Friday, September 26, 2025

Kumarasambhava: Canto-9: Odia Version by Dr.Harekrishna Meher (କୁମାରସମ୍ଭବ : ନବମ ସର୍ଗ)

KUMARASAMBHAVA  MAHAKAVYA 
(Canto-9th) * 
Original Sanskrit Epic Poem 
By: Mahakavi Kalidasa 
*******
ODIA Metrical Translation by: 
Dr. Harekrishna Meher 
(Taken from Complete Odia Version) 
कुमारसम्भव महाकाव्य : 
नवम सर्ग : प्रभु शिवङ्क कैलास गमन * 
(पद्यानुवाद : राग - आषाढ़ शुक्ल)    
= = = = = 
Canto-9 : Lord Siva's Journey to Kailasa Mountain.  
(Translations done during 1971)   
* * * * 
Published in BARTIKA, Famous Odia Literary Quarterly, Dashahara Special Issue, October-December 2025, Saraswata Sahitya Sanskrutika Parishad, Dasharathapur, Jajpur, Odisha. 
Total pages scanned are posted here. 
******  

* କୁମାରସମ୍ଭବ (ନବମ ସର୍ଗ) * 
ମୂଳ ସଂସ୍କୃତ କାବ୍ୟ : ମହାକବି କାଳିଦାସ 
ଓଡ଼ିଆ ପଦ୍ୟାନୁବାଦ : ଡକ୍ଟର୍ ହରେକୃଷ୍ଣ ମେହେର 
ବିଷୟ : ପ୍ରଭୁ ଶିବଙ୍କ କୈଳାସ ଗମନ 
ରାଗ : ଆଷାଢ଼ଶୁକ୍ଲ 
========
(୧) 
ପ୍ରିୟତମା-ମୁଖ-କମଳ-ରସେ,
ଲୋଲୁପ ଭ୍ରମର-ରୂପ ହର ସେ । 
ଆପଣା ସମ୍ଭୋଗ  ସୁଖ ସମୟେ, 
ନିରେଖିଲେ ଶମ୍ଭୁ  ବିଳାସାଳୟେ । 
         ପାରାବତ-ବେଶ,  
କକ୍ଷ ମଧ୍ୟେ କରୁଅଛି ପ୍ରବେଶ ।। 
*
(୨) 
ସୁମଧୁର ଥିଲା  ସେ ପକ୍ଷୀ-ସ୍ବନ, 
ଯେହ୍ନେ ପ୍ରୀତିରତ ରାମା-ବଚନ ।  
ରକ୍ତ-ଲୋଚନ ତା ଥିଲା ଘୂର୍ଣ୍ଣିତ, 
ଗ୍ରୀବା ଉଚ୍ଚନୀଚ ସଂପ୍ରସାରିତ । 
       ପୁଚ୍ଛ ବାରମ୍ବାର,  
ସଙ୍କୁଚିତ ହେଉଥିଲା ସୁନ୍ଦର ।। 
(୩) 
ଚନ୍ଦ୍ରମା ସଦୃଶ  ବର୍ଣ୍ଣ ଉଜ୍ଜ୍ୱଳ, 
