଲିଳରୁ କୃତ୍ତିକାଙ୍କର,
ଦେହେ ଯାଇ ସଞ୍ଚାରିତ ହେଲା ସତ୍ବର ।।
*
(୫୫)
ଶିବଙ୍କ ଦହନାତ୍ମକ ଅସହନୀୟ,
ରେତ ବହି କୃତ୍ତିକାଏ ଦେହେ ସ୍ବକୀୟ ।
ଅତିଶୟ ସନ୍ତାପ ଯେ ଅନୁଭବିଲେ,
ସତେ ଗରଳ-ସାଗରେ ମଜ୍ଜି ରହିଲେ ।।
*
(୫୬)
କରନ୍ତେ ଅସହନୀୟ ତେଜ ଧାରଣ,
ଅତ୍ୟନ୍ତ ବ୍ୟାକୁଳ ହେଲେ କୃତ୍ତିକାଗଣ ।
ଅନ୍ତରେ ଜ୍ବଳନ୍ତ ଅଗ୍ନି ବହିଲା ପରି,
ସରବେ ବାରିରୁ ଶୀଘ୍ର ଗଲେ ବାହାରି ।।
*
(୫୭)
ଗଙ୍ଗାନଦୀ-ତ୍ୟକ୍ତ ସେହି ମହାଦେବଙ୍କ,
ମହାତେଜସ୍ବୀ ଅବ୍ୟର୍ଥ ଦହନାତ୍ମକ ।
ରେତ ଷଡ଼କୃତ୍ତିକାଙ୍କ ଉଦରେ ସର୍ବ,
ପ୍ରବେଶ କରି ସହସା ହୋଇଲା ଗର୍ଭ ।।
*
(୫୮)
ଜାଣିଲେ ଚିତ୍ତେ ସୁବିଜ୍ଞା କୃତ୍ତିକାଗଣେ,
ଆମ୍ଭେ ଅସମର୍ଥ ଏହି ଗର୍ଭ ଧାରଣେ ।
ଏତେ ଭାବି ଲଜ୍ଜାଭରେ ପତିଙ୍କ ଭୟେ,
ଅତ୍ୟନ୍ତ ଦୁଃଖ ଲଭିଲେ ନିଜ ହୃଦୟେ ।।
*
(୫୯)
ତଦୁତ୍ତାରେ କୃତ୍ତିକାଏ ଭୀତ ଅନ୍ତରେ,
ଲୋକ-ଲଜ୍ଜା ଯୋଗୁଁ ତହିଁ ଶରବଣରେ ।
ସର୍ବ ଗର୍ଭ ପରିତେଜି ନିଜ ନିଜର,
ଗୃହାଭିମୁଖେ ପ୍ରସ୍ଥାନ କଲେ ସତ୍ବର ।।
*
(୬୦)
ଷଡ଼କୃତ୍ତିକା ତେଜନ୍ତେ ସେହି ସକଳ,
ସୁଧାକର-କଳା ସମ ଅତି କୋମଳ ।
ଭବ୍ୟ ଗର୍ଭ ତେଜୋବାନ ହେଲେ ଏଭଳି,
ବ୍ୟୋମଗର୍ଭେ ଶତସୂର୍ଯ୍ୟ-ତେଜରୁ ବଳି ।
ଚତୁର୍ମୁଖ ଧାତା ପ୍ରତି ନିଜର ଷଡ଼,
ବଦନେ କଲେ ସତେବା ସ୍ପରଧା ବଡ଼ ।।
*
(୬୧)
(ଅନୁବାଦକୀୟ ଉପସଂହାର)
କୁମାରସମ୍ଭବ କାଳିଦାସ-ରଚିତ,
ଶ୍ରୀହରେକୃଷ୍ଣ-ମେହେର-ପଦ୍ୟାନୂଦିତ ।
ଷାଠିଏ ପଦରେ ଏ ତ ସର୍ଗ ଦଶମ,
କୀର୍ତ୍ତିତ ଏଥିରେ କାର୍ତ୍ତିକେୟ-ଜନମ ।।
=====
Kumarasambhava: Odia Version: ALL COMPILED :
https://hkmeher.blogspot.com/2016/02/kumara-sambhava-kavya-odia-version.html
====
Kumarasambhava : Canto-10: Odia Version: Blog Link :
https://hkmeher.blogspot.com/2025/09/kumarasambhava-canto-10-odia-version-by.html
---------
Translated Kavyas of Harekrishna Meher :
http://hkmeher.blogspot.com/2016/08/translated-works-of-dr-harekrishna-meher.html
=====
No comments:
Post a Comment