ପ୍ରସାରି ତା ବଦ୍ଧ  ପକ୍ଷ-ଯୁଗଳ । 
ଜଟିଳ କରି ତା  ଅଗ୍ର ଚରଣ, 
ମଦାନନ୍ଦେ ଭୋଳ ହୋଇ ତକ୍ଷଣ । 
        ମଣ୍ଡଳ ଆକାରେ,  
ଏଣେତେଣେ ଭ୍ରମୁଥିଲା ଆଗାରେ ।। 
*
(୪) 
ସୁଧା-ହ୍ରଦେ ରତି ସଙ୍ଗେ ମଦନ-,
ସ୍ନାନବେଳେ  ସମୁତ୍ଥିତ ନୂତନ।
ଫେନପୁଞ୍ଜ ପରି  ଶୁଭ୍ର ସୁନ୍ଦର, 
ପାରାବତେ ଦେଖି ଚନ୍ଦ୍ରଶେଖର । 
        ମୁହୂର୍ତ୍ତ ମାତର, 
ପ୍ରସନ୍ନତା ଲାଭ କଲେ ଚିତ୍ତର ।। 
(୫) 
ଅଲୌକିକ ସଉନ୍ଦର୍ଯ୍ୟ ତାହାର, 
ନିରେଖି ଈଶ୍ୱର  କଲେ ବିଚାର । 
ଜାଣିଲେ ଏ ଛଦ୍ମପକ୍ଷୀର ବେଶ, 
ଧରି ଅଗ୍ନି କରିଛନ୍ତି ପ୍ରବେଶ । 
        ତଦନ୍ତେ କ୍ରୋଧରେ,  
ଭୂରୁଭଙ୍ଗୀ କଲେ ବକ୍ରଭାବରେ ।। 
(୬) 
ଛଦ୍ମବେଶ ତେଜି ସ୍ଵରୂପ ଘେନି, 
ଉଭା ହେଲେ ତହୁଁ କୃପୀଟଯୋନି । 
କୋୖଣସି ପ୍ରକାରେ  କମ୍ପିତ କରେ, 
ବଦ୍ଧାଞ୍ଜଳି କରି  ଶିବ ଆଗରେ । 
        ବିନୟେ ଜ୍ବଳନ, 
ପ୍ରକାଶିଲେ ଧୀରେ ସତ୍ୟ ବଚନ ।। 
(୭) 
'ହେ ପ୍ରଭୋ ! ତୁମ୍ଭେ ତ ଜଗତପତି, 
ନାଶ କର ସର୍ବ-ସୁର-ବିପତ୍ତି ।‌ 
ବାସବ-ପ୍ରମୁଖ  ଦେବ ସକଳେ, 
ପୀଡ଼ିତ ହୁଅନ୍ତେ ଅସୁର-ବଳେ । 
       ଶ୍ରୀପୟରେ ତବ, 
ଶରଣ ପଶନ୍ତି ଉଚ୍ଚାରି ସ୍ତବ ।। 
(୮) 
ପ୍ରିୟାପ୍ରେମେ ତବ ନୀଳଲୋହିତ ! 
ହେଲା ଏକ ବର୍ଷ ଅତିବାହିତ ।‌ 
ଏକାନ୍ତରେ ରହି ଏହିରୂପରେ, 
ଦୁର୍ଲଭ-ଦର୍ଶନ ହେଲ ଆମ୍ଭରେ । 
        ମହେନ୍ଦ୍ର ସକଳ, 
ଦେବଗଣ ସଙ୍ଗେ ହେଲେ ବିକଳ ।। 
*
(୯) 
ପ୍ରଭୋ ! ଦରଶନ ଆଶେ ତୁମର, 
ପ୍ରତୀକ୍ଷା କରନ୍ତି  ସର୍ବ ଅମର । 
ତବ ଅନ୍ବେଷଣ ନିମନ୍ତେ ଏବେ, 
ପଠାଇଲେ ମୋତେ ଇନ୍ଦ୍ରାଦି ଦେବେ। 
         ହେଲି ଉପସ୍ଥିତ,  
ଧରି ପକ୍ଷୀବେଶ ଏ କାଳୋଚିତ ।।  
(୧୦) 
ଶତ୍ରୁ-ଗ୍ରସ୍ତ ହୋଇ ଅମରଗଣେ, 
ଶରଣ ଲଭନ୍ତି  ତବ ଚରଣେ । 
ଦେବଦେବ ତବ ଅଦରଶନେ, 
କେତେ କାଳ ରହିଥିବେ ଏସନେ । 
      ପ୍ରଭୋ ଆଶୁତୋଷ ! 
କ୍ଷମ ସୁବିଚାରି ଆମ୍ଭରି ଦୋଷ ।। 
(୧୧) 
ହେ ପ୍ରଭୋ ! ପ୍ରସନ୍ନ ହୁଅ ସତ୍ବର,  
ଆପଣା ତନୟ ସର୍ଜନା କର । 
ତାଙ୍କୁ ଇନ୍ଦ୍ର ସେନାପତି କରିବେ, 
ସ୍ବର୍ଗଲକ୍ଷ୍ମୀଙ୍କର ପ୍ରଭୁ ହୋଇବେ । 
         ଅନୁଗ୍ରହେ ତବ, 
ପାଳନ କରିବେ ତ୍ରିଲୋକ ସର୍ବ ।।' 
*  
(୧୨) 
ଶୁଣି ଅଗ୍ନିଙ୍କର  ଯଥାର୍ଥ ବାଣୀ, 
ପ୍ରସନ୍ନ ହୋଇଲେ ପିନାକପାଣି । 
ନିଶ୍ଚିତେ ଆଳାପ-କୁଶଳ ଜନ, 
ଭାଷି ନିଜ ମୁଖୁଁ  ମଧୁ ବଚନ । 
       ପ୍ରଭୁ-ମାନସରେ, 
ପ୍ରସନ୍ନତା ଜନମାଏ ତୋଷରେ ।। 
*
(୧୩) 
କାମଦେବାନ୍ତକ ପ୍ରସନ୍ନ-ମନା, 
ପୁତ୍ରଜନ୍ମ ଲାଗି କଲେ ଭାବନା । 
ଇନ୍ଦ୍ରଙ୍କ ସେନାନୀ ହୋଇ କୁମାର, 
ଯେପରି ତାରକାସୁର ସଂହାର । 
        କରି ମହାରଣେ, 
ଜୟ ପ୍ରଦାନିବେ ଅମରଗଣେ ।। 
(୧୪) 
କାମକେଳି ସୁଖ ଭଗ୍ନ ହୁଅନ୍ତେ, 
ଊର୍ଦ୍ଧ୍ବରେତା ଶିବ ସୁରତି-ଅନ୍ତେ । 
ନିର୍ଗତ ପ୍ରଳୟ-ଅନଳ-ନିଭ, 
ଅବ୍ୟର୍ଥ ଅସହ୍ୟ ଅତିପ୍ରତିଭ । 
      ରେତ ନେଇ ଖରେ, 
ଅର୍ପଣ କରିଲେ ଅଗ୍ନିଦେହରେ ।। 
(୧୫) 
ଯଥା ଉଷ୍ଣ-ବାଷ୍ପବାୟୁ କ୍ଷେପଣେ, 
ମଳିନତା ଜନ୍ମେ ସ୍ବଚ୍ଛ ଦର୍ପଣେ । 
ଅମୋଘ ରେତକୁ ମହେଶଙ୍କର, 
ସେହିପରି ଅଗ୍ନିଦେବ ନିଜର । 
      ତେଜସ୍ଵୀ ଶରୀରେ, 
ବହନ୍ତେ ବିବର୍ଣ୍ଣ ହେଲେ ଅଚିରେ ।। 
(୧୬) 
ରତାନନ୍ଦସୁଖ ହେବାରୁ ଭଙ୍ଗ, 
ହୈମବତୀ କରି  ନୟନ ରଙ୍ଗ । 
ଅନଳଙ୍କୁ ଶାପ ଦେଲେ ପ୍ରତ୍ୟକ୍ଷ, 
ହେ ଜ୍ବଳନ ! ହୁଅ ସରବଭକ୍ଷ । 
        ଭୀମକର୍ମା ଧୂମେ,  
ସମାବୃତ, କୁଷ୍ଠୀ ହୁଅ ହେ ତୁମେ ।। 
(୧୭) 
ଦକ୍ଷ-ଶାପେ କ୍ଷୟୀ ଚନ୍ଦ୍ର ସଦୃଶ, 
ଯଥା ହିମ-ପ୍ଲୁଷ୍ଟ  କମଳ-କୋଶ । 
ମହାଦେବଙ୍କର  ଅମୋଘ ରେତ, 
ବହନ୍ତେ ବିରୂପ ଶରୀରେ ସେ ତ । 
        ଦେବ ବୈଶ୍ବାନର, 
ଭବନୁଁ ବାହାରି ଗଲେ ସତ୍ବର ।।  
*
(୧୮) 
ବହ୍ନି-ଦରଶନ ଯୋଗୁଁ କୁପିତା,
ବିକାର-ଲକ୍ଷିତା  ଗିରିଦୁହିତା । 
କାମ-ଲାଜେ ମନ୍ଦେ ହସି ସଦନେ, 
ଉପବେଶିଥିଲେ ନତ-ବଦନେ । 
         ଶିବ ତାଙ୍କ ମନ,  
ପ୍ରେମ-ମଧୁବାକ୍ୟେ କଲେ ରଞ୍ଜନ ।। 
(୧୯) 
ପ୍ରିୟାଙ୍କର ଅକଳଙ୍କ ବଦନ-
ଚନ୍ଦ୍ରେ ଥିଲା ସ୍ବେଦ-ନୀର ଗହନ ।  
ପ୍ରସାରିତ ହେଲା  ନେତ୍ର-କଜ୍ଜଳ, 
ଆପଣା ଦ୍ବିତୀୟ  କୌପୀନାଞ୍ଚଳ । 
      ଘେନି ତ୍ରିଲୋଚନ,  
କୃଷ୍ଣ ଚିହ୍ନ ତହିଁ କଲେ ମାର୍ଜନ ।‌। 
(୨୦) 
ଶ୍ଲଥାଙ୍ଗୁଳି-ଯୁକ୍ତ  କମ୍ପିତ କରେ, 
ହୈମବତୀ-ମୁଖ-ପଦ୍ମୁଁ ତା ପରେ । 
ଧୀରେ ଧୀରେ ମାର୍ଜି ଘର୍ମ-ସଲିଳ, 
ବ୍ୟଜନ ଚାଳନା  କଲେ ସଲୀଳ । 
        ପ୍ରଭୁ ତ୍ରିପୁରାରି, 
ଶୁଷ୍କ କଲେ ସର୍ବ ଶ୍ରମଜ-ବାରି ।। 
(୨୧) 
ପୀରତି-ଶିଥିଳ  ପ୍ରିୟା-କବରୀ, 
ଲୋଟିଥିଲା ସ୍କନ୍ଧ ପରେ ତାଙ୍କରି । 
ତହିଁରେ ଖଚିତ  କୁସୁମାବଳୀ, 
ସ୍ଖଳିତ ହେବାରୁ  ଚଞ୍ଚଳ ଚଳି । 
     ବାନ୍ଧିଲେ ସେ କେଶ, 
ପାରିଜାତ ପୁଷ୍ପ-ମାଲ୍ୟେ ମହେଶ ।। 
(୨୨) 
ମୃଗନାଭି-ରସ ଘେନି ତୋଷରେ, 
ଶଙ୍କର ପ୍ରେୟସୀ-ଗଣ୍ଡ ଉପରେ । 
ଆଙ୍କିଲେ ବିବିଧ  ଚିତ୍ର ଯତନ, 
କାମଦେବତାଙ୍କ ବିଶ୍ବମୋହନ । 
        ମନ୍ତ୍ରାକ୍ଷର ଭଳି,  
ପ୍ରତେ ହେଲା ପତ୍ର-ରଚନାବଳୀ ।। 
(୨୩) 
ଟଙ୍କଧର  ପ୍ରିୟା-କର୍ଣ୍ଣଯୁଗରେ, 
ତାଟଙ୍କ ମଣ୍ଡିଲେ  ଅନୁରାଗରେ । 
ସଂସାର-ଜିଗୀଷୁ-କାମ-ସ୍ୟନ୍ଦନ, 
ପ୍ରାୟେ ପ୍ରତେ ହେଲା ଉମା-ବଦନ । 
       ବେନି କର୍ଣ୍ଣଫୁଲ, 
ବିରାଜିଲେ ରଥ-ଚକ୍ରର ତୁଲ ।। 
(୨୪) 
ମୁକ୍ତାହାରବଲ୍ଲୀ କାନ୍ତା-କଣ୍ଠରେ, 
ପିନ୍ଧାନ୍ତେ ଆବୋରି ସ୍ତନାଗ୍ର ପରେ । 
ଅଧୋଭାଗେ ଲମ୍ବି ଦିଶିଲା ଚାରୁ, 
ଯେହ୍ନେ ବେନି ମେରୁଗିରି-ଚୂଡ଼ାରୁ । 
       ହୋଇ ପ୍ରବାହିତ, 
ଗଙ୍ଗା-ଧାରଦ୍ବୟ ଦିଶେ ଶୋଭିତ ।। 
(୨୫) 
ନଖାଙ୍କିତ ନିତମ୍ବରେ ତାଙ୍କର, 
ମେଖଳା ପିନ୍ଧାଇ ଦେଲେ ଶଙ୍କର । 
ପ୍ରତେ ହେଲା, ନିଜ ଚଞ୍ଚଳ ମନ- 
ହରିଣ କରିବା ପାଇଁ ବନ୍ଧନ । 
        କାମଦେବଙ୍କର,  
ଦୃଢ଼ ଫାଶ ହୋଇଅଛି ତତ୍ପର ।। 
(୨୬) 
ଭାଲ-ନେତ୍ରାନଳୁଁ  ରଚି କଜ୍ଜଳ, 
ପଦ୍ମନେତ୍ରୀ ପ୍ରିୟାଙ୍କର ତରଳ । 
ନୟନରେ ଶିବ କଲେ ରଞ୍ଜନ, 
ମାର୍ଜିବାକୁ ଅଙ୍ଗୁଳିର ଅଞ୍ଜନ । 
        ମର୍ଦ୍ଦିଲେ ତ୍ରିଶୂଳୀ, 
ପୁଲକିତ ନୀଳ କଣ୍ଠେ ଅଙ୍ଗୁଳି ।। 
(୨୭) 
ସରୋଜ-ନୟନୀ ଗିରିଜାଙ୍କର, 
ଚରଣାରବିନ୍ଦ-ଯୁଗେ ସୁନ୍ଦର । 
ଅଲକ୍ତ ରଞ୍ଜନ  କଲେ ଶଙ୍କର, 
ମସ୍ତକବାହିନୀ  ସ୍ବର୍ଣ୍ଣଦୀଙ୍କର ।
      ତୋୟରେ ହସ୍ତର, 
ରକ୍ତିମା ଧଉତ କଲେ ଆବର ।। 
(୨୮) 
ଦେବଦେବ ହର ହରଷଭରେ, 
ଭସ୍ମଲିପ୍ତ ନିଜ  ଶରୀର ପରେ । 
ଦର୍ପଣ ମାର୍ଜନ କରି ପ୍ରତ୍ୟକ୍ଷେ, 
ଥୋଇଦେଲେ ପ୍ରାଣପ୍ରିୟା-ସମକ୍ଷେ । 
          ଶୃଙ୍ଗାର ମଣ୍ଡନ, 
କରାଇଲେ ପ୍ରେମେ ଅବଲୋକନ ।। 
(୨୯) 
ପ୍ରିୟ-ଦତ୍ତ  ମଣି-ଆଦରଶରେ, 
ରତି-ଚିହ୍ନାଙ୍କିତ ଅଙ୍ଗ ତୋଷରେ । 
ବିଲୋକି ଲଜ୍ଜିତ ହେଲେ ପାର୍ବତୀ, 
ରୋମାଞ୍ଚ-ବ୍ୟାଜରେ ପତିଙ୍କ ପ୍ରତି । 
        ଗାଢ଼ ଅନୁରକ୍ତି,  
ସ୍ବଚ୍ଛନ୍ଦେ ଲଭିଲା ବାହ୍ୟାଭିବ୍ୟକ୍ତି ।। 
*  
(୩୦) 
ଅନଙ୍ଗାରି-କୃତ  ଶୃଙ୍ଗାର-ସଜ୍ଜା, 
ନିରେଖି ମୁକୁରେ ମେନକାତ୍ମଜା । 
ପ୍ରେମଲଜ୍ଜାଭରେ  ହସିଲେ ମନ୍ଦେ, 
ନିଜକୁ ସୌଭାଗ୍ୟଶାଳିନୀ-ବୃନ୍ଦେ । 
         ସର୍ବଶ୍ରେଷ୍ଠ ମତେ । 
ମଣିଲେ ଆପଣା ହୃଦୟଗତେ ।। 
(୩୧) 
ଜୟା ବିଜୟା ତ ଯୁଗଳ ସହୀ, 
ଏହି ଅବସରେ  ହରଷ ବହି ।‌ 
ପ୍ରବେଶିଲେ ଆସି ଶିବାଳୟରେ, 
କାନ୍ତ-କୋଳଗତା ଉମା-ଦେହରେ । 
          ଉପଚାର ଘେନି, 
ଉତ୍ତମ ଶୃଙ୍ଗାର ରଚିଲେ ବେନି ।। 
(୩୨) 
ପ୍ରାସାଦ ବାହାରେ ଚାରଣେ ଆସି, 
ଶଙ୍କର ପ୍ରସନ୍ନ  ହେବା ମନାସି । 
କରିଲେ ମଙ୍ଗଳ ସ୍ତବ ସୁନ୍ଦର, 
ଏ ସମୟେ ଗନ୍ଧରବ-ନିକର । 
       ହୋଇ ଗଦଗଦ, 
ଆରମ୍ଭିଲେ ମୁଦେ କମ୍ବୁ-ଶବଦ ।। 
(୩୩) 
ତଦନ୍ତେ ସେବାର  ସୁଅବସରେ, 
ଦ୍ବାରେ ପରବେଶି  ନନ୍ଦୀ ଶଙ୍କରେ । 
ପ୍ରଣମି ଜ୍ଞାପନ  କଲେ ବିନୟେ, 
ପ୍ରଭୋ ! ଦେବଗଣ ଏହି ସମୟେ । 
           ତବ ଦରଶନ,  
ପାଇଁ ଆସିଛନ୍ତି ଲାଳସ-ମନ ।। 
(୩୪)  
ସ୍ବମାନସ-ରାଜହଂସୀ ପ୍ରିୟା ସେ , 
ପାର୍ବତୀଙ୍କ ହସ୍ତ ଧରି ସରସେ । 
ଅମରଗଣଙ୍କୁ  ନିଜେ ଦର୍ଶନ, 
ଦେବା ଅଭିଳାଷେ ହୋଇ ପ୍ରସନ୍ନ । 
           ବିଳାସ-ଗୃହର, 
ଅଭ୍ୟନ୍ତରୁ ବିଜେ କରିଲେ ହର ।। 
*
(୩୫) 
ଇନ୍ଦ୍ରାଦି ତ୍ରିଦଶେ  ଦେଖି ହରଙ୍କୁ, 
ପ୍ରଣମିଲେ ଶିରେ ଯୋଡ଼ି କରକୁ । 
ତ୍ରିଲୋକ-ଜନନୀ  ବିଶ୍ବବନ୍ଦିନୀ, 
ପୂଜନୀୟା ଗିରିରାଜ-ନନ୍ଦିନୀ । 
         ଉମାଙ୍କୁ କ୍ରମରେ,  
ପ୍ରଣମିଲେ ସର୍ବେ କଲେ ବିନୟଭରେ ।। 
(୩୬) 
ଏ ଉତ୍ତାରେ ଦେବ-ସମ୍ମାନୋଚିତ, 
ସତ୍କାର ଆଚରି  ଶିବ ସୁଚିତ୍ତ। 
ଦେବତାଙ୍କୁ ତହିଁ  ଦେଲେ ବିଦାୟ, 
ଲଭି ନନ୍ଦୀଶ୍ବର-କର ସହାୟ ।‌
        ଚଢ଼ି ବୃଷଭରେ,  
ଉମା ସଙ୍ଗେ ଗଲେ ହରଷଭରେ ।। 
(୩୭) 
ମନୁଁ ବେଗବାନ  ବୃଷ-ପୃଷ୍ଠରେ, 
ଆରୋହି ଗମନ କଲେ ନଭରେ । 
ଗଗନ-ବିହାରୀ  ବିମାନଚର, 
ଅମର-ନିକର  ଯୋଡ଼ି ସ୍ବକର । 
        ମହାଦେବଙ୍କର, 
ଶୁଭାଭିବାଦନ କଲେ ସାଦର ।। 
(୩୮) 
ବ୍ୟୋମଗଙ୍ଗା-ଜଳବିନ୍ଦୁ-ସେବିତ, 
ପାରିଜାତ-ପୁଷ୍ପ-ଗନ୍ଧେ ବାସିତ । 
ନାରୀ-ରତିଖେଦ-ଅପହାରକ, 
ସମୀରଣ ତୋଷେ ଉମା-ହରଙ୍କ । 
        ସେହି ଅବସରେ,  
ସେବା କଲା ବହି ବିହାୟସରେ ।। 
(୩୯) 
କୈଳାସ ନାମକ ସ୍ଫଟିକ-ଶୈଳେ, 
ମିଳିଲେ ଶଙ୍କର ପ୍ରେୟସୀମେଳେ । 
ସ୍ବସମ ଅର୍ଦ୍ଧେନ୍ଦୁ-ଧାରକ ସେ ତ, 
ଅଦ୍ଭୁତ ଭୋଗୀଙ୍କ ଭୋଗ-ନିକେତ । 
       ବ୍ୟୋମେ ସୁବ୍ୟାପତ, 
ବିଭୂତି-ଧାରକ ସେ ପରବତ ।। 
(୪୦) 
କାନ୍ତାଗଣ ଘେନି  ସିଦ୍ଧ ପୁରୁଷେ, 
ଚଳନ୍ତେ ସ୍ଫଟିକ  ଭିତ୍ତି ପାରୁଶେ । 
ପ୍ରତିବିମ୍ବ ଦେଖି  ଭ୍ରମେ ଯୁବତୀ, 
ଅନ୍ୟ ରାମା ସଙ୍ଗେ ବିହରେ ପତି । 
      ଏ ଲାଗି ରୁଷନ୍ତି, 
ମନାଇଁଲେ ମଧ୍ୟ ସେ ନ ମାନନ୍ତି ।। 
(୪୧) 
ସୁଧାକର-ଛାୟା  ସ୍ଫଟିକମୟ, 
କଇଳାସେ ପଡ଼ି ଭଜେ ବିଲୟ । 
କେବଳ କଳଙ୍କ-ଛାୟା ଦିଶଇ, 
ଏହା ଦେଖି ମନେ ପ୍ରତେ ହୁଅଇ । 
        ବିଚୂର୍ଣ୍ଣ କସ୍ତୂରୀ, 
ଖଣ୍ଡ କିବା ରଚିଛନ୍ତି ଗଉରୀ ।। 
(୪୨) 
କଇଳାସ-ଭିତ୍ତି ପରେ ସ୍ବଅଙ୍ଗ- 
ପ୍ରତିବିମ୍ବ ଦେଖି  ମତ୍ତ ମାତଙ୍ଗ । 
ଅନ୍ୟ ମତ୍ତ ଗଜ  ଭାବି ମନରେ, 
ଦନ୍ତାଘାତ କରିଥାନ୍ତି କୋପରେ । 
         ଲଭି ପ୍ରତିଘାତ, 
ତାଙ୍କ ଚିତ୍ତେ ଦୁଃଖ ହୁଅଇ ଜାତ ।।  
(୪୩) 
ସ୍ଫଟିକ-ଭବନେ  ତାରକାରାଶି, 
ବିମ୍ବିତ ହୋଇଲେ ରାତ୍ରେ ପ୍ରକାଶି । 
ସିଦ୍ଧାଙ୍ଗନା ଭ୍ରମିଥାନ୍ତି ହୃଦୟେ, 
ବିଚାରନ୍ତି ଆମ୍ଭ  ରତି-ସମୟେ । 
           ଖସିବାରୁ ହାର,  
ପଡ଼ିଅଛି ଏଥି ମୁକୁତା-ବାର ।। 
*
(୪୪) 
ଅପ୍ସରା-ଶୃଙ୍ଗାର-ମୁକୁର ସମ, 
ତାରା-ଅଧିପତି  ସୁମନୋରମ । 
କୈଳାସ-ଶିଖରେ ହେଲେ ଉଦିତ, 
ଶୈଳନାଥ ଶିବାଳୟର ଦୀପ୍ତ । 
        ଶୋଭନ୍ତି ଅମୂଲ୍ୟ, 
ରମଣୀୟ ଚୂଡ଼ାମଣିର ତୁଲ୍ୟ ।। 
(୪୫) 
ମଦନ-ଆତୁରେ  ଅମରଗଣ, 
ଏକାନ୍ତରେ ଇଚ୍ଛି କାନ୍ତା-ରମଣ । 
ଭ୍ରମିଲେ ସେଠାରେ ଏକାକୀ ଥାଇ, 
ଭ୍ରମିଥାନ୍ତି ବହୁ  ବିମ୍ବ ଅନାଇଁ । 
      ସେସ୍ଥାନେ ଯେପରି, 
ବହୁବିଧ ରୂପ ହେଲା ତାଙ୍କରି ।। 
(୪୬) 
ସ୍ଫଟିକ-ନିର୍ମିତ  ଏକ ଶୃଙ୍ଗରେ, 
ବହୁକାଳ ଯାଏ  ଗୌରୀ ସଙ୍ଗରେ । 
ନିଜ ଇଚ୍ଛାମତେ  ସୁମନୋହର, 
ନାନା କାମକେଳି କରିଲେ ହର । 
        ଆନନ୍ଦ-ମାନସେ । 
ସମୟ ଯାପନ କଲେ ସୁରସେ ।। 
(୪୭) 
ସରସ ଭଙ୍ଗୀରେ ଚରଣ ଚାଳି, 
ଶିବ-କର ଧରି  ନଗେଶବାଳୀ । 
ଧୀରେ ଧୀରେ ତହିଁ କଲେ ଭ୍ରମଣ, 
ଯେଉଁଠାରେ ବେତ୍ରଧାରକ ଗଣ । 
         ନନ୍ଦୀଶ୍ବର ଥାଇ,  
ଚଳିଲେ ଅଗ୍ରତେ ପଥ ଦେଖାଇ ।। 
(୪୮) 
ଭ୍ରୂସଙ୍କେତ ପାଇ  ମହେଶଙ୍କର, 
ବିକଟାଙ୍ଗଭଙ୍ଗୀକାରୀ ଆବର ‌। 
ଧବଳ ସୁତୀକ୍ଷ୍ଣ-ତୁଣ୍ଡ ସୁଦନ୍ତ, 
ଶିଖାଗ୍ର ଦୋଳାଇ ଭୃଙ୍ଗୀ ତଦନ୍ତ । 
        ଉମାଙ୍କ ବିନୋଦ,  
ପାଇଁ ଆରମ୍ଭିଲେ ନୃତ୍ୟ ସମୋଦ ।।  
(୪୯) 
ଉମାଙ୍କ ଆନନ୍ଦ  ଲାଗି ଶଙ୍କର, 
ପ୍ରେରଣା ଦେବାରୁ  ତହିଁ ସତ୍ବର ।
କଣ୍ଠଦେଶେ ମଣ୍ଡି  କପାଳ-ମାଳୀ, 
ଦଂଷ୍ଟ୍ରା-ବିକରାଳ-ବଦନୀ କାଳୀ । 
         ନାନା ଭଙ୍ଗୀ କରି, 
ନୃତ୍ୟ ଆରମ୍ଭିଲେ ଉତ୍ସାହ ଭରି ।। 
(୫୦) 
ଭୃଙ୍ଗୀ କାଳୀଙ୍କର ନୃତ୍ୟ ବିକଟ, 
ଭୟାନକ ଭାବେ ହେଲା ପ୍ରକଟ । 
ତାହା ଦେଖି ଭୟେ ମେନାକୁମାରୀ, 
ପ୍ରେମବଶେ ତହିଁ ପ୍ରିୟ କାମାରି ।  
        ଶିବଙ୍କର କୋଳେ, 
ଗାଢ଼େ ଆଲିଙ୍ଗିଲେ ବସି ବିଭୋଳେ ।।  
(୫୧) 
ପ୍ରିୟା-ଉଚ୍ଚପୀନ-କୁଚ-ପିଣ୍ଡର,  
ସଭୟାଲିଙ୍ଗନ-ପୀଡ଼ନେ ହର । 
ପୁଲକ ଲଭିଲେ ନିଜ ଶରୀରେ, 
ବଢ଼ିଲା ମଦନ-ବେଗ ଅସ୍ଥିରେ । 
         ନାନା ପରକାରେ, 
ପ୍ରମତ୍ତ ହୋଇଲେ ଶିବ ସେଠାରେ ।। 
(୫୨) 
ପର୍ବତାଧିରାଜ-ତନୁଜାଙ୍କର, 
ହାବଭାବ ଲୀଳା  ହୃଦୟ-ହର । 
ବହୁବିଧ ଭୋଗେ ସନ୍ତୋଷ ବହି, 
କୈଳାସେ ଗଣଙ୍କ ଗହଣେ ରହି ।
        ସୁଧାଂଶୁ-ଶେଖର, 
ଅତିଶୟାନନ୍ଦେ ମଜ୍ଜିଲେ ହର ।। 
*
(୫୩) 
(ଅନୁବାଦକୀୟ ଉପସଂହାର) 
ମହାକବି କାଳିଦାସ ପ୍ରଣୀତ, 
କୁମାରସମ୍ଭବ କାବ୍ୟେ ବର୍ଣ୍ଣିତ । 
ନବମ ସର୍ଗରେ ଶ୍ଲୋକ ବାବନ, 
ଈଶ୍ବରଙ୍କ କଇଳାସ ଗମନ । 
      ଓଡ଼ିଆ ପଦ୍ୟାକାର, 
ବିରଚିଲେ ହରେକୃଷ୍ଣ ମେହେର ।। 
===== 

Related Links: 


No comments: